ସାତକୋଶିଆରେ ବାଘୁଣୀ- ସୁନ୍ଦରୀର ଆତଂକ: ପୋଖରୀରୁ ଟାଣିନେଇ ମାରିଦେଲା ମହିଳାଙ୍କୁ

Published By : Prameya-News7 Bureau | September 12, 2018 IST

ଅନୁଗୁଳ ୧୨/୯: ସାତକୋଶିଆ ଅଭୟାରଣ୍ୟର ଟିକରପଡା ପଞ୍ଚାୟତର ହାତୀବାରି ଅଂଚଳରେ ଜଣେ ମହିଳାଙ୍କୁ ସୁନ୍ଦରୀ ବାଘୁଣୀ ମାରିଦେଇଛି। କୈଳାସୀ ସାଏ ନାମ୍ନି ମହିଳା ପୋଖରୀରେ ଗାଧାଉଥିବାବେଳେ ସୁନ୍ଦରୀ ବାଘ ତାଙ୍କୁ ଟାଣି ନେଇ ମାରିଦେଇଥିବା ଜଣାପଡିଛି । ଏହି ଘଟଣାପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖାଦେଇଛି । ସ୍ଥାନୀୟ ଲୋକମାନେ ଟିକରପଡା ବିଟ ହାଉସରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପୋଲିସ ଓ ବନବିଭାଗୀୟ ଅଧିକାରୀମାନେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ବସୂଚନା ଯୋଗ୍ୟ ଯେ, ବ୍ୟାଘ୍ରବଂଶ ବୃଦ୍ଧି ଉଦ୍ଦେଶ୍ୟରେ ସାତକୋଶିଆ ଅଭୟାରଣ୍ୟକୁ ଗତ ଜୁନ ୬ତାରିଖରେ ମଧ୍ୟ ପ୍ରଦେଶର କାହ୍ନା ଅଭୟାରଣ୍ୟରୁ ଗୋଟିଏ ପୁରୁଷ ମହାବଳ ବାଘ ଅଣାଯାଇଥିଲା । ଏହି ପୁରୁଷ ମହାବଳ ପାଇଁ ପୁଣି ଜୁନ ୨୮ ତାରିଖରେ ମଧ୍ୟ ପ୍ରଦେଶର ବନ୍ଦଭାଗ୍ରା ଜାତୀୟ ପ୍ରାଣୀ ଉଦ୍ୟାନରୁ ବାଘୁଣୀ ସୁନ୍ଦରୀକୁ ଅଣାଯାଇ ସାତକୋଶିଆରେ ଛଡାଯାଇଥିଲା । ତେବେ ସୁନ୍ଦରୀ ସାତକୋଶିଆର ପରିବେଶ ସହ ନିଜକୁ ଖାପ ଖୁଆଇପାରୁନଥିଲା । ନିଜ ପାଇଁ ଖାଦ୍ୟ ସଂଗ୍ରହ କରିପାରୁନଥିଲା । ସେଥିପାଇଁ ସେ ପ୍ରାୟ ସମୟରେ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ଜନବସତି ପାଖାପାଖି ଅଂଚଳରେ ହିଁ ଘୂରିବୁଲୁଥିଲା । ସ୍ଥାନୀୟ ଲୋକମାନେ ସୁନ୍ଦରୀକୁ ବାରଂବାର ଦେଖି ଆତଂକିତ ହୋଇ ରହୁଥିଲେ । ଏପରିକି କିଛଦିନ ତଳେ ସୁନ୍ଦରୀ ଗୋଟେ ବାଛୁରୀକୁ ମଧ୍ୟ ମାରିଥିଲା । ଏଥିରେ ସ୍ଥାନୀୟ ଲୋକମାନେ ଆତଂକିତ ହୋଇ କିଛି ପଦକ୍ଷେପ ନେବା ପାଇଁ ବନ ବିଭାଗ ନିକଟରେ ଦାବି କରିଥିଲେ । କିନ୍ତୁ ବନ ବିଭାଗ କୌଣସି ପଦକ୍ଷେପ ନେଇନଥିଲା । ଫଳରେ ବାଘୁଣୀ ସୁନ୍ଦରୀ ଏବେ ମଣିଷ ମାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.