କିଛି ସମୟ ପରେ BCCI ବୈଠକ: ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ସିରିଜ୍‌ ପାଇଁ ଘୋଷଣା ହେବ ଭାରତୀୟ ଦଳ, ଟେଷ୍ଟ ଅଧିନାୟକ ପାଇଁ ହେବ ଆଲୋଚନା

Published By : Prameya-News7 Bureau | January 26, 2022 IST

ନୂଆଦିଲ୍ଲୀ ୨୬/୦୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ଏବଂ ଦିନିକିଆ ସିରିଜ୍‌ ହାରିବା ପରେ ଆଗାମୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍‌ ଜିତି ଚଳିତ ବର୍ଷର ପ୍ରଥମ ସିରିଜ୍‌ ବିଜୟ ଲକ୍ଷ୍ୟରେ ରହିଛି ଟିମ୍‌ ଇଣ୍ଡିଆ । ଆସନ୍ତା ଫେବୃଆରୀ ୬ରୁ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ଟିକିଆ ଦିନିକିଆ ଏବଂ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ ଖେଳାଯିବ । ବୁଧବାର ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷଣା କରିପାରେ ବିସିସିଆଇ ।

ମିଳିଥିବା ସୂଚନା ଅନୁସାରେ, ଆଜି ମୁମ୍ବାଇରେ ଭାରତୀୟ କ୍ରିକେଟ୍‌ ବୋର୍ଡର ବରିଷ୍ଠ ଅଧିକାରୀଙ୍କ ବୈଠକ ଅନୁଷ୍ଠିତ ହେବ । ବଡ କଥା ହେଉଛି ବୈଠକରେ, ଭାରତୀୟ ଦଳର ଆଗାମୀ ଟେଷ୍ଟ ଅଧିନାୟକ ଚେହେରା କିଏ ହେବ ସେ ନେଇ ଆଲୋଚନା ହେବ । ଏହା ସହି ଆଇପିଏଲ ପାଇଁ ଖେଳାଳି ନିଲାମୀ, ଭେନ୍ୟୁ ଏବଂ ମିଡିଆ ରାଇଟ୍ସକୁ ନେଇ ମଧ୍ୟ ଆଲୋଚନା ହୋଇପାରେ । ବୈଠକ ପରେ ପରେ  ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହେବା ନେଇ ଆଶଙ୍କା କରାଯାଉଛି ।

ତେବେ ସବୁଠାରୁ ବଡ କଥା ହେଉଛି ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆ ଏବଂ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ ପାଇଁ ଦଳକୁ ଫେରିପାରନ୍ତି ନୂଆ ଅଧିନାୟକ ରୋହିତ ଶର୍ମା । କାରଣ ସେ ଏବେ ପୁରାପୁରି ଭାବେ ଫିଟ୍‌ । ଫିଟ୍‌ନେସ୍‌ ଟେଷ୍ଟ ମଧ୍ୟ ପାସ୍‌ କରିଛନ୍ତି ହିଟ୍‌ ମ୍ୟାନ୍‌ । ସେ ବର୍ତ୍ତମାନ ବେଙ୍ଗାଲୁରୁ ସ୍ଥିତ ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀରେ ଅଭ୍ୟାସ କରୁଛନ୍ତି । ଆହତ କାରଣରୁ ସେ ପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଏବଂ ଦିନିକିଆ ସିରିଜ୍‌ରେ ଦଳରେ ସାମିଲ ହୋଇପାରିନଥିଲେ ।

ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ପ୍ରଥମ ଦିନିକିଆ ଫେବୃଆରୀ ୬ ତାରିଖ, ୯ରେ ଦ୍ବିତୀୟ ଏବଂ ୧୨ ତାରିଖରେ ତୃତୀୟ ଦିନିକିଆ ଖେଳାଯିବ। କୋଭିଡ୍‌ କାରଣରୁ ବିନା ଦର୍ଶକରେ ମ୍ୟାଚ୍‌ ଖେଳାଯିବା ସହ ସମସ୍ତ ମ୍ୟାଚ୍‌ ଅହମଦାବାଦରେ ହିଁ ଖେଳାଯିବ । ସେହିଭଳି ୩ଟି ଯାକ ଟ୍ବେଣ୍ଟି ଟ୍ବେଣ୍ଟି କୋଲକାତାରେ ଖେଳାଯିବ । ପ୍ରଥମ ଟି-ଟ୍ବେଣ୍ଟି ଫେବୃଆରୀ ୧୫ ତାରିଖରେ ଖେଳାଯିବାକୁ ଥିବା ବେଳେ, ଦ୍ବିତୀୟ ମ୍ୟାଚ୍‌ ଫେବୃଆରୀ ୧୮ ଏବଂ ତୃତୀୟ ତଥା ଅନ୍ତିମ ଟ୍ବେଣ୍ଟି ଟ୍ବେଣ୍ଟି ଫେବୃଆରୀ ୨୦ ତାରିଖରେ ଖେଳାଯିବ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.