'ଉଠ ବାପା, ମୁଁ ଡାକ୍ତରୀ ପାଠ ପଢି ଆସିଛି', କୋକେଇ ଉପରେ ଶୋଇଥିବା ବାପାର ଛାତିରେ ଷ୍ଟେଥୋ ରଖି କାନ୍ଦି ପକାଇଲା ପୁଅ

Published By : Prameya-News7 Bureau | December 25, 2020 IST

ଗୁଣପୁର,୨୫/୧୨: ପାଖରେ ଶୋଇଛି ବାପା । କିନ୍ତୁ ଜୀବନ ନାହିଁ । ବାପା ଶବ ହୋଇଯାଇଛି । ତେବେ ମୃତ ବାପାଙ୍କ ଶବ ଉପରେ ପଡ଼ିଲା ଡାକ୍ତରୀ ପଢୁଥିବା ପୁଅର ପ୍ରଥମ ଷ୍ଟେଥୋ ।ଇଚ୍ଛା ଥିଲା  ପୁଅକୁ ଡାକ୍ତର କରାଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ସେବା କରାଇବା। କିନ୍ତୁ  ହଠାତ୍‌ ହୃଦ୍‌ଘାତରେ ବାପା ଚାଲିଗଲେ ଆରପାରିକୁ । ଆଉ କଟକରେ ଡାକ୍ତରୀ ପଢୁଥିବା ପୁଅ ଘରେ ପହଞ୍ଚି ଦୁଃଖରେ କାନ୍ଦି କାନ୍ଦି କହିଥିଲା- ବାପା ଉଠ! ମୁଁ ଡାକ୍ତରୀ ପଢ଼ି ଆସିଛି । ତୁମର ଚିକିତ୍ସା କରିବି । ଏମିତି କହି ଡାକ୍ତରୀ ପୁଅ କୋକେଇରେ ଶୋଇଥିବା ବାପାର ଛାତି ଉପରେ ନିଜ ଷ୍ଟେଥୋ ପକାଇଥିଲେ । ଏପରି ଏକ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଗୁଡ଼ିଆବନ୍ଧ ଗ୍ରାମରେ ।

ସୂଚନାନୁସାରେ, ଗତ ୧୮ ତାରିଖରେ ହଠାତ୍‌ ହୃଦଘାତରେ ଗୁଡ଼ିଆବନ୍ଧ ଗ୍ରାମରେ ଲାଡ଼ି ସୋମେଶ୍ୱର ରାଓଙ୍କ ଦେହାନ୍ତ ହୋଇଥିଲା । ସେ ଜଣେ ଭଲ ଚାଷୀ ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ୍‌ ପରିଚିତ ଥିଲେ । ଏପରକି ଥରେ ଜିଲ୍ଲା ପରିଷଦ ସଭ୍ୟ ଓ ପାଣି ପଞ୍ଚାୟତ ସଭାପତି ରହିଥିଲେ । ତାଙ୍କର ଭଲ ଜନସମ୍ପର୍କ ଥିଲା । ତାଙ୍କ ଚାଲିଚଳନ ଏବଂ କଥା ଭଙ୍ଗୀକୁ ନେଇ ଅଞ୍ଚଳବାସୀ ତାଙ୍କୁ ଡାକ୍ତର ବୋଲି ଡାକୁଥିଲେ । ଏତିପାଇଁ ସେ ପୁଅକୁ ଡାକ୍ତର ପଢ଼ାଇବାର ସ୍ୱପ୍ନ ଦେଖିଥିଲେ ।

ପୁଅ ରାକେଶ କଟକରେ ଡାକ୍ତରୀ ପଢୁଥିଲେ । କିନ୍ତୁ ପୁଅର ପାଠପଢା ସରିବା ପୂର୍ବରୁ ସୋମେଶ୍ୱର ଶେଷ ନିଶ୍ୱାସ ତ୍ୟାଗ କଲେ । ତାଙ୍କର ମୃତ୍ୟୁ ଖବର ପାଇ ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ଖେଳାଇ ଦେଇଥିଲା । ପୁଅ ଆସି ପହଁଚିବା ପରେ ବାପା ଆଉ ନଥିଲା । କିନ୍ତୁ ସେ କୋକେଇରେ ଶୋଇଥିବା ବାପା ଛାତିରେ ଷ୍ଟେଥୋ ରଖି ବାପା ଉଠ ବୋଲି କାନ୍ଦି କାନ୍ଦି କହିଥିଲା । ଏହାପରେ ରାକେଶ ଓ ଗାଁ ଲୋକେ ସୋମେଶ୍ୱରଙ୍କୁ ନେଇ ଶବଦାବ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.