ଭାରତରେ ବିଶ୍ବର ୧୭% ଲୋକଙ୍କୁ ମାତ୍ର ୪% ଜଳ, ୨୦୫୦ ସୁଦ୍ଧା ଦେଶରେ ଜଳସଂକଟ ଆଶଙ୍କା

Published By : Prameya-News7 Bureau | April 23, 2024 IST

ନୂଆଦିଲ୍ଲୀ, ୨୩/୪: ବିଶ୍ୱର ଜନବହୁଳ ଦେଶରେ ଦେଖାଯିବ ଜଳସଙ୍କଟ । ଭାରତରେ ଉତ୍କଟ ଜଳ ସମସ୍ୟା ଗମ୍ଭୀର ରୂପ ନେବ । ଦେଶର କୃଷି କ୍ଷେତ୍ରରେ ଜଳଯୋଗାଣ ବ୍ୟବସ୍ଥା ସମ୍ପର୍କିତ  ଏକ ରିପୋର୍ଟ ଅନୁସାରେ, ୨୦୫୦ ସୁଦ୍ଧା ୫୦ ପ୍ରତିଶତରୁ ଅଧିକ ଜିଲ୍ଲାରେ ଭୟଙ୍କର ଜଳସଙ୍କଟ ଦେଖାଯିବ ।   ଡିସିଏମ୍‌ ଶ୍ରୀରାମ ଏବଂ ସତ୍ୱ ନଲେଜ୍‌ର ଏକ ଗବେଷଣା ରିପୋର୍ଟରୁ ଜଣାପଡ଼ିଛି, ୨୦୫୦ ସୁଦ୍ଧା ଦେଶରେ ପ୍ରତି  ବ୍ୟକ୍ତିଙ୍କ ଜଳ ଆବଶ୍ୟକତା ୩୦% ବଢ଼ିବାର ସମ୍ଭାବନା ରହିଛି । କିନ୍ତୁ ଦେଶର ଜନସଂଖ୍ୟା ବୃଦ୍ଧି ଏବଂ ସମ୍ବଳ ହ୍ରାସ ଯୋଗୁ ପ୍ରତ୍ୟେକ ବ୍ୟକ୍ତିଙ୍କ ପିଛା ଜଳର ଉପଲବ୍ଧତା ୧୫%  କମିପାରେ । ପାଣିର ଆବଶ୍ୟକତା ବୃଦ୍ଧି ଏବଂ ଯୋଗାଣ ହ୍ରାସ  ଯୋଗୁ ଏହି ସନ୍ତୁଳନ ବିଗିଡ଼ିପାରେ । ଏଥିଯୋଗୁ ଦେଶର  ୫୦% ଜିଲ୍ଲା ଭୟଙ୍କର ଜଳସଙ୍କଟର ସାମ୍‌ନା କରିବେ । 

ରିପୋର୍ଟରେ କୁହାଯାଇଛି, ଦେଶରେ ଜଳ ସଙ୍କଟ ପଛରେ କୃଷି କ୍ଷେତ୍ର ସବୁଠୁ ବଡ଼ କାରଣ । କୃଷି ପ୍ରଧାନ ଦେଶ   ହୋଇଥିବାରୁ ମୋଟ୍ ଜଳର ୮୦ରୁ ୯୦% ଭାଗ ଚାଷରେ   ବ୍ୟବହାର ହେଉଛି । ଏଥିସହ ଘରୋଇ ଏବଂ ଶିଳ୍ପ କ୍ଷେତ୍ରରେ  ଜଳର ପ୍ରୟୋଗ ମଧ୍ୟ ବଢ଼ୁଛି । ଏହି ଟ୍ରେଣ୍ଡ୍‌ ୨୦୨୫ରୁ ୨୦୫୦ ପର୍ଯ୍ୟନ୍ତ ଜାରି ରହିବ । ଭାରତର ମୋଟ ଫସଲ ଉତ୍ପାଦନର ୯୦% ହେଉଛି ୩ ଫସଲ ଯଥା:- ଧାନ, ଆଖୁ ଏବଂ ଗହମ । ଦେଶର ଅଧିକାଂଶ ଚାଷୀ ସର୍‌ଫେସ୍‌ ଇରିଗେସନ ବା ପୃଷ୍ଠଭୂମି  ଜଳସେଚନ କରିଥା’ନ୍ତି । ଏଥିରେ ଜଳ ଉପଯୋଗ ଦକ୍ଷତା ୩୫% ହୋଇଥାଏ । ଯଦି ଜଳସେଚନକୁ ପୂର୍ଣ୍ଣ ଦକ୍ଷତାର ସହ ବ୍ୟବହାର କରାଯାଏ ତେବେ ଏଥିରେ ୨୦% ଜଳ ସଂରକ୍ଷିତ  ହୋଇପାରିବ ବୋଲି ରିପୋର୍ଟରେ ପରାମର୍ଶ ଦିଆଯାଇଛି ।  

ଆଡ୍‌ଭାନ୍ସ ୱାର ଏଫିସିଏନ୍ସି ଇନ୍‌ ଇଣ୍ଡିଆନ୍‌ ଏଗ୍ରିକଲ୍‌ଚର ରିପୋର୍ଟ  ଅନୁସାରେ, ଭାରତରେ ଦୁନିଆର ୧୭% ଜନସଂଖ୍ୟା ବାସ କରନ୍ତି । କିନ୍ତୁ ଆମ ଦେଶରେ ବିଶ୍ବରେ ଥିବା ପାଣିର ମାତ୍ର ୪% ହିଁ ରହିଛି । ପ୍ରତି ବ୍ୟକ୍ତିଙ୍କ ପାଇଁ ଜଳ ଉପଲବ୍ଧତାକୁ ମାପୁଥିବା ଫ୍ଲେଙ୍କେନ୍‌ମାର୍କ ଇଣ୍ଡେକ୍ସ ଅନୁସାରେ, ପ୍ରତ୍ୟେକ ବ୍ୟକ୍ତିଙ୍କ ପିଛା ୧,୭୦୦ କ୍ୟୁବିକ୍‌ ମିଟରରୁ କମ୍‌ ଜଳ ଥିବା ସ୍ଥାନକୁ ଜଳସଙ୍କଟ ଗ୍ରସ୍ତ ବୋଲି ବିବେଚନା କରାଯାଏ । ଏହି ସୂଚକାଙ୍କ ମୁତାବକ,   ୭୬% ଭାରତୀୟଙ୍କ ପାଖରେ ଏବେ ବି ପର୍ଯ୍ୟାପ୍ତ ପାଣି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.