ଆଇପିଏଲ୍‌ର ଅପରିଚିତ ପ୍ଲେୟର୍‌, ରାତାରାତି ହେଉଛନ୍ତି ପ୍ରସିଦ୍ଧ ଖେଳାଳୀ

Published By : Prameya-News7 Bureau | April 25, 2024 IST

ନୂଆଦିଲ୍ଲୀ ୨୫।୦୪: ଅଜଣା, ଅପରିଚିତ ରାତା ରାତି ଷ୍ଟାର୍‌ ପ୍ଲେୟର୍‌ । ଖେଳିବାକୁ ସୁଯୋଗ ଦେଉଛି ଇଣ୍ଡିଆନ୍‌ ପ୍ରିମିୟର୍ ଲିଗ୍ । ଆଇପିଏଲ୍‌ରେ ନବାଗତଙ୍କ କ୍ରେଜ୍‌ । କେବଳ ଭାରତୀୟ ନୁହଁନ୍ତି ବିଦେଶୀ ମଧ୍ୟ ଆଇପିଏଲ୍‌ରେ ଚମକୁଛନ୍ତି । ଚଳିତ ସିଜିନ୍‌ରେ ଦମ୍‌ଦାର୍‌ ପ୍ରଦର୍ଶନ କରୁଛନ୍ତି ଯୁବ ପ୍ଲେୟର । 

ରାଜସ୍ଥାନ ରୟାଲ୍ସର ରିୟାନ୍‌ ପରାଗ । ୨୦୨୨ରେ ରିୟାନ୍‌ଙ୍କୁ ୩.୮କୋଟିରେ କିଣିଥିଲା ରାଜସ୍ଥାନ । ୨୨ ଓ ୨୩ ସିଜନରେ ଭଲ ପ୍ରଦର୍ଶନ କରିପାରିନଥିଲେ ପରାଗ । କିନ୍ତୁ ତାଙ୍କ ଉପରେ ଭରସା ରଖିଥିଲା ଟିମ୍‌ । କିନ୍ତୁ ଚଳିତ ସିଜିନ୍‌ରେ ଭିନ୍ନ ପରାଗଙ୍କୁ ଦେଖିବାକୁ ମିଳୁଛି । ବର୍ତ୍ତମାନ ସେ ରୟାଲ୍ସ ବ୍ୟାଟିଂ ବିଭାର ମଧ୍ୟକ୍ରମ ବ୍ୟାଟର । ୪ନଂରେ ବ୍ୟାଟିଂ କରି ଲଗାଉଛନ୍ତି ଗୋଟିଏ ପରେ ଗୋଟିଏ ଅର୍ଦ୍ଧଶତକ । ଏହାରି ମଧ୍ୟରେ ସେ ୨୦ଟି ଛକା ମାରି ସାରିଲେଣି । ଅରେଞ୍ଜ  କ୍ୟାପ୍‌ ଦୌଡରେ ମଧ୍ୟ ସାମିଲ ହୋଇଛନ୍ତି ।  

ଲକ୍ଷ୍ନୌ ସୁପରଜାଏଣ୍ଟସ୍‌ର ଯୁବ ପେସ୍‌ ବୋଲର ମୟଙ୍କ ଯାଦବ । ଦିଲ୍ଲୀର ଏହି ଘାତକ ପ୍ଲେୟରଙ୍କ ଉପରେ ସମଗ୍ର ବିଶ୍ୱର ନଜର । ଘଣ୍ଟାପ୍ରତି ୧୫୦ କିମିରୁ ଅଧିକ ବେଗରେ ବୋଲିଂ କରିବାର ରଖିଛନ୍ତି କ୍ଷମତା । ମୟଙ୍କ ପଞ୍ଜାବ କିଙ୍ଗ୍‌ସ ବିପକ୍ଷରେ ପଦାର୍ପଣ କରି ୩ଟି ୱିକେଟ୍‌ ନେଇ ହୋଇଥିଲେ ପ୍ଲେୟାର ଅଫ ଦ ମ୍ୟାଚ୍‌ । ଏହାପରେ ସେ ଆର୍‌ସିବି ବିପକ୍ଷରେ ୩ଟି ୱିକେଟ୍‌ ନେଇ ଖେଳାଇଥିଲେ ଆତଙ୍କ । ଗ୍ଲେନ ମ୍ୟାକ୍ସୱେଲ୍‌ ଓ କାମେରନ ଗ୍ରୀନଙ୍କ ଭଳି ବ୍ୟାଟର ମଧ୍ୟ ତାଙ୍କ ପେସ୍‌ ବୋଲିଂରେ ହୋଇଥିଲେ ଭୟଭୀତ । 

ପଞ୍ଜାବ କିଙ୍ଗ୍‌ସର ଅପରିଚିତ ଖେଳାଳି ଆଶୁତୋଷ  ଶର୍ମା । ଡେଥ୍‌ ଓଭରରେ କରନ୍ତି ବିସ୍ଫୋରକ ବ୍ୟାଟିଂ ।  ଶଶାଙ୍କଙ୍କ   ସହ ତାଙ୍କ ଯୋଡି ବିପକ୍ଷ ଟିମ୍‌ ପାଇଁ ପାଲଟୁଛି ଚିନ୍ତାର କାରଣ । ଟାଇଟନ୍ସ ବିପକ୍ଷରେ ଆଶୁତୋଷ-ଶଶାଙ୍କ ଯୋଡି ୨୭ ବଲ୍‌ରୁ ୬୬ ରନ୍‌ କରି ଦଳକୁ ଜିତାଇଥିଲେ । ଆଶୁତୋଷ ୧୭ଟି ବଲ୍‌ରୁ ୩୧ ରନ୍‌ କରିଥିଲେ । ସେହିପରି ସନରାଇଜର୍ସ ବିପକ୍ଷରେ ଉଭୟ ୨୨ଟି ବଲ୍‌ରୁ ୪୭ ରନ୍‌ର ଭାଗିଦାରୀ ଗଢିଥିଲେ । ଏଥିରେ ଆଶୁତୋଷ ୧୫ଟି ବଲ୍‌ରେ ଅପରାଜିତ ୩୩ ରନ୍‌ କରିଥିଲେ । ରାଜସ୍ଥାନ ରୟାଲ୍ସ ମ୍ୟାଚ୍‌ରେ ଟିମ୍‌ ସଂଘର୍ଷ କରୁଥିବାବେଳେ ଆଶୁତୋଷ ୧୬ଟି ବଲ୍‌ରୁ ୨୧  ରନ୍‌ କରି ଦଳୀୟ ସ୍କୋରକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ ।

ଶଶାଙ୍କ ସିଂହ । ଭୁଲ୍‌ ବଶତଃ ପଞ୍ଜାବ କିଙ୍ଗ୍‌ସ ତାଙ୍କୁ କିଣିଥିଲା । କିନ୍ତୁ ପ୍ରଥମ ସୁଯୋଗରେ ଶଶାଙ୍କ ଦେଖିଇଛନ୍ତି ନିଜର ଦମ୍‌ଦାର୍‌ ଫର୍ମ । ଗୁଜରାଟ ବିପକ୍ଷରେ ୨୦୦ ରନ୍‌ର ପିଛା କରୁଥିବା ପଞ୍ଜାବ ୧୧୧ ଅଟକିଯାଇଥିଲା । ଏହି ସମୟରେ ୫ମରେ ବ୍ୟାଟିଂ କରିବାକୁ ଆସିଥିବା ଶଶାଙ୍କ ଖେଳିଥିଲେ ଧୂଆଁଧାର ଇନିଂସ । ମାତ୍ର ୨୯ଟି ବଲ୍‌ରୁ ଅପରାଜିତ ୬୪ ରନ୍‌ ସଂଗ୍ରହ କରି ଟିମ୍‌କୁ କରାଇଥିଲେ ବିଜୟୀ । ତାଙ୍କର ଏହି ଇନିଂସ ସାଜିଥିଲା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ। ପରବର୍ତ୍ତୀ ସନରାଇଜର୍ସ ବିପକ୍ଷ ମ୍ୟାଚ୍‌ରେ ଦମ୍‌ଦାର ଇନିଂସ ଖେଳିଥିଲେ ହେଁ ବିଜୟରୁ ଅଳ୍ପକେ ହୋଇଥିଲେ ବଞ୍ଚିତ ।

୨୦୧୯ରୁ ହାଇଦ୍ରାବାଦ ଟିମ୍‌ର ସଦସ୍ୟ ଅଭିଷେକ୍‌ । କିନ୍ତୁ ଚଳିତଥରର ତାଙ୍କ ପ୍ରଦର୍ଶନ ସମସ୍ତଙ୍କୁ କରିଛି ଆବାକ୍‌ । ବିସ୍ଫୋରକ ବ୍ୟାଟିଂରେ ବୋଲରଙ୍କ ହଜାଇଛନ୍ତି ନିଦ । ଆଇପିଏଲ୍‌ରେ ତାଙ୍କ ଷ୍ଟ୍ରାଇକ ରେଟ୍‌ ରହିଛି ୧୯୭.୧୯ । ପାୱର ପ୍ଲେରେ ଷ୍ଟ୍ରାଇକ ରେଟ୍‌ ୨୦୦ ଅତିକ୍ରମ କରୁଛି । ଗତ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ  ମ୍ୟାଚ୍‌ରେ ସେ ମାତ୍ର ୨୩ଟି ବଲ୍‌ରୁ ୬୩ରନ୍‌ରେ ୩ଚୌକା, ୭ଛକା ମାରିଥିଲେ । ଏହାପରେ ଗୁଜରାଟ ବିପକ୍ଷରେ ୨୦ଟି ବଲ୍‌ରୁ  ୨୯, ଚେନ୍ନାଇ ବିପକ୍ଷରେ ୧୨ଟି ବଲ୍‌ରୁ ୩୭, ଆରସିବି ବିପକ୍ଷରେ ୨୨ଟି ବଲ୍‌ରୁ ସଂଗ୍ରହ କରିଛନ୍ତି ୩୪  ରନ୍‌ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.