କୋଣାର୍କ : ଦ୍ବିତୀୟ ସୂର୍ଯ୍ୟ ମନ୍ଦିର ବିବାଦର ଘଟିଲା ଅନ୍ତ, ବେଆଇନ ନିର୍ମାଣ ଉଚ୍ଛେଦ

Published By : Prameya-News7 Bureau | January 20, 2022 IST

କୋଣାର୍କ ୨୦।୧: ଦୀର୍ଘ ଦିନ ଧରି ଦ୍ବିତୀୟ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ନେଇ ଲାଗି ରହିଥିବା ବିବାଦର ଅନ୍ତ ଘଟିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଧବାର ସନ୍ଧ୍ୟାରେ ନବୀନ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ଉଚ୍ଛେଦ କରାଯାଇଛି । ଗତ ୧୨ ତାରିଖରେ ଏହି ସ୍ଥାନରେ ୧୪୪ ଧାରା ଜାରି କରାଯାଇଥିଲା । ବୁଧବାର ପ୍ରାୟ ଉଚ୍ଛେଦ କାର୍ଯ୍ୟ ଶେଷ ହୋଇଛି ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀର ମୁକେଶ ଜୈନ ଦ୍ବିତୀୟ ସୂର୍ଯ୍ୟ ମନ୍ଦିର କରିବା ପାଇଁ କୋଣାର୍କ ଚନ୍ଦ୍ରଭାଗା ହାଚେରୀ ନିକଟରେ ବେଆଇନ ଭାବେ ସରକାରୀ ଜମି ଉପରେ ଦୀର୍ଘ ୩ ମାସରୁ ଅଧିକ ହେବ ଭବ୍ୟ ସୂର୍ଯ୍ୟ ମୂର୍ତ୍ତି ସ୍ଥାପନ କରି ପୂଜାର୍ଚ୍ଚନା କରିଥିଲେ । ଏହି ଘଟଣାକୁ କୋଣାର୍କ ସୁରକ୍ଷା ସମିତି ଓ କୋଣାର୍କ ଅଞ୍ଚଳବାସୀ  ଦ୍ବିତୀୟ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ ପାଇଁ ବିରୋଧ କରି ଆସୁଥିଲେ ହେଁ ପୁରୀ ଜିଲ୍ଲା ପ୍ରଶାସନର ନୀରବତାକୁ ନେଇ ପ୍ରଶ୍ନ ଉଠିଥିଲା ।  

ଅନ୍ୟପଟେ ଗତ ପବିତ୍ର ଶାମ୍ବ ଦଶମୀରେ ସୂର୍ଯ୍ୟ ପୂଜା ଅର୍ଚ୍ଚନା ସହ ଭଜନ କୀର୍ତ୍ତନ ଚାଲିଥିବା ସମୟରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଗୋପ ତହସିଲଦାରଙ୍କ ନେତୃତ୍ବରେ କୋଣାର୍କ ଆରଆଇ, କୋଣାର୍କ NAC ଅଧିକାରୀ ଓ ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ପୂଜା ଅର୍ଚ୍ଚନା ବନ୍ଦ କରିବା ସହିତ ୧୪୪ ଧାର ଜାରି କରି ନୋଟିସ ମାରିଥିଲେ । ବୁଧବାର ସନ୍ଧ୍ୟାରେ ଗୋପ ତହସିଲଦାର ସହ NAC କର୍ମଚାରୀ ପହଞ୍ଚି ଉଚ୍ଛେଦ କରିଥିବା ଦେଖିବାକୁ ମିଳିଛି। ଜଙ୍ଗଲ ଜମି ଉପରୁ ଉଠାଯାଇଛି ସୂର୍ଯ୍ୟ ମୂର୍ତ୍ତି ଓ ଗଣେଶ ମୃର୍ତ୍ତି । ଜଙ୍ଗଲ ଜମି ଜବରଦଖଲ କରିଥିବା ସହ ସୂର୍ଯ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବା କୌଣସି ଲୋକ ବିରୋଧ କରିନଥିବାର ସୂଚନା ରହିଛି । ସୂର୍ଯ୍ୟ ମୂର୍ତ୍ତି ସହ ଗଣେଶ ମୂର୍ତ୍ତିକୁ କୋଣାର୍କ ଆରଆଇ ଅଫିସରେ ରଖାଯାଇଛି। ସୂର୍ଯ୍ୟ ମୂର୍ତ୍ତି ସହ ଗଣେଶ ମୂର୍ତ୍ତି କେଉଁଠିକୁ ଯିବ ନା ପୁର୍ନବାର ପୂଜା କରାଯିବ ତାହା ସମୟ ହିଁ କହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.