ନିର୍ବାଚନରେ ‘ମାଗଣା’ ପ୍ରତିଶ୍ରୁତିକୁ ନେଇ ସୁପ୍ରିମକୋର୍ଟ କଠୋର, ECI ଓ କେନ୍ଦ୍ର ସରକାରଙ୍କୁ ଜାରିକଲେ ନୋଟିସ୍

Published By : Prameya-News7 Bureau | January 25, 2022 IST

ନୂଆଦିଲ୍ଲୀ ୨୫।୧: ନିର୍ବାଚନରେ ରାଜନୈତିକ ଦଳ ଭୋଟ ପାଇଁ ଲୋକଙ୍କୁ ଦେଉଥିବା ଲୋଭନୀୟ ପ୍ରତିଶ୍ରୁତିକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ମାମଲାରେ ଭାରତ ସରକାର ଓ ଇଲେକ୍ସନ କମିଶନ ଇଣ୍ଡିଆ (ଇସିଆଇ)ଙ୍କୁ ନୋଟିସ ଜାରି କରି ଥିବା ବେଳେ ଜବାବ ତଲବ କରିଛନ୍ତି। ନିର୍ବାଚନ ସମୟରେ ଭୋଟରଙ୍କୁ ଲୋଭାଇବା ଲାଗି ରାଜନୈତିକ ଦଳ ଉପହାର ବାଣ୍ଟିବା ଓ ଅଯୌକ୍ତିକ ପ୍ରତିଶ୍ରୁତି ଦେବାକୁ ନେଇ ଅଶ୍ୱିନୀ ଉପାଧ୍ୟୟଙ୍କ ପକ୍ଷରୁ ଆଗତ ପିଟିସନର ଶୁଣାଣି କରି କୋର୍ଟ ଏହି ନୋଟିସ୍ ଜାରି କରିଥିବା ବେଳେ ୪ ସପ୍ତାହ ମଧ୍ୟରେ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଶୁଣାଣି କାଳରେ କୋର୍ଟ ଏହା ନିର୍ବାଚନକୁ ପ୍ରଭାବିତ କରୁଥିବା ଏକ ଜଟିଳ ପ୍ରସଙ୍ଗ ବୋଲି ସ୍ୱୀକାର କରିଛନ୍ତି। ତେବେ ମାମଲାରେ କୋର୍ଟଙ୍କ ପରିସର ସୀମିତ ବୋଲି କହିଛନ୍ତି। ଏ ନେଇ ଆମେ ନିର୍ବାଚନ କମିଶନଙ୍କୁ ଏକ ଗାଇଡଲାଇନ ପ୍ରସ୍ତୁତ କରିବାକୁ କହିଥିଲୁ, ହେଲେ ସେ ଏକ ବୈଠକ କରି ତାଙ୍କ କାମ ସାରିଦେଇଛନ୍ତି। ଏହି ବୈଠକରେ କଣ ନିଷ୍ପତ୍ତି  ହୋଇଇଛି  ତାହାବି ଇସିଆଇ ଜଣାଇ ନଥିବା  କୋର୍ଟ କହିଛନ୍ତି। ତେବେ ଗତ ସପ୍ତାହରେ ଏ ନେଇ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଯେଉଁଥିରେ ଏପରି ପ୍ରତିଶ୍ରୁତି ଦେଉଥିବା ରାଜନେତା ଓ ଦଳଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

{"id":579175,"sizeSlug":"full","linkDestination":"none"}

ଏ ନେଇ ଆଗତ ପିଟିସନରେ ରାଜନୈତିକ ଲାଭ ନେବା ପାଇଁ ସରକାରୀ ପାଣ୍ଠିରୁ ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଲୋଭେଇବା ଲାଗି ଦିଆଯାଉଥିବା ମାଗଣା ଉପହାର ଓ ଏ ବାବଦେ ପ୍ରତିଶ୍ରୁତି ନିରପେକ୍ଷ  ନିର୍ବାଚନର ବିରୋଧୀ ବୋଲି କୁହାଯାଇଛି।  ଏଭଳି ପ୍ରତିଶ୍ରୁତି ଓ ପଦକ୍ଷେପ ଭୋଟରଙ୍କୁ ପ୍ରଭାବିତ କରିଥାଏ। ଫଳରେ ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟା ପ୍ରଦୂଷିତ ହେଉଛି। ଆବେଦନକାରୀଙ୍କ ଅନୁସାରେ ରାଜନୈତିକ ଦଳମାନେ ଏପରି କରିବା ଯୋଗୁ ନିର୍ବାଚନ ମୈଦାନରେ ସମାନ ଅବସରର ସିଦ୍ଧାନ୍ତ ପ୍ରଭାବିତ ହେଉଛି।

ଏଣୁ ସୁପ୍ରିମକୋର୍ଟ ନୋଟିସ୍ ଜାରି କରି ଜନତାଙ୍କ ପଇସାରେ ମାଗଣା ସାମଗ୍ରୀ ଓ ସୁବିଧା ଦେବା ଲାଗି ପ୍ରତିଶ୍ରୁତି ଦେଉଥିବା ରାଜନୈତିକ ପାର୍ଟିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଗାଇଡଲାଇନ ଜାରି କରିବାକୁ ନିବେଦନ କରାଯାଇଛି। ସୁପ୍ରିମକୋର୍ଟଙ୍କ ନୋଟିସ୍ ଅନୁସାରେ ନିର୍ବାଚନ କାଳରେ ଯେଉଁ ରାଜନୈତିକ ଦଳମାନେ ସରକାରୀ ଅର୍ଥରେ ମାଗଣା ଘୋଷଣା କରୁଛନ୍ତି ସେମାନଙ୍କ ବିରୋଧରେ ଗାଇଡଲାଇନ ପ୍ରସ୍ତୁତ ହେବ। ଏଥିରେ ଆବଶ୍ୟକ ପଡିଲେ ଏପରି ରାଜନୈତିକ ଦଳଙ୍କ ପଞ୍ଜିକରଣ ରଦ୍ଦ ସହ ନିର୍ବାଚନ ଚିହ୍ନ ମଧ୍ୟ ଜବତ ହୋଇପାରେ ବୋଲି ଏବେ ଆକଳନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.