ଓଡ଼ିଶାରେ ରାଜନାଥଙ୍କ ମାରାଥନ ପ୍ରଚାର, ରାୟଗଡ଼ା ଜନସଭାରେ କହିଲେ- ଏଥର ଓଡ଼ିଶାର ୨୧ ଲୋକସଭା ଆସନରେ ବିଜେପି

Published By : Prameya-News7 Bureau | May 08, 2024 IST

raj

ରାୟଗଡ଼ା: ଓଡ଼ିଶାରେ ମେ ୧୩ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ । ଏଥିପାଇଁ ବିଜେପିର କେନ୍ଦ୍ରୀୟ ନେତାଙ୍କ ଓଡ଼ିଶାକୁ ମାରାଥନ ଗସ୍ତ ଜାରି ରହିଛି । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୁଧବାର ରାୟଗଡ଼ାରେ ବିଶାଳ ଜନସଭାକୁ ସମ୍ୱୋଧନ କରି ୧୦ ବର୍ଷର ମୋଦୀ ସରକାରଙ୍କ ଉପଲବ୍ଧି ଲୋକଙ୍କ ସାମନାରେ ରଖିବା ସହ  ବିଜେଡି ସରକାରଙ୍କୁ କଡ଼ା ଟାର୍ଗେଟ୍ କରିଛନ୍ତି । 

ରାୟଗଡ଼ା ବାରିଝୁଲାଠାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ରାଜନାଥ ସିଂ । ନିଜ ଭାଷଣରେ ରାଜନାଥ କହିଛନ୍ତି, ‘ମୋଦି ସରକାର ଯାହା କୁହନ୍ତି, କାମରେ କରି ଦେଖାନ୍ତି । କଂଗ୍ରେସ କହୁଥିଲା ଦୁର୍ନୀତି ହଟାଇବ, ହଟାଇଲା କି ? ୧୦ ବର୍ଷ ଭିତରେ ମୋଦି ସରକାର ଦାରିଦ୍ରତା ଦୂର କରିଛନ୍ତି । ୨୫ କୋଟିରୁ ଅଧିକ ଲୋକ ଦାରିଦ୍ର ସୀମା ରେଖା ଉପରକୁ ଉଠିଛନ୍ତି । ମୋଦୀଙ୍କ ସମୟରେ ଅନ୍ତର୍ଜାତୀୟ ମଞ୍ଚରେ ଭାରତର ଗୁରୁତ୍ବ ବଢ଼ିଛି । ସେହିପରି ରାଜ୍ୟରେ ଥିବା ବିଜେଡି ସରକାରକୁ ମଧ୍ୟ ସେ ଟାର୍ଗେଟ୍ କରିଛନ୍ତି ।

ରାଜ୍ୟ ସରକାର ଆୟୁଷ୍ମାନ ଭାରତ ଯୋଜନା ଲାଗୁ ନକରି ଓଡ଼ିଶାର ଲୋକଙ୍କୁ ସ୍ୱାସ୍ଥ୍ୟ ସେବାରୁ ଦୂରେଇ ରଖୁଥିବା କହିଛନ୍ତି । ରାଜନାଥ କହିଛନ୍ତି, 'ମୁଁ ଅନେକ ଥର ଓଡ଼ିଶା ଆସିଛି, କିନ୍ତୁ ଏଥର ବାତାବାରଣ ଭିନ୍ନ ରହିଛି । ଓଡ଼ିଶାର ଲୋକ ମନେ ବଳେଇ ସାରିଛନ୍ତି, ଏଥର ଓଡ଼ିଶାର ୨୧ରୁ ୨୧ ଆସନରେ ବିଜେପିକୁ ଜିତାଇବେ ।

ଏହା ପୂର୍ବରୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କଳାହାଣ୍ଡି ଜିଲ୍ଲାର ଭବାନିପାଟଣା ଠାରେ ଜନସମାବେଶରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ । ଏହାପରେ ରାୟଗଡ଼ାରେ କୋରାପୁଟ ଲୋକସଭା ପ୍ରାର୍ଥୀ କାଲିରାମ ମାଝୀ ଏବଂ ବିଷମକଟକ ,ଗୁଣପୁର ଓ ରାୟଗଡ଼ା ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ।

 

  • Lok Sabha Election 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.