ସଚିନଙ୍କ ସିକ୍ରେଟ୍: ମାଷ୍ଟର ବ୍ଲାଷ୍ଟର କହିଲେ- ତାଙ୍କ କ୍ରିକେଟ୍ କ୍ୟାରିୟରରେ କେଉଁ ଦିନଟି ଥିଲା ଶ୍ରେଷ୍ଠ ଦିନ

Published By : Prameya-News7 Bureau | May 16, 2021 IST

ମୁମ୍ବାଇ ୧୬।୦୫: ଦୁନିଆର ମହାନ ବ୍ୟାଟସମ୍ୟାନଙ୍କ ମଧ୍ୟରୁ ଅନ୍ୟତମ ଭାରତର ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର ରବିବାର ତାଙ୍କ କ୍ରିକେଟ୍ ଜୀବନରେ କେଉଁ ଦିନଟି ସବୁଠୁ ଶ୍ରେଷ୍ଠ ଦିନ କହିଛନ୍ତି। ୨୦୧୧ ବିଶ୍ଵ କପ୍‌ରେ ଭାରତ ଚମ୍ପିଆନ ହେବା ଦିନଟି ହେଉଛି ତାଙ୍କ ଜୀବନର ସବୁଠୁ ଶ୍ରେଷ୍ଠ ଦିନ ବୋଲି ସଚିନ କହିଛନ୍ତି। ଏହି ଦିନ ତାଙ୍କର ସବୁଠୁ ବଡ ସ୍ଵପ୍ନ ପୂରଣ ହୋଇଥିଲା।ଭାରତ ମୁମ୍ବାଇର ଓ୍ଵାଙ୍ଖେଡା ଷ୍ଟାଡିୟମରେ ଶ୍ରୀଲଙ୍କାକୁ ଫାଇନାଲ୍‌ରେ ହରାଇ ଦ୍ଵିତୀୟ ଥର ବିଶ୍ଵ କପ୍‌ ବିଜେତା ହୋଇଥିଲା। ନିକଟରେ ଏହି ବିଜୟର ୧୦ ବର୍ଷ ପୂର୍ତ୍ତି ପାଳନ କରାଯାଇଛି।

ସଚିନ ୨୦୧୧ ବିଶ୍ଵ କପ୍‌ରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶତକ ଅର୍ଜନ କରିଥିଲେ। ଅନଏକାଡେମୀ ସହ ଆଲୋଚନା ବେଳେ କହିଛନ୍ତି, ଯେବେ ମୁଁ ୧୯୮୩ରେ କପିଲ ଦେବଙ୍କୁ ବିଶ୍ଵକପ୍ ଉଠାଇବା ଦେଖିଲି, ତାହା ମୋ ପାଇଁ ଏକ ଅବିଶ୍ଵସନୀୟ ଅନୁଭବ ଥିଲା। ମୁଁ ମୋ ସାଙ୍ଗମାନଙ୍କ ସହ ଏହା ଖୁବ୍ ଆନନ୍ଦ ନେଇଥିଲି। ମୁଁ ନିଜ ସ୍ଵପ୍ନକୁ ପିଛା କରିବାକୁ ଚାହୁଁଥିଲି। ମୁଁ ନିଷ୍ପତ୍ତି ନେଇଥିଲି ଯେ, ମୁଁ ବି ମୋ ସ୍ଵପ୍ନ ପୂରଣ କରିବି ଏବଂ ବିଶ୍ଵକପ୍‌କୁ ନିଜ ହାତରେ ଉଠାଇବା ସ୍ଵପ୍ନକୁ ପିଛା କରିବି। ମୁମ୍ବାଇର ଓ୍ଵାଙ୍ଖେଡା ଷ୍ଟାଡିୟମରେ ବିଶ୍ଵ କପ୍ ଉଠାଇବା ମୋ ପାଇଁ ଏକ ଅବିଶ୍ଵସନୀୟ ମୁହୂର୍ତ୍ତ ଥିଲା। ଏହା ମୋ କ୍ରିକେଟ୍ ଜୀବନର ଶ୍ରେଷ୍ଠ ଦିନ ଥିଲା ବୋଲି ମାଷ୍ଟର ବ୍ଲାଷ୍ଟର କହିଛନ୍ତି।

ସଚିନ ସେହି ଐତିହାସିକ ମୁହୂର୍ତ୍ତର ଏକ ଘଟଣା ବିଷୟରେ କହିଛନ୍ତି, ଯେତେବେଳେ ବିରାଟ କୋହଲି ଓ ୟୁସୁଫ ପଠାନ ମୋତେ କାନ୍ଧରେ ଉଠାଇଲେ, ମୁଁ ସେମାନଙ୍କୁ କହିଥିଲି ମୁଁ ଯେମିତି ତଳେ ପଡିନଯାଏ। ଏହି ବିଜୟ କେବଳ ଭାରତୀୟ ଦଳ ପାଇଁ ନୁହେଁ , ପୂରା ଦେଶ ପାଇଁ ଥିଲା।

କରୋନା ସଂକ୍ରମଣ ବିଷୟରେ ସଚିନ କହିଛନ୍ତି, ଏହା ଆମ ସମସ୍ତଙ୍କ ପାଇଁ କଠିନ ସମୟ। ଆମେ ଏହି ବିଷୟରେ କିଛି କହି ପାରିବା ନାହିଁ। ମୁଁ ନିଜ ଅନୁଭବରୁ କହୁଛି ଯେ, ପୂରା ଡାକ୍ତରୀଦଳ ଧନ୍ୟବାଦର ପାତ୍ର। କେମିତି ସେମାନେ ଲୋକଙ୍କ ଜୀବନ ବଞ୍ଚାଇବାକୁ ପ୍ରତିବଦ୍ଧ। ତଥାପି ସେମାନେ ନିଜ ବିଷୟକୁ ନେଇ କୌଣସି ଅଭିଯୋଗ କରି ନାହାନ୍ତି। ସଚିନ ମଧ୍ୟ କୋଭିଡ୍-୧୯ ସଂକ୍ରମିତ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.