ଏକ ଫୁଲ୍‌ ଦୋ ମାଲି : ମୋର ହେବନି କି-ତୁ ବି ପାଇବୁନି, ସାଙ୍ଗ ଉପରେ ଏସିଡ୍‌ ଢାଳି ଦେଲା ସାଙ୍ଗ

Published By : Prameya-News7 Bureau | May 28, 2020 IST

ବ୍ରହ୍ମପୁର ୨୮।୦୫: ତୁ କେବଳ ମୋ ପାଇଁ, ମୋର ଯଦି ହେବୁନାହିଁ , ତୁ କାହାର ହେବୁନାହିଁ । ଗଞ୍ଜାମ ଜିଲ୍ଲାରେ ଏଭଳି ଏକ ଘଟଣା ଘଟିଛି ଯାହା ଉକ୍ତଟି ସହ ପୂରା ସମାନ ଭଳି ମନେ ହେଉଛି । ଜଣେ ଯୁବତୀଙ୍କ ପାଇଁ ଦୁଇଜଣ ବନ୍ଧୁ ପାଗଳ । ତାହା ପୁଣି ପରିଣତ ବୟସରେ । ଯୁବତୀଙ୍କ ପାଇଁ ଶେଷରେ ଦୁଇଜଣ ବନ୍ଧୁଙ୍କ ଭିତରେ ଗଣ୍ଡଗୋଳ । ଜଣେ ବନ୍ଧୁ ଉପରେ ଆଉ ଜଣେ ଏସିଡ୍‌ ମାଡ଼ କରିଛି । ଏଭଳି ଅଭାବନୀୟ ଘଟଣା ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । ଏସିଡ୍‌ ମାଡ଼ରେ ଆହତ ହୋଇଛନ୍ତି ଗଜପତି ନଗର ବାସିନ୍ଦା ଲିଙ୍ଗରାଜ ସାହାଣୀ (୫୫) । ଏହି ମାମଲାରେ ତାଙ୍କ ସାଙ୍ଗ ଗୋସାଇଁ ନୂଆଗାଁର ବିଶ୍ୱଜିତ ନନ୍ଦ (୫୪)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି ବୈଦ୍ୟନାଥପୁର ଥାନା ଆଇଆଇସି ଶାରଦା ପ୍ରସନ୍ନ ଦାଶ।

ଆଇଆଇସିଙ୍କ କହିବାନୁସାରେ ଲିଙ୍ଗରାଜ ଓ ବିଶ୍ୱଜିତ୍‌ ପିଲାବେଳରୁ ସାଙ୍ଗ । ଏବେ ମଧ୍ୟ ତାଙ୍କ ଭିତରେ ବନ୍ଧୁତା ରହିଥିଲା। ପରିଣତ ବୟସରେ ଲିଙ୍ଗରାଜଙ୍କ ସହ ସଦର ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ପ୍ରେମ ହୋଇଯାଇଥିଲା । ପରେ ତାଙ୍କ ସହ ସେ ସମ୍ପର୍କରେ ଆସିଥିଲେ । ଲିଙ୍ଗରାଜ ଏ ସମ୍ପର୍କରେ ବିଶ୍ୱଜିତ୍‌ଙ୍କୁ କହିଥିଲେ ଏବଂ କିଛି ଦିନ ପରେ ବିଶ୍ୱଜିତ୍‌ ମଧ୍ୟ ସେହି ଝିଅର ସମ୍ପର୍କରେ ଆସିଥିଲେ । ପରେ ଉଭୟଙ୍କ ସମ୍ପର୍କ ନିବିଡ଼ ହୋଇଥିଲା । ଲିଙ୍ଗରାଜ ଏହା ଜାଣିବା ପରେ ଦୁଇ ବନ୍ଧୁଙ୍କ ଭିତରେ ମନୋମାଳିନ୍ୟ ହୋଇଥିଲା ।

କିନ୍ତୁ ଲିଙ୍ଗରାଜ ଓ ବିଶ୍ୱଜିତ୍‌ ଅଲଗା ସମୟରେ ଯୁବତୀଙ୍କ ପାଖକୁ ଯାଉଥିଲେ । ଲିଙ୍ଗରାଜ ଏହି କଥାକୁ ସହଜରେ ଗ୍ରହଣ କରୁନଥିଲେ । ସେ ବିଶ୍ୱଜିତ୍‌ଙ୍କ ଶାଳକଙ୍କୁ ମଧ୍ୟ ଏ ସମ୍ପର୍କରେ ଜଣାଇଦେଇଥିଲେ । ମଙ୍ଗଳବାର ଲିଙ୍ଗରାଜ ଏମ୍‌କେସିଜି ମେଡିକାଲ କ୍ୟାମ୍ପସ୍‌କୁ ବିଶ୍ୱଜିତ୍‌କୁ ଡାକିଥିଲେ । ବିଶ୍ୱଜିତ୍‌ ଆସିବା ପରେ ଉଭୟଙ୍କ ଭିତରେ ବେଶ କିଛି ସମୟ ପାଟିତୁଣ୍ଡ ଚାଲିଥିଲା । ପରେ ବିଶ୍ୱଜିତ୍‌ ଆଣିଥିବା ଏସିଡ୍‌ ଲିଙ୍ଗରାଜଙ୍କ ଉପରକୁ ଫୋପାଡି ଦେଇଥିଲେ । ଲିଙ୍ଗରାଜଙ୍କୁ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ତାଙ୍କ ଏତଲା ପ୍ରକାରେ ବୈଦ୍ୟନାଥପୁର ଥାନାରେ ମାମଲା ରୁଜୁ ହୋଇଛି । ବିଶ୍ୱଜିତ୍‌ ନନ୍ଦଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଜାମିନ୍‌ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.