ଗଣତନ୍ତ୍ର ଦିବସରେ ଚାଷୀଙ୍କ ଟ୍ରାକ୍ଟର ମାର୍ଚ୍ଚ ଚେତାବନୀ, ଅନ୍ୟପଟେ ପୋଲିସର ପ୍ରସ୍ତୁତି : ଚ୍ୟାଲେଞ୍ଜିଂ ହେବ କି ପୂରା ପ୍ରକ୍ରିୟା ?

Published By : Prameya-News7 Bureau | January 09, 2021 IST

ନୂଆଦିଲ୍ଲୀ ୦୯/୦୧ : ରାଜଧାନୀ ଦିଲ୍ଲୀରେ ଗଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି । ଗଣତନ୍ତ୍ର ଦିବସରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଦିଲ୍ଲୀ ପୋଲିସ କମିସନର ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ବୈଠକ କରିଛନ୍ତି । ୨୬ ଜାନୁୟାରୀରେ ଆନ୍ଦୋଳନ ଚାଷୀମାନେ ଦିଲ୍ଲୀରେ ଟ୍ରାକ୍ଟର ମାର୍ଚ୍ଚ କରିବା ପାଇଁ ଚେତାବନୀ ଦେଇଛନ୍ତି । ଏହାକୁ ଆଖି ଆଗରେ ରଖି ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରିବାକୁ ବୈଠକରେ ଆଲୋଚନା ହୋଇଛି ।

ଦିଲ୍ଲୀର ସମସ୍ତ ସୀମାରେ ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି । ନୂଆ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ଦୀର୍ଘଦିନ ଧରି ଚାଷୀମାନେ ତୀବ୍ର ଆନ୍ଦୋଳନ ଜାରି ରଖିଛନ୍ତି । ଅନ୍ୟ ପଟେ ସରକାରଙ୍କ ସହ ବିଭିନ୍ନ ସମୟରେ ଆଲୋଚନା ପରେ ମଧ୍ୟ କୌଣସି ନିଷ୍କର୍ସ ବାହାରିପାରୁନାହିଁ ।

ତେବେ ଚାଷୀ ଆନ୍ଦୋଳନ ସହ କରୋନା ମହାମାରୀ ଏବଂ ଏହାରି ମଧ୍ୟରେ ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମକୁ ଶାନ୍ତିପୂର୍ଣ୍ଣ ଭାବେ ଶେଷ କରିବା ଦିଲ୍ଲୀ ପୋଲିସ ପାଇଁ ଚ୍ୟାଲେଞ୍ଜ୍ ହେବ । ଶୁକ୍ରବାର ଦିଲ୍ଲୀ ପୋଲିସ କମିସନର ଅନ୍ୟ ବରିଷ୍ଠ ଅଧିକାରୀ ଏବଂ ଦିଲ୍ଲୀ ପୋଲିସର ସ୍ପେଶାଲ ପୋଲିସ କମିସନରମାନଙ୍କ ସହ ଆଲୋଚନା କରିଛନ୍ତି ।

ଏହି ବୈଠକରେ ଦିଲ୍ଲୀ ସୀମାନ୍ତ ସ୍ଥାନଗୁଡିକୁ କିଭଳିଭାବେ ବନ୍ଦ କରାଯିବ ଏବଂ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ ସେ ନେଇ ଆଲୋଚନା ହୋଇଥିଲା । ତେବେ ଆସନ୍ତା ୧୫ ତାରିଖରେ ସରକାର ଏବଂ ଚାଷୀଙ୍କ ମଧ୍ୟରେ ପୁନର୍ବାର ଆଲୋଚନା ହେବ । ଯଦି ଏହି ଆଲୋଚନାରେ କିଛି ନିଷ୍କର୍ସ ବାହାରେ ତେବେ ଗଣତନ୍ତ୍ର ଦିବସରେ କୌଣସି ଅସୁବିଧା ପ୍ରାୟତଃ ହେବ ନାହିଁ ଏବଂ ଯଦି ପୂର୍ବଭଳି ଆଲୋଚନା ପୁଣି ବିଫଳ ହୁଏ ତେବେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଗାମୀ ରଣନୀତି ପ୍ରସ୍ତୁତ କରାଯିବ ବୋଲି ଦିଲ୍ଲୀ ପୋଲିସ କମିସନର ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.