ଡସେନ ଓ ବାଭୁମାଙ୍କ ଦମଦାର ଶତକ, ଭାରତକୁ ୨୯୭ ରନ ଟାର୍ଗେଟ୍ ଦେଲା ଦ.ଆଫ୍ରିକା

Published By : Prameya-News7 Bureau | January 19, 2022 IST

ପାର୍ଲ ୧୯।୦୧: ଅଧିନାୟକ ତେମ୍ବା ବାଭୁମାଙ୍କ ଶତକ ଏବଂ ରସି ଭାନ ଡର ଡସେନଙ୍କ ଅପରାଜିତ ଦ୍ରୁତ ଶତକ ବଳରେ  ପାର୍ଲର ବୋଲାଣ୍ଡ ପାର୍କରେ ବୁଧବାର ଖେଳାଯାଉଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୪ ଓ୍ଵିକେଟ୍ ହରାଇ ୨୯୬ ରନ କରିଛି। ଭାରତ ସମ୍ମୁଖରେ ୨୯୭ ରନର ବିଜୟ ଲକ୍ଷ୍ୟ ରହିଛି। ଅଧିନାୟକ ତେମ୍ବା ବାଭୁମା ୧୧୦ ଏବଂ ଡସେନଙ୍କ ଅପରାଜିତ ୧୨୯ ରନର ଆକର୍ଷଣୀୟ ଶତକୀୟ ଇନିଂସ ବଳରେ ଦକ୍ଷିଣ ଆଫ୍ରିକା ଏହି ସ୍କୋର କରିଛି। ଦୁଇ ବ୍ୟାଟସମ୍ୟାନ ଚତୁର୍ଥ ଓ୍ଵିକେଟ୍ ପାଇଁ ଦ୍ଵିଶତକୀୟ ଭାଗିଦାରୀ ଯୋଡିଛନ୍ତି। ଦୁଇ ବ୍ୟାଟସମ୍ୟାନଙ୍କ ସାମ୍ନାରେ ଭାରତୀୟ ବୋଲର ପ୍ରଭାବହୀନ ରହିଛନ୍ତି। ଏହା ପୂର୍ବରୁ ଟସ୍ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା।

ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକାର ଆରମ୍ଭ ଭଲ ନଥିଲା। ୧୯ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା। ଜାନେମନ ମଲାନ(୬)ଙ୍କୁ ଆଉଟ୍ କରି ବୁମରା ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଦଳୀୟ ସ୍କୋର ୫୮ ରନରେ କ୍ଵିଣ୍ଟନ ଡିକକ୍‌(୨୭)ଙ୍କ ରୂପେ ଘରୋଇ ଦଳକୁ ଦ୍ଵିତୀୟ ଝଟକା ଲାଗିଥିଲା।  ଆଡନ ମାରକ୍ରମ(୪) ରନ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ୬୮ ରନରେ ୩ଟି ଓ୍ଵିକେଟ୍ ହରାଇ ସଙ୍କଟରେ ଥିବା ଦକ୍ଷିଣ ଆଫ୍ରିକାର ଇନିଂସ ସମ୍ଭାଳିଥିଲେ ଅଧିନାୟକ ତେମ୍ବା ବାଭୁମା ଏବଂ ରସି ଭାନଡର ଡସେନ।

ଦୁଇ ବ୍ୟାଟସମ୍ୟାନ ଧୈର୍ଯ୍ୟର ସହ ବ୍ୟାଟିଂ କରି ଇନିଂସକୁ ଆଗକୁ ବଢାଇଥିଲେ। ବାଭୁମା ଏବଂ ଡସେନ ଚମତ୍କାର ବ୍ୟାଟିଂ କରି ଭାରତୀୟ ବୋଲରଙ୍କୁ ନିରାଶ କରିଥିଲେ। ସେଟ୍ ହେବା ପରେ ଆକର୍ଷୀୟ ସଟ୍ ଖେଳୀ ଦକ୍ଷିଣ ଆଫ୍ରିକାର ସ୍କୋରକୁ ୨୦୦ ପାର୍ କରାଇଥିଲେ। ଏହି କ୍ରମରେ ବାଭୁମା ଏବଂ ଡସେନ ଦିନିକିଆରେ ଦ୍ଵିତୀୟ ଶତକ  ଅର୍ଜନ କରିଥିଲେ। ଏହି ଯୋଡିକୁ ଭାଙ୍ଗିବାକୁ ଭାରତୀୟ ବୋଲରଙ୍କୁ ନାକେଦମ ହେବାକୁ ପଡିଛି। ୪୯ ତମ ଓଭରରେ ବାଭୁମା ବୁମରାଙ୍କ ବଲ୍‌ରେ କ୍ୟାଚ୍ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ସେ ୧୪୩ ବଲ୍‌ରୁ ୮ ଚୌକା ସହ ୧୧୦ ରନ କରିଥିଲେ। ଏହା ପୂର୍ବରୁ ଦୁଇ ବ୍ୟାଟସମ୍ୟାନ ଚତୁର୍ଥ ଓ୍ଵିକେଟ୍ ପାଇଁ ୨୦୪ ରନ ଯୋଡିଥିଲେ। ଏହା ଚତୁର୍ଥ ଓ୍ଵିକେଟ୍ ପାଇଁ ଦ୍ଵିତୀୟ ସର୍ବାଧିକ ରନ। ତେବେ ଶେଷ ଆଡକୁ ଭାରତୀୟ ବୋଲର ଦକ୍ଷିଣ ଆଫ୍ରିକାର ରନ ଗତି ଉପରେ ଅଙ୍କୁଶ ଲଗାଇଥିଲେ। ବଡ ସଟ୍ ଖେଳିବାକୁ ସୁଯୋଗ ଦେଇନଥିଲେ ଭାରତୀୟ ବୋଲର। ଫଳରେ ହାତରେ ୬ ଓ୍ଵିକେଟ୍ ଥାଇ ବି ଦକ୍ଷିଣ ଆଫ୍ରିକା ୩୦୦ ରନ କରିବାକୁ ସକ୍ଷମ ହୋଇନାହିଁ। ଡସେନ ୯୬ ବଲ୍‌ ୯ ଚୌକା ୪ ଛକା ସହ ୧୨୯ ରନର ଦ୍ରୁତ ଅପରାଜିତ ଇନିଂସ ଖେଳିଛନ୍ତି। ଶେଷ ଓଭରରେ ୧୭ ରନ ହେବାରୁ ଦକ୍ଷିଣ ଆଫ୍ରିକା ୪ ଓ୍ଵିକେଟ୍ ହରାଇ ୨୯୬ ରନ କରି ପାରିଛି।

ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୪୮ ରନ ଦେଇ ୨ଟି ଏବଂ ଅଶ୍ଵିନ ୫୩ ରନ ଦେଇ ୧ ଓ୍ଵିକେଟ୍ ନେଇଛନ୍ତି। ଦଳ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ସବୁଠୁ ମହଙ୍ଗା ସାବ୍ୟସ୍ତ ହୋଇ  ୧୦ ଓଭରରେ ୭୨ ରନ ଦେଇଛନ୍ତି। ୟୁଜବେନ୍ଦ୍ର ଚହଲ ୫୩ ରନ ଦେଇଥିଲେ ହେଁ କୌଣସି ସଫଳତା ପାଇ ନାହାନ୍ତି। ଭୁବନେଶ୍ଵର କୁମାର ୬୪ ରନ ଦେଇ ଗୋଟିଏ ହେଲେ ଓ୍ଵିକେଟ୍ ନେଇ ପାରି ନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.