କେଶ ରଙ୍ଗ କରିବାରୁ ମାମଲା ରୁଜୁ ସହ ଲାଗିଲା ଜରିମାନା, କାରଣ ବି ରହିଛି ଅଦ୍ଭୁତ…

Published By : Prameya-News7 Bureau | May 06, 2024 IST

ନୂଆଦିଲ୍ଲୀ ୦୬।୦୫: କେଶ ରଙ୍ଗ କରିବା ଆଜିକାଲି ସାଧାରଣ କଥା ହୋଇଗଲାଣି । ବର୍ତ୍ତମାନ ଯୁବପିଢ଼ିଙ୍କ ଲାଗି ଏହା ଏକ ମାନିଆରେ ପରିଣତ ହୋଇଛି । କେଶକୁ ଭିନ୍ନ ଭିନ୍ନ ରଙ୍ଗରେ ରଙ୍ଗିନ କରି ଅନେକ ସୋସିଆଲ ମିଡିଆରେ ଭିଡିଓ ବି ଅପଲୋଡ୍‌ କରିଥାନ୍ତି । ତେବେ ରୁଷ୍‌ରେ କେଶ ରଙ୍ଗ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି । ସେଥିଯୋଗୁ ତାଙ୍କ ବିରୋଧରେ ମାମଲା ରୁଜୁ ହେବା ସହିତ ଜରିମାନା ମଧ୍ୟ ବିଧାନ କରାଯାଇଛି । 

ରିପୋର୍ଟ ଅନୁସାରେ, ମସ୍କୋରେ ରହୁଥିବା ଜଣେ ଯୁବକ ଷ୍ଟାନିସ୍ଲାଭ୍‌ ନେତେସୋଭଙ୍କ ସହିତ ଗତ ଏପ୍ରିଲ ୨୭ ତାରିଖ ରାତିରେ ଏକ ଅପରାଧିକ ଘଟଣା ଘଟିଥିଲା । ସେ ନିଜର କର୍ମସ୍ଥଳୀରୁ ଫେରି ଏକ ବସ୍‌ଷ୍ଟପ୍‌ରେ ଛିଡ଼ା ହୋଇ ବସ୍‌କୁ ଅପେକ୍ଷା କରିଥିଲେ । ଏହି ସମୟରେ କିଛି ଗୁଣ୍ଡା ଶ୍ରେଣୀର ଲୋକେ ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ତାଙ୍କୁ ମାର୍‌ପିଟ କରିବା ସହିତ ମୋବାଇଲ୍‌ ଫୋନ୍‌ ଛଡ଼ାଇ ନେଇ ପଳାଇଥିଲେ ।

ସେମାନଙ୍କ କବଳରୁ କୌଣସି ପ୍ରକାରେ ଜୀବନରକ୍ଷା କରିବା ପରେ ପରଦିନ ପୁଲିସ ନିକଟରେ ଅଭିଯୋଗ କରିବାକୁ ପହଞ୍ଚିଥିଲେ ନେତେସୋଭ । ତେବେ ତାଙ୍କୁ ଆଶ୍ଚର୍ଯ୍ୟ କରି ପୁଲିସ ତାଙ୍କୁ ସାହାଯ୍ୟ କରିବା ବଦଳରେ ତାଙ୍କର କେଶ ରଙ୍ଗ ନେଇ ଅସନ୍ତୋଷ ପ୍ରକାଶ କରିଥିଲା । ପ୍ରକୃତ କଥା ହେଲା, ନେତେସୋଭ ନିଜ କେଶକୁ ହଳଦିଆ, ନୀଳ ଓ ସବୁଜ ରଙ୍ଗରେ ରଙ୍ଗିନ କରିଥିଲେ । ୟୁକ୍ରେନ୍‌ର ଜାତୀୟ ପତାକାରେ ଏହି ରଙ୍ଗ ରହିଛି । 

ଏପରିସ୍ଥଳେ ନେତେସୋଭ୍‌ ରୁଷ୍‌ର ସେନା ଓ ଦେଶର ଅପମାନ କରିଥିବା ଦର୍ଶାଇ ପୁଲିସ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା । ପରବର୍ତ୍ତୀ ସମୟରେ ତାଙ୍କ ବିରୋଧରେ ଜରିମାନା ବି ଲଗାଯାଇଥିଲା । ପୁଲିସ ତାଙ୍କର ଫିଙ୍ଗରପ୍ରିଣ୍ଟ ମଧ୍ୟ ସଂଗ୍ରହ କରିଛି । ସୂଚନାଥାଉକି, ରୁଷ୍‌ରେ ସେନାର ଆଲୋଚନା କିମ୍ବା ଅପମାନ କରିବା ଏକ ଅପରାଧ । ସେଥିଲାଗି ସେଠାରେ ଜରିମାନା ସହିତ ୫ ବର୍ଷ ଯାଏ ଜେଲ୍‌ଦଣ୍ଡର ମଧ୍ୟ ପ୍ରାବଧାନ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.