ବଢ଼ୁଛି ତପସ୍ୱିନୀ-ସୁମିତ୍‌ ଆତ୍ମୀୟତା : ଛାଡିବେ ଅତିଥି ଭବନ, ଖୋଜିଲେଣି ଭଡ଼ାଘର..

Published By : Prameya-News7 Bureau | December 09, 2021 IST

ବ୍ରହ୍ମପୁର ୦୯।୧୨: ଆସିକା ଚିନିଶିଳ୍ପ ଅତିଥି ଭବନରେ ରହୁଛନ୍ତି ତପସ୍ୱିନୀ ଦାଶ ଓ ଡା. ସୁମିତ ସାହୁ । ସେଠାରେ ସପ୍ତାହେ ରହିବା ପରେ ଏବେ ଖୋଜୁଛନ୍ତି ସ୍ୱତନ୍ତ୍ର ଘର। କୋର୍ଟ ନିର୍ଦ୍ଦେଶରେ ଗତ ୨ ତାରିଖରୁ ଏହି ଦମ୍ପତି ଏକାଠି ରହିଛନ୍ତି । ସ୍ୱାମୀଙ୍କ ସହ ରହିବା ପାଇଁ ଦୀର୍ଘ ୧୧ଦିନ ବ୍ରହ୍ମପୁର ବ୍ରହ୍ମାନଗର ଶ୍ୱଶୁର ଘର ଆଗରେ ଧାରଣା ଦେଇଥିଲେ । ଏହାପରେ କୋର୍ଟଙ୍କ ନିର୍ଦ୍ଦେଶରେ ଉଭୟଙ୍କୁ ଗୋଟିଏ କୋଠରିରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ସେମାନେ ୭ଦିନ ହେଲା କେମିତି ରହୁଛନ୍ତି ଏବଂ ସେମାନଙ୍କ ସୁରକ୍ଷା କେମିତି ରହିଥିଲା ସମସ୍ତ ରିପୋର୍ଟ ୯ତାରିଖରେ ଆସିକା ଥାନା ପୁଲିସ ବ୍ରହ୍ମପୁର ଏସ୍‌ଡିଜେଏମ୍‌ କୋର୍ଟରେ ଦେବ । ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ମଧ୍ୟ ୭ଦିନର ରିପୋର୍ଟରେ କୋର୍ଟରେ ଦେବାକୁ ନିର୍ଦ୍ଦେଶ ହୋଇଛି ବୋଲି ତପସ୍ୱିନୀଙ୍କ ଓକିଲ ରଞ୍ଜନ ଉପାଧ୍ୟାୟ କହିଛନ୍ତି ।

ତେବେ ସୁମିତ୍‌ ଓ ତପସ୍ୱିନୀ ଏକାଠି ରହିବା ପରେ ସେମାନଙ୍କ ଭିତରେ ସୁସମ୍ପର୍କ ବଢ଼ୁଥିବା ଦେଖିବାକୁ ମିଳିଛି । ପ୍ରଥମେ ଦିନେ ଦୁଇ ଦିନ କିଛିଟା ଦୂରତା ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସେମାନେ ଏକାଠି ବୁଲିବା ସହ ପୁଲିସ ସହ ମିଶି ଘର ଖୋଜିଛନ୍ତି । ମଙ୍ଗଳବାର ପୁଲିସ ସହ ସ୍ୱାମୀ-ସ୍ତ୍ରୀ ଦୁହେଁ ଆସିକା ସହରରେ ବୁଲି ବୁଲି ଭଡ଼ା ଘର ଖୋଜିଥିଲେ । ପୂର୍ବରୁ ପୁଲିସ କିଛି ଘର ଦେଖି ରଖିଥିଲା । ସେହି ସବୁ ଘର ଦେଖିବା ପରେ କେଉଁଠି ରହିବେ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ । ଘର ଦେଖିବା ସମୟରେ ସେମାନେ କିଛି ଜାଗାରେ କିଛି ସାମଗ୍ରୀ କିଣାକିଣି କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

ସୂଚନାଯୋଗ୍ୟ ଯେ, ତପସ୍ୱିନୀ ଦୀର୍ଘ ୧୦ଦିନ ଧରି ତାଙ୍କ ଶ୍ୱଶୁର ଘର ବ୍ରହ୍ମପୁର ବ୍ରହ୍ମାନଗରରେ ଦିନରାତି ଧାରଣାରେ ବସି ରହିଥିଲେ । ତାଙ୍କ ଓକିଲ ପ୍ରଥମେ ତାଙ୍କୁ ଶ୍ୱଶୁର ଘରେ ଏବଂ ସ୍ୱାମୀଙ୍କ ସାଙ୍ଗରେ ରହିବାକୁ ଅନ୍ତରୀଣ ଆଦେଶ କରିବାକୁ ପିଟିସନ୍‌ କରିଥିଲେ । ଏସ୍‌ଡିଜେଏମ୍‌ ପିଟିସନ୍‌କୁ ଗ୍ରହଣ କରି ତପସ୍ୱିନୀ ଓ ତାଙ୍କ ସ୍ୱାମୀ ଗୋଟିଏ ଛାତ ତଳେ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଡାକ୍ତର ସୁମିତ ବାଲିସିରା ସ୍ୱାସ୍ଥ୍ୟ କେନ୍ଦ୍ରରେ କାମ କରୁଥିବାରୁ ଆସିକାରେ ଘର ଭଡ଼ା ନେଇ ରହିବାକୁ ଏକ ଅନ୍ତରୀଣ ଆଦେଶ କରିଥିଲେ କୋର୍ଟ । କିନ୍ତୁ ତପସ୍ୱିନୀଙ୍କ ପକ୍ଷରୁ ଆଉ ଏକ ପିଟିସନ୍‌ ହୋଇଥିଲା । ସେ ସବୁଦିନ ପାଇଁ ତାଙ୍କ ଶ୍ୱଶୁର ଘରେ ରହିବାକୁ ଚାହୁଁଥିବା କୋର୍ଟକୁ ଜଣାଇଥିଲେ । ଏହି ପିଟିସନ୍‌ରେ ତାଙ୍କ ସ୍ୱାମୀଙ୍କୁ କାଉଣ୍ଟର ଦେବାକୁ କୋର୍ଟ ଆଦେଶ ରହିଥିବା କହିଛନ୍ତି ତପସ୍ୱିନୀଙ୍କ ଓକିଲ ରଞ୍ଜନ ଉପାଧ୍ୟାୟ । ପୁଲିସ, ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ଏବଂ ସୁମିତ୍‌ଙ୍କ ପକ୍ଷରୁ କାଉଣ୍ଟର ପିଟିସନ୍‌ ପରେ କୋର୍ଟ କ’ଣ ଆଦେଶ ଦେବେ ଗୁରୁବାର ଜଣାପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.