ମୁଁ କରୋନା ପଜିଟିଭ୍, ମୋ ନିକଟକୁ ଯିଏ ଆସିବ ହାତ କାଟି ତା ଉପରେ ରକ୍ତ ପକାଇ ଦେବି
19/04/2020 at 10:07 PM

ନୂଆଦିଲ୍ଲୀ ୧୯।୦୪: ମୁଁ କରୋନା ପଜିଟିଭ୍। ଯିଏ ବି ମୋ ନିକଟକୁ ଆସିବ ତା ଉପରେ ନିଜ ହାତ କାଟି ରକ୍ତ ପକାଇ ଦେବି। ଜଣେ ବ୍ୟକ୍ତିଙ୍କ ଏମିତି କାଣ୍ଡ ରବିବାର ଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲ ପରିସରରେ ହଇଚଇ ସୃଷ୍ଟି କରିଥିଲା। ଏହି ତମାସା ପ୍ରାୟ ଅଢେଇ ଘଣ୍ଟା ଧରି ଚାଲିଥିଲା। ବ୍ୟକ୍ତି ଜଣକ ହସ୍ପିଟାଲର ଏକ ଓ୍ଵାର୍ଡରୁ ତୃତୀୟ ମହଲାର ବାଲକୋନୀକୁ ଚଢି ଯାଇଥିଲା।
ପ୍ରାୟ ଅଢେଇ ଘଣ୍ଟାର ପରିଶ୍ରମ ପରେ ତମାସା କରୁଥିବା ଲୋକଙ୍କୁ ଦିଲ୍ଲୀ ଦମକଳ ସେବାର କର୍ମଚାରୀ ଭାଗିରଥୀଙ୍କ ପ୍ରୟାସରେ ପୋଲିସ କାବୁ କରି ପାରିଥିଲା। ରବିବାର ଦିଲ୍ଲୀ ଦମକଳ ସେବାର ନିର୍ଦ୍ଦେଶକ ଅତୁଲ ଗର୍ଗ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ଅପରାହ୍ନ ପ୍ରାୟ ୩ଟା ୧୫ରେ ଫାୟର କଣ୍ଟ୍ରୋଲ ରୁମକୁ ସୂଚନା ମିଳିଥିଲା ଯେ, କେହି ଜଣେ ସଫଦରଜଙ୍ଗ ହସ୍ପିଟାଲର ଓ୍ଵାର୍ଡ ନମ୍ବର ୨୯ର ତୃତୀୟ ମହଲାର ଛାତରେ ଚଢି ଯାଇଛି।
ଅତୁଲ ଗର୍ଗଙ୍କ ଅନୁଯାୟୀ ବାଲକୋନୀରେ ଚଢିଥିବା ବ୍ୟକ୍ତି ନିଜକୁ କରୋନା ପଜିଟିଭ୍ କହୁଥିଲା। ଏହା ସହିତ କହୁଥିଲା ଯେ, କେହି ବି ତା ପାଖକୁ ଆସିବାକୁ ଚେଷ୍ଟା ନକରନ୍ତୁ। ଯିଏ ପାଖକୁ ଆସିବାକୁ ସାହାସ କରିବ ତା ଉପରେ ହାତ କାଟି ନିଜର ରକ୍ତ ପକାଇ ଦେବ। ଯେତେବେଳେ ଦମକଳ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଲେ ବ୍ୟକ୍ତି ଜଣକ ଏମିତି ଅଜବ ବ୍ୟବହାର କରୁଥିଲା।
ପ୍ରାୟ ଅଢେଇ ଘଣ୍ଟାର ପରିଶ୍ରମ ପରେ ଉକ୍ତ ବ୍ୟକ୍ତିଙ୍କୁ ଦମକଳ ସେବାକର୍ମଚାରୀ ତଳକୁ ଆଣିବାରେ ସକ୍ଷମ ହୋଇଥିଲେ। ଧରାଯାଇଥିବା ବ୍ୟକ୍ତିଙ୍କ ବୟସ ପ୍ରାୟ ୪୪ ହେବ। ସେ ପଶ୍ଚିମବଙ୍ଗର ଲୋକ। ପୋଲିସ ଏହାର ଛାନଭିନ୍ କରୁଛି ଯେ, ଉକ୍ତ ଲୋକ ସଫଦରଜଙ୍ଗ ହସ୍ପିଟାଲର ତୃତୀୟ ମହଲାର ବାଲକୋନୀ ପର୍ଯ୍ୟନ୍ତ କେମିତି ପହଞ୍ଚିଲା। ପ୍ରଶ୍ନ ଉଠିଛି ଯେ, ହସ୍ପିଟାଲରେ କଡା ସୁରକ୍ଷା କର୍ମୀଙ୍କ ୨୪ ଘଣ୍ଟିଆ ମୁତୟନ ପରେ ବି ଜଣେ ବ୍ୟକ୍ତି ତୃତୀୟ ମହଲାକୁ ଗଲା କେମିତି।
ପୋଲିସ କହିଛି ଯେ ଲୋକଙ୍କ କଥାରୁ ବେଳେ ବେଳେ ଲାଗୁଛି ସେ ମାନସିକ ବିକୃତ ଲୋକ, ପୁଣି ବେଳେ ବେଳେ ଲାଗୁଛି ସେ ଠିକ୍ ଅଛନ୍ତି। ପୋଲିସ ଏହା ଜାଣିବାକୁ ଚେଷ୍ଟା କରୁଛି ଯେ, ଯଦି ଲୋକଟି ମାନସିକ ବିକୃତ ତେବେ କରୋନା ବିଷୟରେ କେମିତି ଜାଣିଲା। ପୁଣି ତାକୁ କେମିତି ଜଣା ଯେ, ଯଦି ନିଜ ରକ୍ତ ବୁନ୍ଦା ଆଉ କାହା ଉପରେ ପକାଇ ଦେବ ତେବେ ସେ ବ୍ୟକ୍ତି କରୋନା ସଂକ୍ରମିତ ହେବ।