ଟେସଲା ସିଇଓ ଏଲନ୍ ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ, ପିଏମ୍ ମୋଦୀଙ୍କୁ ଭେଟିବାର ଥିଲା କାର୍ଯ୍ୟକ୍ରମ

Published By : Prameya-News7 Bureau | April 20, 2024 IST

ନୂଆଦିଲ୍ଲୀ: ଟେସଲା ମାଲିକ ଏଲନ୍ ମସ୍କଙ୍କ ଭାରତ ଗସ୍ତକୁ ନେଇ ସବୁଠି ଚର୍ଚ୍ଚା ହୋଇଥିଲା । କିନ୍ତୁ ଏହାରି ଭିତରେ ଖବର ଆସୁଛି ଯେ ମସ୍କଙ୍କ ଭାରତ ଗସ୍ତରେ ବିଳମ୍ୱ ହୋଇପାରେ । ବର୍ତ୍ତମାନ ପାଇଁ ମସ୍କ ନିଜର ଭାରତ ଗସ୍ତକୁ ସ୍ଥଗିତ କରିଛନ୍ତି । ସେ ଏକ୍ସରେ ଲେଖିଛନ୍ତି ଯେ ଟେସଲାର କାମ ଦାୟିତ୍ୱ ଯୋଗୁ ତାଙ୍କ ଭରତ ଗସ୍ତ ବିଳମ୍ୱ ହେଉଛି । କିନ୍ତୁ ସେ ଚଳିତ ବର୍ଷ ଶେଷ ସୁଦ୍ଧା ଭାରତ ଆସିବା ପାଇଁ ବହୁତ ଇଚ୍ଛୁକ ଅଛନ୍ତି । ବ୍ଲୁମବର୍ଗର ରିପୋର୍ଟ ଅନୁସାରେ, ଏହା ପୂର୍ବରୁ ଖବର ଥିଲା ଯେ ମସ୍କ ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସିବେ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବେ ।

ଟେସଲା ଇଙ୍କ ନିକଟ ଅତୀତରେ ବଡ଼ ଧରଣର ଛଟେଇ କରିଥିଲା । କର୍ମଚାରୀଙ୍କ ଛଟେଇ ପରେ ମସ୍କଙ୍କ ଭାରତ ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଥିଲା । ଅନ୍ୟପଟେ ଦେଶରେ ଲୋକସଭା ନିର୍ବାଚନ ମଧ୍ୟରେ ଚାଲିଥିବା ରାଲି କାରଣରୁ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ବ୍ୟସ୍ତ ଅଛନ୍ତି । ମସ୍କଙ୍କ ପିଏମ୍ ମୋଦୀଙ୍କ ସହ ବୈଠକ ଆସନ୍ତା ସପ୍ତାହ ଆରମ୍ଭରେ ହେବାର ଥିଲା । କିନ୍ତୁ ଏବେ ତାଙ୍କର ଭାରତ ଗସ୍ତ ସ୍ଥଗିତ ହୋଇଛି । 

ଉଲ୍ଲେଖଯୋଗ୍ୟ ଯେ ଦୁଇ ସପ୍ତାହ ପୂର୍ବେ ମସ୍କ ନିଜେ ଏକ୍ସରେ ପୋଷ୍ଟ କରି ଭାରତ ଆସିବା ନେଇ ସୂଚନା ଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ବୈଠକ କରିବା ପରେ ମସ୍କ ଭାରତୀୟ ବଜାରକୁ ନେଇ ଅନେକ ବଡ଼ ଘୋଷଣା କରିବେ ବୋଲି ଅନୁମାନ କରାଯାଉଥିଲା । ମସ୍କଙ୍କ ଗସ୍ତରେ ଭାରତରେ ଟେସଲା ପ୍ଲାଣ୍ଟ ସ୍ଥାପନର ସମ୍ଭବାନା ବଢିଥିଲା । ଅନେକ ରିପୋର୍ଟରେ ଦାବି କରାଯାଉଥିଲା ଯେ ମସ୍କ ଭାରତରେ ପ୍ଲାଣ୍ଟ ଲଗାଇବା ପାଇଁ ୩ ବିଲିୟନ ଡଲାର ନିବେଶ କରିପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.