ସିଓଲ ୧୮।୦୧: ଦକ୍ଷିଣ କୋରିଆର ଏକ ଅଦାଲତ ସାମସଙ୍ଗ ଇଲେକ୍ଟ୍ରୋନିକ୍ସର ଭାଇସ୍ ଚେୟାରମ୍ୟାନ ଜେ ଓ୍ଵାଇ ଲିଙ୍କୁ ଅଢେଇ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ୫୨ ବର୍ଷୀୟ ଲି ୨୦୧୭ରେ ପୂର୍ବତନ ରାଷ୍ଟ୍ରପତି ପାର୍କ ଗିୟୁନ-ହାୟଙ୍କ ଏକ ସହଯୋଗୀଙ୍କୁ ଲାଞ୍ଚ ଦେବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହା ପରେ ତାଙ୍କୁ ୫ ବର୍ଷ ଜେଲ୍ ଦେଣ୍ଡାଦେଶ ଶୁଣାଯାଇଥିଲା। ହେଲେ ସେ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ। ଅପିଲ୍ କରିବାର ଏକ ବର୍ଷ ପରେ ତାଙ୍କୁ ମୁକ୍ତ କରାଯାଇଥିଲା। ମାତ୍ର ପରେ ସୁପ୍ରିମକୋର୍ଟ ଏହି ମାମଲାକୁ ସିଓଲ ହାଇକୋର୍ଟକୁ ସ୍ଥାନାନ୍ତର କରିଥିଲେ। ମାମଲା ଉପରେ ଶୁଣାଣି କରି ହାଇକୋର୍ଟ ଏହି ରାୟ ଦେଇଛନ୍ତି।
ଅଦାଲତର ଏହି ନିଷ୍ପତ୍ତି ସାମସଙ୍ଗ ଇଲେକ୍ଟ୍ରୋନିକ୍ସ ଉପରେ ପ୍ରଭାବ ପକାଇଛି। ଏବେ ଲି କମ୍ପାନୀର ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତିରେ ଅଂଶ ବିଶେଷ ହୋଇ ପାରିବେ ନାହିଁ। ଏଥିସହ ସେ କମ୍ପାନୀର ଉତ୍ତରାଧିକାରୀ ପ୍ରକ୍ରିୟା ଉପରେ ମଧ୍ୟ ନଜର ରଖି ପାରିବେ ନାହିଁ। ଲିଙ୍କ ପିତାଙ୍କ ନିଧନ ଅକ୍ଟୋବରରେ ହୋଇଥିଲା। ଦକ୍ଷିଣ କୋରିଆ ଆଇନ ଅନୁଯାୟୀ କେବଳ ତିନି ବର୍ଷ କିମ୍ବା ସେଥିରୁ କମ୍ ଜେଲ୍ ଦଣ୍ଡାଦେଶକୁ ନିଲମ୍ବିତ କରାଯାଇ ପାରିବ। ଏଥିରୁ ଅଧିକ ହେଲେ ଜେଲ୍ ଦଣ୍ଡ ଭୋଗିବାକୁ ପଡିବ। ଲି ପୂର୍ବରୁ ଗୋଟିଏ ବର୍ଷ ଜେଲ୍ରେ ରହିଥିଲେ।
ଏହି ନିଷ୍ପତ୍ତି ପରେ ସାମସଙ୍ଗ ଇଲେକ୍ଟ୍ରୋନିକ୍ସର ସେୟାରରେ ୪ ପ୍ରତିଶତ ହ୍ରାସ ଘଟିଛି। ଏହା ବ୍ୟତୀତ ସାମସଙ୍ଗ ସି ଆଣ୍ଡ ଟି, ସାମସଙ୍ଗ ଲାଇଫ ଇନ୍ୟୁରାନ୍ସ ଓ ସାମସଙ୍ଗ ଏସଡିଆଇର ସେୟାରରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି। ସିଓଲ ଉଚ୍ଚ ନ୍ୟାୟାଳୟ ଲିଙ୍କୁ ଲାଞ୍ଚଖୋର, ୮.୬ ଅରବ ଡଲାରର ଅର୍ଥ ହଡପ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି।