ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ

Published By : Prameya-News7 Bureau | January 17, 2022 IST

ଲମତାପୁଟ, ୧୭/୦୧:  ସମିତି ସଭ୍ୟାଙ୍କ ବୋଲେରୋ ଗାଡି ପୋଡ଼ିଦେଲେ ଦୁର୍ବୃତ୍ତ । ଏପରି ଘଟଣା ସାମ୍ନାକୁ ଆସିଛି ଲମତାପୁଟ ବ୍ଲକ୍ ଗୋଡ଼ିହଞ୍ଜର  ପଞ୍ଚାୟତରେ । ପଞ୍ଚାୟତ ସମିତି ସଭ୍ୟା ବୃନ୍ଦା ପଡାଲଙ୍କ ଘରେ ଥିବା ଗାଡିକୁ କେହି ଦୁର୍ବୃତ୍ତ ପୋଡି ଦେଇଥିବା ଜଣାପଡିଛି ।

ରବିବାର ମଧ୍ୟରାତ୍ରିରେ ବୃନ୍ଦା ଦାହନାପୁଟ ସ୍ଥିତ ନିଜ ବାସଭବନରେ ଥିଲେ । ବାସଭବନ ଆଗରେ ରଖା ହୋଇଥିବା ବୋଲେରୋ ଗାଡିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ରାଜନୈତିକ ହିଂସାରୁ ଏପରି କରାଯାଇଥିବା ସନ୍ଦେହ କରାଯାଉଛି ।  

ସମିତି ସଭ୍ୟାଙ୍କ ସ୍ବାମୀ କେଶବ କହିଛନ୍ତି ଯେ, ସବୁଦିନ ପରି ନିଜ କର୍ମକ୍ଷେତ୍ରରୁ ଫେରି ଘର ସମ୍ମୁଖରେ ଗାଡ଼ି ରଖି ଭିତରକୁ ଚାଲି ଯାଇଥିଲେ। ରାତ୍ର ୧୧.୩୦ରେ ସମ୍ମୁଖ ଘରର ଜଣେ ନାବାଳକର ପାଟି ଶୁଣି  ସେ ବାହାରକୁ ଆସିଥିଲେ ।  ବାହାରେ ତାଙ୍କର ଗାଡ଼ିରେ ନିଆଁ ଲାଗି ଯାଇଥିବା ସେ ଦେଖିଥିଲେ । ଏହାପରେ ତୁରନ୍ତ ଗ୍ରାମବାସୀଙ୍କୁ ଡାକି ଗାଡ଼ିରୁ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ।ସେତେବଳକୁ ଗାଡିର ଇଞ୍ଜିନ ସହ ସମ୍ମୁଖ ଭାଗ ପୋଡି ଯାଇଥିଲା ।  

ସେ ଆହୁରି କହିଛନ୍ତି ଯେ, ଗାଡ଼ିରେ କେମିତି ନିଆଁ ଲାଗିଲା ସେ ଜାଣନ୍ତି ନାହିଁ ।  ତାଙ୍କର କାହା ସହ ଶତ୍ରୁତା ନାହିଁ । ଏହା ସତ୍ତ୍ୱେ କେହି ପ୍ରତିହିଂସା ପରାୟଣ ହୋଇ ନିଆଁ ଲଗାଇଥିବା ସେ ସନ୍ଦେହ କରିଛନ୍ତି । ଏନେଇ ମାଛକୁଣ୍ଡ ଥାନାରେ ସେ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.