ଶରଜିଲ ଇମାମଙ୍କ ବିରୋଧରେ ଚାଲିବ ଦେଶଦ୍ରୋହ ମାମଲା; ସିଏଏ ଆନ୍ଦୋଳନ ସମୟରେ ଦେଇଥିଲେ ଉତ୍ତେଜନାମୂଳକ ଭାଷଣ

Published By : Prameya-News7 Bureau | January 24, 2022 IST

ନୂଆଦିଲ୍ଲୀ ୨୪/୦୧ : ନାଗରିକତା ସଂଶୋଧନ ଅଧିନିୟମ (ସିଏଏ) ବିରୋଧରେ ଅଲିଗଡ଼ ମୁସଲିମ ବିଶ୍ଵ ବିଦ୍ୟାଳୟ ଓ ଦିଲ୍ଲୀର ଜାମିଆ ଅଞ୍ଚଳରେ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେବା ଅଭିଯୋଗରେ ଦିଲ୍ଲୀର ଏକ ଅଦାଲତ କାର୍ଯ୍ୟକର୍ତ୍ତା ଶରଜିଲ ଇମାମଙ୍କ ବିରୋଧରେ ସୋମବାର ଦେଶଦ୍ରୋହ ଅଭିଯୋଗ ଦାୟର କରିଛନ୍ତି। ୨୦୧୯ ଡିସେମ୍ବର ୧୩ ରେ ଜାମିଆ ମିଲିଆ ଇସ୍ଲାମିଆ ଓ ୨୦୨୦ ଜାନୁଆରୀ ୧୬ ରେ ଅଲିଗଡ଼ ମୁସଲିମ ବିଶ୍ବବିଦ୍ୟାଳୟରେ ଉତ୍ତେଜନାମୂଳଖ ଭାଷଣ ଦେଇଥିବାରୁ ତାଙ୍କୁ ଗିରଫ କରାଯାଇଥିଲା। ସେ ୨୦୨୦ ଜାନୁଆରୀ ୨୮ ତାରିଖରୁ ବିଚାର ବିଭାଗୀୟ ହେପାଜତରେ ଅଛନ୍ତି।

ଅତିରିକ୍ତ ସେସନ୍ସ ବିଚାରପତି ଅମିତାଭ ରାୱତ ଶରଜିଲଙ୍କ ବିରୋଧରେ ଅଭିଯୋଗ ନିର୍ଦ୍ଧାରିତ କରିଛନ୍ତି । ଇମାମଙ୍କ ବିରୋଧରେ ଦେଶଦ୍ରୋହ, ଧର୍ମ, ଜାତି, ଜନ୍ମସ୍ଥାନ, ଆଧାରରେ ବିଭିନ୍ନ ସମୁଦାୟ ମଧ୍ୟରେ ଶତ୍ରୁତା ବଢ଼ାଇବା, ରାଷ୍ଟ୍ରୀୟ ଏକତାରେ କ୍ଷତି ପହଞ୍ଚାଇବା ଅଭିଯୋଗ ଏବଂ ଭାରତୀୟ ଦଣ୍ଡ ସଂହିତା ଆଧାରରେ ବେଆଇନ ଗତିବିଧି ଏବଂ କାର୍ଯ୍ୟକଳାପରେ ସାମିଲ ହେବାର ଅଭିଯୋଗ ଲଗାଯାଇଛି ।

ଏହି ମାମଲାରେ ଦିଲ୍ଲୀ ପୋଲିସ ଇମାମଙ୍କ ବିରୋଧରେ ଚାର୍ଜସିଟ ଦାୟର କରିଥିଲା। ଏଥିରେ ଉଲ୍ଲେଖ ରହିଥିଲା ଯେ, ଇମାମ ଉଦ୍ଦେଶ୍ୟମୂଳକ ଭାବେ  କେନ୍ଦ୍ର ସରକାରଙ୍କ ବିରୋଧରେ ଘୃଣା, ଅବମାନନା ଓ ଅସନ୍ତୋଷ ମାହୋଲ ସୃଷ୍ଟି କରୁଛନ୍ତି। ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଇ  ଲୋକଙ୍କୁ ଉସୁକାଉଛନ୍ତି। ଇମାମଙ୍କ ଏମିତି ଉତ୍ତେଜନାମୂଳକ ଭାଷଣ କାରଣରୁ ୨୦୧୯  ଡିସେମ୍ବରରେ ହିଂସାକାଣ୍ଡ ହୋଇଥିଲା ବୋଲି ଦିଲ୍ଲୀ ପୋଲିସ ନିଜର ଚାର୍ଜସିଟ୍ରେ ଦର୍ଶାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.