ସାନିଟାରୀ ନାପ୍‌କିନ୍‌ ବର୍ଜ୍ୟବସ୍ତୁ ନିଷ୍କାସନ ପାଇଁ ଅତିରିକ୍ତ ଶୁଳ୍କ କାହିଁକି ? କେରଳ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ସମାଲୋଚନା

Published By : Prameya-News7 Bureau | May 07, 2024 IST

ନୂଆଦିଲ୍ଲୀ,୦୭/୦୫: ସାନିଟାରୀ ନାପକିନ୍ ବର୍ଜ୍ୟବସ୍ତୁକୁ ନେଇ କେରଳ ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ । ସାନିଟାରୀ ବର୍ଜ୍ୟବସ୍ତୁ ନିଷ୍କାସନ ପାଇଁ କାହିଁକି ଅତିରିକ୍ତ ଶୁଳ୍କ ନେଉଛ ବୋଲି ପ୍ରଶ୍ନ କରିଥିଲେ । ଗୋଟିଏ ପଟେ ମହିଳାଙ୍କ ମାସିକ ଧର୍ମ ସ୍ୱଚ୍ଛତା ଅଭିଯାନ ପାଇଁ ମାଗଣା ସାନିଟାରୀ ନାପକିନ୍ ଯୋଗାଇ ଦିଆଯାଉଛି ଏବଂ ଅନ୍ୟ ପଟେ ସରକାର ଏହାର ବର୍ଜ୍ୟବସ୍ତୁ ନିଷ୍କାସନ ବାହାନରେ ଟଙ୍କା ପାଇଁ ଟଙ୍କା ନେଉଛନ୍ତି । ଏହାକୁ କୋର୍ଟ ଦୁଃଖ ପ୍ରକାଶ କରିବା ସହିତ ଏହି ମାମଲାରେ କୋର୍ଟ ସରକାରଙ୍କଠାରୁ ଉତ୍ତର ମାଗିଛନ୍ତି ।

ସୁପ୍ରିମକୋର୍ଟ ଇନ୍ଦୁ ବର୍ମାଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନର ଶୁଣାଣି କରିଥିଲେ। ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ କେ.ଭି ବିଶ୍ୱନାଥନଙ୍କ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ପଚାରି‌ଥିଲେ ଯେ, “ଗୋଟିଏ ପଟେ ସ୍କୁଲ ଏବଂ ଅନ୍ୟାନ୍ୟ ଅନୁଷ୍ଠାନରେ ବିନାମୂଲ୍ୟରେ ସାନିଟାରୀ ନାପକିନ୍ ଯୋଗାଇ ଆମେ ଋତୁସ୍ରାବର ସ୍ୱଚ୍ଛତାକୁ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦେଉଥିବା ବେଳେ ଅନ୍ୟପଟେ ରାଜ୍ୟ  ସରକାର ସାନିଟାରୀ ବର୍ଜ୍ୟବସ୍ତୁ ନିଷ୍କାସନ ପାଇଁ ଶୁଳ୍କ ଆଦାୟ କରୁଛି, ଏହା କିପରି ସମ୍ଭବ ? ଏଥିରେ ତୁରନ୍ତ  ଆପଣ ଉତ୍ତର ଦିଅନ୍ତୁ ବୋଲି ସର୍ବୋଚ୍ଚ ଅଦାଲତ କହିଥିଲେ ।

ଅଦାଲତରେ ଆବେଦନ ଉପରେ ଶୁଣାଣି ଚାଲୁଥିବା ବେଳେ ଇନ୍ଦୁ ବର୍ମା ଯୁକ୍ତି ଦର୍ଶାଇ ଥିଲେ ଯେ, 'ଠୋସ୍ ବର୍ଜ୍ୟବସ୍ତୁ ପରିଚାଳନା ନିୟମରେ ଏପରି କୌଣସି ବ୍ୟବସ୍ଥା ନଥିବାବେଳେ ସାନିଟାରୀ ବର୍ଜ୍ୟବସ୍ତୁ ନିଷ୍କାସନ ପାଇଁ ରାଜ୍ୟ କିପରି ଅତିରିକ୍ତ ଟଙ୍କା ଆଦାୟ କରିପାରିବ ? ଘର ଗୁଡ଼ିକରୁ ଅଳିଆ ସଂଗ୍ରହ ପାଇଁ ସରକାରଙ୍କ ଦ୍ବାରା ନିଯୁକ୍ତ ଏଜେନ୍ସି ଗୁଡିକ ଲୋକଙ୍କୁ ସାନିଟାରୀ ନାପକିନ୍, ଶିଶୁ ଏବଂ ବୟସ୍କ ଡାଇପର ପାଇଁ ଅତିରିକ୍ତ ଚାର୍ଜ ପକାଉଛନ୍ତି। " ତମାମ ମାମଲାରେ କୋର୍ଟ ରାଜ୍ୟ ସରକାରଙ୍କୁ ଜବାବ ମାଗିଛନ୍ତି ।

  • Supreme Court
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.