ବ୍ରାଭୋ-ରାୟଡୁ ଫିଟ୍, ଏବେ ସିଏସକେ ଫୁଲ୍ ଦମ୍‌ରେ ପଡିଆକୁ ଓହ୍ଲାଇବ, ସନରାଇଜର୍ସ ପାଇଁ ବଡ ଚ୍ୟାଲେଞ୍ଜ୍

Published By : Prameya-News7 Bureau | October 02, 2020 IST

ଦୁବାଇ, ୦୨|୧୦:  ଆଇପିଏଲ ୨୦୨୦ରେ ଶୁକ୍ରବାର ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ୍ ଓ ସନରାଇଜର୍ସ ହାଇଦ୍ରାବାଦ । ବ୍ୟାଟିଂ ବିପଳତା ହେତୁ ଗତ ମ୍ୟାଚରେ ପରାସ୍ତ ହୋଇଥିବା ଚେନ୍ନାଇ ଆଜି ଅମ୍ବତି ରାୟଡୁ ଓ ଡ୍ରେନ୍ ବ୍ରାଭୋଙ୍କୁ ଓହ୍ଲାଇବ । ଏବେ ଉଭୟ ବ୍ରାଭୋ ଓ ରାୟଡୁ ଫିଟ୍ ହୋଇସାରିଛନ୍ତି । ଦୁବାଇରେ ଏହି ମ୍ୟାଚ୍ ଭାରତୀୟ ସମୟାନୁସାରେ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ ।

ଚେନ୍ନାଇ ଆଇପିଏଲର ଉଦଘାଟନୀ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିଥିଲା । ଏହି ମ୍ୟାଚରେ ଚେନ୍ନାଇ ବିଜୟ ହେବା ସହ ନିଜର ଅଭିଯାନ ଆରମ୍ଭ କରିଥିଲା । କିନ୍ତୁ ଏହି ମ୍ୟାଚରେ ଅମ୍ବତି ରାୟଡୁ ଆହତ ହୋଇ ପରବର୍ତ୍ତୀ ଦୁଇଟି ମ୍ୟାଚରେ ଦଳରୁ ବାଦ୍ ପଡିଥିଲେ । ସେହିପରି ବ୍ରାଭୋ ମଧ୍ୟ କାରବିଆନ ପ୍ରିମିୟର ଲିଗରେ ଆହତ ହୋଇଥିଲେ । ଏବେ ଉଭୟ ଖେଳାଳି ଫିଟ୍ ଅଛନ୍ତି ବୋଲି ଦଳ ପକ୍ଷରୁ କୁହାଯାଇଛି ।

ରେକର୍ଡକୁ ଲକ୍ଷ୍ୟ କଲେ ଉଭୟ ଚେନ୍ନାଇ ଓ ହାଇଦ୍ରାବାଦ ୧୨ ଥର ମୁହାଁମୁହିଁ ହୋଇଛନ୍ତି । ତେବେ ଚେନ୍ନାଇ ୯ ଓ ହାଇଦ୍ରାବାଦ ୩ଟି ମ୍ୟାଚ୍ ଜିତିଛି ।

ଉଭୟ ଚେନ୍ନାଇ ଓ ସନରାଇଜର୍ସକୁ ଆଇପିଏଲ ଆରମ୍ଭରୁ ସନ୍ତୁଳିତ ଦଳ ବୋଲି କୁହାଯାଉଛି । କିନ୍ତୁ ଉଭୟ ଦଳ ନିଜର ପ୍ରଥମ ତିନୋଟି ମ୍ୟାଚରୁ ଦୁଇଟିରେ ପରାସ୍ତ ହୋଇଛନ୍ତି । ଏହାର ମୁଖ୍ୟ କାରଣ ଦଳର ମଧ୍ୟକ୍ରମ ବ୍ୟାଟସମ୍ୟାନଙ୍କ ବିଫଳତା । ଆଜି ଖେଳାଯିବାକୁ ଥିବା ମ୍ୟଚରେ ମୁରଲି ବିଜୟଙ୍କ ସ୍ଥାନରେ ଅମ୍ବତି ରାୟଡୁଙ୍କୁ ସ୍ଥାନ ମିଳିପାରେ । ସେହିପରି ବ୍ରାଭୋଙ୍କୁ ସ୍ୟାମ୍ କୁରେନଙ୍କ ସ୍ଥାନରେ ଦଳ ଖେଳାଇପାରେ । ଏପରି ହେଲେ ଶେନ୍ ଓ୍ୱାଟସନ୍ କିମ୍ବା ଜୋଶ୍ ହେଜଲବୁଡଙ୍କୁ ବାହାରେ ବସିବାକୁ ପଡିପାରେ ।

ତେବେ ହାଇଦ୍ରାବଦକୁ ମଧ୍ୟକ୍ରମରେ ବିଗ୍ ହିଟରର୍ ଆବଶ୍ୟକତା ରହିଛି । କାରଣ ବେୟରେଷ୍ଟୋ, ଓ୍ୱାର୍ଣ୍ଣର ଓ ଓ୍ୱିଲିୟମସନ୍ ବିଫଳ ହେଲେ ଦଳ ପାଇଁ ଅଡୁଆ ବଢିଯାଉଛି । ପ୍ରିୟମ ବର୍ଗ ଓ ଅଭିଷେକ ଶର୍ମାଙ୍କୁ ଅଧିକ ଭଲ ଖେଳପ୍ରଦର୍ଶନ କରିବାକୁ ପଡିବ । ସେହିପରି ପିଚ୍ ଓ ଟସ୍ ମଧ୍ୟ ଗୁରୁତ୍ୱ ବହନ କରିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.