ସାବରୀମାଳା ମନ୍ଦିର ବିବାଦ ; ଆଜିଠାରୁ ଏକ ମାସ ପର୍ଯ୍ୟନ୍ତ ବନ୍ଦ ରହିବ ପ୍ରଭୁ ଆୟାପ୍ପାଙ୍କ ମନ୍ଦିର ଦ୍ବାର

Published By : Prameya-News7 Bureau | October 22, 2018 IST

କେରଳ ୨୨|୧୦: କେରଳର ସାବରୀମାଳା ମନ୍ଦିରରେ ମହିଳା ପ୍ରବେଶକୁ ନେଇ ଲାଗିରହିଛି ବିବାଦ । ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଏକ ମାସ ପର୍ଯ୍ୟନ୍ତ ସାବରୀମାଳା ମନ୍ଦିରର ଦ୍ବାର ବନ୍ଦ କରାଯିବ । ମାସକୁ ୫ ଦିନ ପାଇଁ ପ୍ରଭୁ ଆୟାପ୍ପାଙ୍କ ମନ୍ଦିର ଖୋଲା ହୁଏ। ମନ୍ଦିର ପରିସରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଆକ୍ରମଣ ଆଶଙ୍କାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମନ୍ଦିର ପରିସରରୁ ହଟିଯିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି । ସାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ପାଇଁ ଗତ ମାସରେ ସୁପ୍ରିମକୋର୍ଟ ଅନୁମତି ଦେଇଥିଲେ । ଏହାକୁ ପ୍ରଭୁ ଆୟାପ୍ପାଙ୍କ ଭକ୍ତମାନେ ତୀବ୍ର ବିରୋଧ କରିଥିଲେ । ଶତାଧିକ ବର୍ଷ ପୁରାତନ ମନ୍ଦିରରେ ଚାଲିଥିବା ନିଷିଦ୍ଧାଦେଶକୁ ସୁପ୍ରିମକୋର୍ଟ ଉଠାଇ ଦେବା ପରେ ମାସିକ ପୂଜା ନିମନ୍ତେ ମନ୍ଦିର ଫାଟକ ଖୋଲାଯାଇଥିଲା । ମାତ୍ର ମହିଳାମାନଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ କରାଇ ଦିଆଯାଇନଥିଲା । ମନ୍ଦିର ମଧ୍ୟରେ ମହିଳାଙ୍କ ପ୍ରବେଶ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା । ରବିବାର ଦିନ ମଧ୍ୟ ପ୍ରଭୁ ଆୟପ୍ପାଙ୍କ ଭକ୍ତମାନେ ୪ଜଣ ମହିଳାଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ କରାଇ ଦେଇନଥିଲେ । ଏହି ମହିଳାମାନେ କେରଳକୁ ମନ୍ଦିର ବୁଲିବା ପାଇଁ ଆସିଥିଲେ । ମନ୍ଦିରର ତନ୍ତ୍ରୀ ସେମାନଙ୍କୁ ଧମକ ଦେଇ କହିଥିଲେ ଯେ, ଯଦି ଏଭଳି ଭାବେ ମହିଳାମାନେ ମନ୍ଦିରରେ ପ୍ରବେଶ କରିବାକୁ ଉଦ୍ୟମ କରିବେ ତେବେ ମନ୍ଦିରକୁ ବନ୍ଦ କରିଦିଆଯିବ । ଏହି ମାମଲାରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିବାକୁ କେରଳ ବିଜେପି ଦାବି କରିଛି । ଏନେଇ ଏକ ବିଧାନସଭାର ଏକ ସ୍ବତନ୍ତ୍ର ଅଧିବେଶନ ପାଇଁ ମଧ୍ୟ ଦାବି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.