ଏବେ ବି ବଞ୍ଚିଛି ମାନବିକତା, ବଳକା ଅର୍ଥକୁ ଫେରାଇଲେ ମୃତ ଅଭିଷେକଙ୍କ ପତ୍ନୀ ମୌସୁମୀ

Published By : Prameya-News7 Bureau | January 17, 2022 IST

ଭଦ୍ରକ ୧୭।୦୧:  ଏବେ ବି ବଞ୍ଚିଛି ମାନବିକତା । ଦିନ ଥିଲା କରୋନା ଜନିତ ଚିକିତ୍ସା ପାଇଁ ସମସ୍ତଙ୍କର ସହାୟତା ମାଗିଥିଲେ । କିନ୍ତୁ ଭାଗ୍ୟର ବିଡମ୍ବନା ଯେ ବ୍ୟୟ ବହୁଳ ଚିକିତ୍ସା ପରେ ମଧ୍ୟ ସ୍ୱାମୀଙ୍କ ଜୀବନ ବଞ୍ଚାଇ ପାରିଲେ ନାହିଁ ଡାକ୍ତର । ଆଉ ସମସ୍ତ ଙ୍କର ସହାୟତା କିଛି କାମରେ ଲାଗିଲା । କିନ୍ତୁ ଏବେ ସ୍ୱାମୀଙ୍କ ଚିକିତ୍ସା ପାଇଁ ମିଳିଥିବା ସହାୟତା ରାଶି ର ବଳକା ୪୦ ଲକ୍ଷ ଟଙ୍କା ଏବେ ଅସହାୟଙ୍କ ପାଇଁ ଦାନ କରିଛନ୍ତି ।

ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲାର ବାସୁଦେବପୁର ଅଞ୍ଚଳର ଅଭିଷେକ ମହାପାତ୍ରଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ଚିକିତ୍ସା ପାଇଁ ପାଇଥିବା ଚିକିତ୍ସା ସହାୟତା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଫେରାଇଛନ୍ତି । ମୃତ ଅଭିଷେକଙ୍କ ପତ୍ନୀ ମୌସୁମୀ ମହାପାତ୍ର, ତାଙ୍କ ବାପା ଏବଂ  ସମ୍ପର୍କୀୟ ମାନେ ଭଦ୍ରକ ଜ଼ିଲ୍ଲାପାଳଙ୍କ ପାଖକୁ ଆସି ୪୦ ଲକ୍ଷ ଟଙ୍କାର ଡ୍ରାଫ୍ଟ ପ୍ରଦାନ କରିଛନ୍ତି । ସେଥିମଧ୍ୟରୁ ୩୦ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏବଂ ୧୦ ଲକ୍ଷ ଟଙ୍କା ଜିଲ୍ଲା ରେଡକ୍ରସ ପାଣ୍ଠିକୁ ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ବାସୁଦେବପୁର ମନ୍ଦାରି ଅଞ୍ଚଳର ଅଭିଷେକ ମହାପାତ୍ର  ଗତବର୍ଷ  ମେ ମାସରେ ବିବାହ କରିଥିଲେ । ଆଉ ବିବାହର ମାତ୍ର ୮ ଦିନ ପରେ କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡିଥିଲେ । ତାଙ୍କର ଆର୍ଥିକ ଅବସ୍ଥା ସ୍ଵଛଳ ନଥିବାରୁ, ତାଙ୍କ ନବ ବିବାହିତା ସ୍ତ୍ରୀ ବିଭିନ୍ନ ଗଣମାଧ୍ୟମ ଜରିଆରେ ଚିକିତ୍ସା  ସହାୟତା ଲୋଡିଥିଲେ । ଓଡିଶା ସମେତ ବିଭିନ୍ନ ସ୍ଥାନରୁ ବହୁ ବ୍ୟକ୍ତି ତାଙ୍କୁ ଆର୍ଥିକ ସହାୟତା କରିଥିଲେ । ଫଳରେ ଅଭିଷେକଙ୍କ ଇକମୋ ଚିକିତ୍ସା ପାଇଁ କଲିକତାକୁ  ଏୟାରଲିପ୍ଟ କରାଯାଇଥିଲା । 

ତେବେ ଚିକିତ୍ସାଧିନ ଅବସ୍ଥାରେ ଅଭିଷେକଙ୍କର ସେପ୍ଟେମ୍ବର ୩ ତାରିଖରେ ମୃତ୍ୟୁ ହୋଇଥିଲା । ସ୍ୱାମୀ ର ମୃତ୍ୟୁ ପରେ ସବୁ ହରାଇ, ଭାଙ୍ଗି ପଡ଼ିଥିଲେ ସ୍ତ୍ରୀ । କିନ୍ତୁ ତାଙ୍କୁ ଅସୁବିଧା ସମୟରେ ଯେଉଁ ବଦାନ୍ୟ ବ୍ୟକ୍ତି ମାନେ ସହାୟତା କରିଥିଲେ, ତାଙ୍କୁ ସେ ଭୁଲିନଥିଲେ । ତେଣୁ ସ୍ୱାମୀଙ୍କୁ ହରାଇବା ପରେ ଯାହା କିଛି ବଳକା ଅର୍ଥ ନିଜ ପାଖରେ ଥିଲା । ଶେଷରେ ସେ ଆଜି ଜିଲ୍ଲାପାଳଙ୍କ ଜରିଆରେ ସମାଜର କଲ୍ୟାଣ ପାଇଁ ୪୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ମୌସୁମୀଙ୍କ ଏଭଳି ମହତ କାର୍ଯ୍ୟକୁ ଜିଲ୍ଲାପାଳ ପ୍ରଶଂସା କରିଛନ୍ତି । ଏହି ସବୁ ଅର୍ଥ ଅସହାୟଙ୍କ ଚିକିତ୍ସାରେ ଖର୍ଚ୍ଚ କରିବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ମୌସୁମୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.