ରାସୋଳ ବ୍ୟାଙ୍କ ଲୁଟ୍ ଘଟଣାର ପର୍ଦ୍ଦାଫାସ : ୯ ଡକାୟତ ଗିରଫ, ଏବେବି ୨ ଫେରାର

Published By : Prameya-News7 Bureau | January 17, 2022 IST

ଢେଙ୍କାନାଳ , ୧୭/୦୧: ଢେଙ୍କାନାଳ ଜିଲ୍ଲା ରାସୋଳ ସ୍ଥିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତୀ ଘଟଣାର ପର୍ଦ୍ଦଫାସ କରିଛି ପୋଲିସ । ଏହି ଲୁଟ ଘଟଣାରେ ୯ ଜଣ ଡକାୟତଙ୍କୁ ଗିରଫ କରିବାରେ ପୋଲିସ ସକ୍ଷମ ହୋଇଛି । ଏହାସହ ଡକାୟତୀ ହୋଇଥିବା ମୋଟ ୭ କେଜି ସୁନା ଅଳଙ୍କାରରୁ୫ କିଲୋ ୩୫୮ଗ୍ରାମ ସୁନାଗହଣା ଜବତ କରାଯାଇଛି।

ଜବତ ସୁନା ଗହଣାର ଆନୁମାନିକ ମୂଲ୍ୟ ଅଢେଇ କୋଟି ଟଙ୍କା ହେବ ବୋଲି କୁହାଜାଇଛି। ସେହିପରି  ଡକାୟତ ମାନେ ଲୁଟି ଥିବା ମୋଟ ୧୨ ଲକ୍ଷ ୭୭ହଜାର ୭୭୩ ଲୁଟ ଟଙ୍କାରୁ ୧୧ ଲକ୍ଷ ୫୫ହଜାର ଟଙ୍କା ଉଦ୍ଧାର କରାଯାଇଛି। ଦୁଇଟି ବାଇକ ଗୋଟିଏ ସ୍କୁଟି ଓ ଗୋଟିଏ କାର ମଧ୍ୟ ଜବତ କରିଛି ପୋଲିସ। ଏହି ଡକାୟତି ଘଟଣାରେ ବ୍ୟବହୃତ ଗୋଟିଏ ଚାପଡ ମଧ୍ୟ ପୋଲିସକୁ ମିଳିଛି।

ସୂଚନାଯୋଗ୍ୟ, ଗତ ୧୨ ତାରିଖର ଅପରାହ୍ନରେ ୬ଜଣ ମୁଖା ପିନ୍ଧା ଡକାୟତ ବ୍ୟାଙ୍କ କର୍ମଚାରୀଙ୍କୁ ଆକ୍ରମଣ କରି ବ୍ୟାଙ୍କର ଷ୍ଟ୍ରଙ୍ଗ୍ ରୁମରୁ କୋଟି କୋଟି ଟଙ୍କାର ସୁନାଗହଣା ଓ ଲକ୍ଷ ଲକ୍ଷ ଟଙ୍କା ଧରି ଛୁ ମାରିଥିଲେ। ଘଟଣାଦିନ ସନ୍ଧ୍ୟାରେ ଢେଙ୍କାନାଳ  ସଦରଥାନା ପୋଲିସ ଗୋବିନ୍ଦପୁର  ଫାଣ୍ଡି ନିକଟରୁ ପ୍ରଥମେ ପାଞ୍ଚ ଡକାୟତଙ୍କୁ କାବୁ କରି ନେଇଥିଲା । ଅଭିଯୁକ୍ତ ମାନଙ୍କୁ ଅଟକରଖି ପଚରାଉଚରା କରିବା ପରେ ଡକାୟତି ଘଟଣାରେ  ମୋଟ ୧୧ଜଣ ସାମିଲ ଥିବା ଜଣାପଡ଼ିଥିଲା । ୧୧ ଅଭିଯୁକ୍ତଙ୍କ ମଧ୍ୟରୁ ୯ଜଣଙ୍କୁ ଗିରଫ କରାଯାଇଛି। ଫେରାର ଦୁଇ ଅପରାଧୀଙ୍କ ମଧ୍ୟରେ ଜଣେ ମୁଖ୍ୟ ଅଭିଯୁକ୍ତ ରହିଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.