ତିହାର ଜେଲ୍‌ରେ ପୁଣି ବିରୋଧ ପ୍ରଦର୍ଶନ କଲା ମହାଠକ ସୁକେଶ ଚନ୍ଦ୍ରଶେଖର, ଏବେ ରଖିଲା ଏମିତି ଦାବି

Published By : Prameya-News7 Bureau | May 21, 2022 IST

ନୂଆଦିଲ୍ଲୀ ୨୧।୫: ଦିଲ୍ଲୀ ତିହାର ଜେଲ୍‌ରେ ବନ୍ଦୀ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ଜେଲ୍‌ରେ ପୁଣି ଥରେ ବିରୋଧ ପ୍ରଦର୍ଶନ ଆରମ୍ଭ କରିଛି । ଏଥର ସୁକେଶ ଜେଲ୍ ପ୍ରଶାସନ ସମ୍ମୁଖରେ ନୂଆ ଦାବି ରଖିଛି । ସୁକେଶ ଜେଲ୍ ପ୍ରଶାସନକୁ କହିଛି ଯେ, ତା ଓ୍ବାର୍ଡରେ ଟେଲିଭିଜନର ବ୍ୟବସ୍ଥା କରାଯାଉ । ଫଳରେ ସେ ଦେଶ-ଦୁନିଆର ଖବର ଜାଣିପାରିବ।

ଟେଲିଭିଜନର ବନ୍ଦୋବସ୍ତ ନହେବାରୁ ସେ ଏବଂ ତା ସହ ଅନ୍ୟ ଦୁଇ ଜଣ କଏଦୀ ବିରୋଧ ଆରମ୍ଭ କରିଦେଇଛନ୍ତି । ଜେଲ୍ ପ୍ରଶାସନ କିନ୍ତୁ ତାଙ୍କ ଦାବିକୁ ଖାରଜ କରିଦେଇଛି । ଜେଲ୍ ପରିସରରେ କୌଣସି ବିରୋଧ ହେଉନଥିବା ଜେଲ୍ ପ୍ରଶାସନ କହିଛି । ଜେଲ୍ ପ୍ରଶାସନ ସୁକେଶଙ୍କ ଦାବିକୁ ନେଇ କହିଛି ଯେ, ଟେଲିଭିଜନ ସୁବିଧା ସେହି କଏଦୀମାନଙ୍କ ପାଇଁ ଉପଲବ୍ଧ ଅଛି ଯେଉଁମାନଙ୍କର ଜେଲ୍‌ରେ ଆଚରଣ ଭଲ ରହିଛି । ସୁକେଶର ଆଚରଣ ଜେଲ୍‌ରେ ଭଲ ନାହିଁ । ସେଥିପାଇଁ ତାକୁ ଏହି ସୁବିଧା ଉପଲବ୍ଧ କରାଯାଇ ପାରିବ ନାହିଁ ।

ଉଲ୍ଲେଖଯୋଗ୍ୟ ଯେ, ସୁକେଶ କିଛି ଦିନ ପୂର୍ବେ ଜେଲ୍ ପ୍ରଶାସନ ନିକଟରେ ଦାବି କରିଥିଲା ଯେ ତାକୁ ତାର ପତ୍ନୀ ଲିନା ମାରିଆ ପଲ୍‌ଙ୍କ ସହ ଭେଟିବାକୁ ଅନୁମତି ଦିଆଯାଉ । ଜେଲ୍ ପ୍ରଶାସନ ଏହା କହି ତାର ଦାବିକୁ ନାମଞ୍ଜୁର କରିଦେଇଥିଲା ଯେ ମାସକୁ ଦୁଇରୁ ଅଧିକ ଥର ସାକ୍ଷାତ ମଞ୍ଜୁରୀ ଦିଆଯାଇ ପାରିବନାହିଁ । ଏହାପରେ ସୁକେଶ ଆମରଣ ଅନଶନ ଆରମ୍ଭ କରିଦେଇଥିଲା ।

ସୂଚନାଯୋଗ୍ୟ ଯେ, ସୁକେଶ ଚନ୍ଦ୍ରଶେଖର ଜଣେ ମହାଠକ । ଦିଲ୍ଲୀ ପୋଲିସ ତା ବିରୋଧରେ ଅପରାଧ ଷଡଯନ୍ତ୍ର, ଠକେଇ ଏବଂ ପ୍ରାୟ ୨୦୦ କୋଟି ଟଙ୍କା ହଡପ ଅଭିଯୋଗର ଯାଞ୍ଚ କରୁଛି । ସୁକେଶ ଜେଲ୍ ଅଧିକାରୀ ଏବଂ ବାହାରର କିଛି ସହଯୋଗୀଙ୍କ ସହ ମିଶି ଠକେଇ ଏବଂ ଚୋରାଚାଲାଣ ର୍ୟାକେଟ୍ ଚଳାଉଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.