ବାତ୍ୟା 'ଜଓ୍ୱାଦ୍‌' ନେଇ ସତର୍କ କରାଇଲେ SRC: ୪ ଜିଲ୍ଲାରେ ପ୍ରବଳ ବର୍ଷା, ପବନ ବହିବା ସମୟରେ ଘରୁ ବାହାରନ୍ତୁ ନାହିଁ...

Published By : Prameya-News7 Bureau | December 04, 2021 IST

ଭୁବନେଶ୍ୱର ୦୪।୧୨: ବାତ୍ୟା ଜଓ୍ୱାଦ୍‌କୁ ନେଇ ଆସିଛି ତାଜା ଚିତ୍ର । ରବିବାର ମଧ୍ୟାହ୍ନ ବେଳକୁ ପୁରୀ ଉପକୂଳ ଛୁଇଁବ । ପୁରୀରେ ପହଞ୍ଚିଲା ବେଳକୁ ବାତ୍ୟା ଅବପାତରେ ପରିଣତ ହେବ । ବାତ୍ୟାର ତିବ୍ରତା ହ୍ରାସ ପାଉଛି । ଘଣ୍ଟାକୁ ୬କିମି ବେଗରେ ଗତି କରୁଛି ବାତ୍ୟା । ଏବେ ବାତ୍ୟା ବିଶାଖାପାଟନମ ଠାରୁ ୨୧୦ କିମି, ଗୋପାଳପୁର ଠାରୁ ୩୨୦ କିମି, ପୁରୀଠାରୁ ୩୯୦କିମି, ପାରାଦୀପ ଠାରୁ ୪୭୦ କିମି ଦୂରରେ ରହିଛି ବୋଲି ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରେସମିଟ୍‌ ଜରିଆରେ ସୂଚନା ଦେଇଛନ୍ତି ।  

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ମଧ୍ୟରାତ୍ରରୁ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ  ରିକ୍ରଭିଂ କରିବ ବାତ୍ୟା । ବାତ୍ୟାର ତୀବ୍ରତା ହ୍ରାସ ପାଉଛି। ପୁରୀରେ ପହଞ୍ଚିଲା ବେଳକୁ ଅବପାତରେ ପରିଣତ ହେବ । ଏହାର ପ୍ରଭାବରେ ଘଣ୍ଟାକୁ ୬୦ ରୁ ୭୦ କିମି ପବନ ରହିବ । ସ୍ଥଳଭାଗରେ ପଶି ସମୁଦ୍ରକୁ ଚାଲିଯିବ ବାତ୍ୟା ଜଓ୍ୱାଦ୍‌ । ଏହାପରେ ପଶ୍ଚିମବଙ୍ଗ ଦେଇ ବଙ୍ଗଳାଦେଶ ଆଡକୁ ଯିବ ବାତ୍ୟା । ରିକର୍ଭ କରି ବେଗ କମିବ ।  କିନ୍ତୁ ଗଞ୍ଜାମ, ପୁରୀ, ଜଗତସିଂହପୁର, ଖୋର୍ଦ୍ଧାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଭୁବନେଶ୍ୱରରେ ୨୦୦ ମିମି ବର୍ଷା ହୋଇପାରେ ।

ସେହିପରି ଏହି ବାତ୍ୟାର ପ୍ରଭାବରେ ଭିତ୍ତି ଭୂମି କ୍ଷତି ହେବାର ସମ୍ଭାବନା କମ୍ । ଫସଲ ନଷ୍ଟ ହେବ । ଧାନ ପବନରେ ଶୋଇଯିବ । ଚାଷ ଅଧିକ କ୍ଷତି ହେବ । ପନିପରିବା କ୍ଷତି ହେବ । ରବିବାର ସଂଧ୍ୟା ସୁଦ୍ଧା ଓଡିଶା ଉପକୂଳ ଅତିକ୍ରମ କରିବ । ରାତି ସୁଦ୍ଧା ପ୍ରଭାବ କମିଯିବ । ବର୍ଷାକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ । ଜୁଆରର ଉଚ୍ଚତା ମାତ୍ର ଦେଢ଼ ଫୁଟରୁ ୨ ଫୁଟ ବଢିବ । ଏନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ସ୍ଵାଭାବିକ ଠାରୁ ଅଧା ମିଟର ଅଧିକ ଉଚ୍ଚର ଜୁଆର ଆସିବ ।

ସେପଟେ ବାତ୍ୟା ନେଇ ଏବେ ଯାଏଁ ୧୫୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ୩୦୦ ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଛି। ଓଡ୍ରାଫ, ଏନଡିଆରଫ ମୁତୟନ ହୋଇଛନ୍ତି ।  ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ କଚ୍ଚା ଘର ଛାଡିବା ପାଇଁ କୁହାଯାଉଛି । ଗଛ ଭାଙ୍ଗିବା ସମ୍ଭାବନା ଅଛି । ତେଣୁ ପବନ ବୋହିବା ସମୟରେ କେହି ଘରୁ ବାହାରନ୍ତୁ ନାହିଁ।  ଘର ପାଖ କୋଠା ଘରରେ ରୁହନ୍ତୁ । ବାତ୍ୟା ସରିବା ପରେ ଚାଷ ଜନିତ କ୍ଷତିକୁ ପ୍ରାଥମିକତା ଭିତ୍ତିରେ ୭ ଦିନ ଭିତରେ ଆକଳନ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.