ସଞ୍ଜୁ-ଚହଲ ଇନ, ରାହୁଲ-ଗିଲ୍ ଆଉଟ୍; ଟି-୨୦ ବିଶ୍ଵକପ୍ ପାଇଁ ଓ୍ଵାସିମ ଜାଫର ବାଛିଲେ ଟିମ୍ ଇଣ୍ଡିଆ

Published By : Prameya-News7 Bureau | April 28, 2024 IST

LatestLy

ନୂଆଦିଲ୍ଲୀ: ଆଇସିସି ପୁରୁଷ ଟି-୨୦ ବିଶ୍ଵକପ୍ ୨୦୨୪କୁ ଆଉ କିଛି ଦିନ ବାକି ରହିଛି। ଜୁନ ୧ରୁ ୨୯ ପର୍ଯ୍ୟନ୍ତ ଆମେରିକା ଓ ଓ୍ଵେଷ୍ଟଇଣ୍ଡିଜରେ ଖେଳାଯିବ ବିଶ୍ଵକପ୍। ଦଳ ଘୋଷଣା କରିବାର ଶେଷ ତାରିଖ ମେ ୧ ତାରିଖ  ରହିଛି। ଭାରତୀୟ ମନୋନୟନକାରୀ ଦଳ ଘୋଷଣା କରିବା ପୂର୍ବରୁ ଭାରତର ଅନେକ ପୂର୍ବତନ ବରିଷ୍ଠ ଖେଳାଳି ନିଜ ପସନ୍ଦର ୧୫ ଜଣିଆ ଭାରତୀୟ ଦଳ ବାଛୁଛନ୍ତି। ଏହି କ୍ରମରେ ପୂର୍ବତନ କ୍ରିକେଟର ଓ୍ଵାସିମ ଜାଫର ନିଜ ପସନ୍ଦର ଭାରତୀୟ ଦଳ ଚୟନ କରିଛନ୍ତି। 

ଜାଫର ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଯଶସ୍ଵୀ ଜୟସ୍ଵାଲ ଓ ରିଙ୍କୁ ସିଂଙ୍କୁ ବ୍ୟାଟର ଭାବେ ନିଜ ଦଳରେ ସ୍ଥାନ ଦେଇଛନ୍ତି। ଅନ୍ୟପଟେ ଋଷଭ ପନ୍ତ ଓ ସଞ୍ଜୁ ସାମସନଙ୍କୁ ଓ୍ଵିକେଟ୍ କିପର ବ୍ୟାଟର ଭାବେ ଚୟନ କରିଛନ୍ତି।  ସଞ୍ଜୁ ଓ ଋଷଭ ପନ୍ତ ଚଳିତ ସଂସ୍କରଣରେ ପ୍ରଭାବଶାଳୀ ପ୍ରଦର୍ଶନ  କରିଛନ୍ତି। ଜାଫର ଅଲରାଉଣ୍ଡର ଭାବେ ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡ଼େଜାଙ୍କୁ ନିଜ ଦଳରେ ସାମିଲ୍ କରିଛନ୍ତି।




ବିଶେଷଜ୍ଞ ସ୍ପିନର ଭାବେ କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କୁ ସ୍ଥାନ ଦେଇଛନ୍ତି। ଓ୍ଵେଷ୍ଟଇଣ୍ଡିଜ ଓ ଆମେରିକାରେ ପିଚ୍ ଧିମା ଥିବାରୁ ଏହି ଦୁଇ ବୋଲର ଭାରତ ପାଇଁ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରି ପାରନ୍ତି। ଦ୍ରୁତ ବୋଲିଂ ଭାବେ ଯଶପ୍ରୀତ ବୁମରା, ଅର୍ଶଦୀପ ସିଂ ଓ ମହମ୍ମଦ ସିରାଜଙ୍କୁ ଜାଫର ସାମିଲ କରିଛନ୍ତି। 

ଟି-୨୦ ବିଶ୍ଵକପ୍ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା(ଅଧିନାୟକ), ଯଶସ୍ଵୀ ଜୟସ୍ଵାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ(ଓ୍ଵିକେଟ୍ କିପର), ସଞ୍ଜୁ ସାମସନ(ଓ୍ଵିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରିଙ୍କୁ ସିଂ, ରବୀନ୍ଦ୍ର ଜାଡ଼େଜା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, ଅର୍ଶଦୀପ ସିଂ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.