୧୮ ଓ ୧୯ରେ ବଢିବ ବର୍ଷା, ୨୦ରୁ ବଦଳିବ ପାଗ

Published By : Prameya-News7 Bureau | June 17, 2021 IST

ଭୁବନେଶ୍ୱର,୧୭/୦୬: ଉପକୂଳ ଓ ଏହା ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଗୁରୁବାର ବିକ୍ଷିପ୍ତ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ଅଛି । ସେହିପରି ୧୮ ଓ ୧୯ ତାରିଖରେ ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହେବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି । ୨୦ରୁ ପାଗ ବଦଳିବ । କାଁ ଭାଁ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବା ସହିତ ପାଗ ଶୁଖିଲା ରହିବ ।

କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ, ଚଳିତ ମାସ ୧୮ ଓ ୧୯ରେ ଝାଡ଼ଖଣ୍ଡ ଓ ଛତିଶଗଡ଼ ସୀମାନ୍ତ ଜିଲ୍ଲାଗୁଡ଼ିକରେ ବର୍ଷା ସମ୍ଭାବନା ରହିଛି । ହେଲେ ଉପକୂଳ ଓଡ଼ିଶାରେ ବିଶେଷ ବର୍ଷା ହେବାର ନାହିଁ । ନିମ୍ନ ବାୟୁମଣ୍ଡଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପଞ୍ଜାବରୁ ବାଂଲାଦେଶ ପର୍ଯ୍ୟନ୍ତ ବର୍ତ୍ତମାନ ଲମ୍ବିଛି । ତେଣୁ ୧୮ ଓ ୧୯ରେ ଏହାର ପୂର୍ବ ଭାଗ ଭିତରେ ଏକ ଘୂର୍ଣ୍ଣିବଳୟ ଛକ ସାଇକ୍ଲୋନିକ୍‌ ସର୍କୁଲେସନ ସୃଷ୍ଟି ହେବ । ଯାହାକି ୧୮ରେ ପଶ୍ଚିମବଙ୍ଗ ଓ ସଂଲଗ୍ନ ବାଂଲାଦେଶ ଏବଂ ୧୯ରେ ଝାଡ଼ଖଣ୍ଡ ଓ ସଂଲଗ୍ନ ଅଞ୍ଚଳରେ ରହିବ । ପ୍ରଭାବରେ ୧୮ ଓ ୧୯ରେ ମୟୂରଭଞ୍ଜ, କେନ୍ଦୁଝର, ଅବିଭକ୍ତ ବଲାଙ୍ଗୀର, ଅବିଭକ୍ତ ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ୧୭ରେ ସମଗ୍ର ଉପକୂଳ ଓ ସଂଲଗ୍ନ ଜିଲ୍ଲାଗୁଡିକରେ ବିକ୍ଷିପ୍ତ ସ୍ୱଳ୍ପ ବର୍ଷା ହୋଇପାରେ ବୋଲି ସେ ପୂର୍ବାନୁମାନ କରିଛନ୍ତି । ୧୯ରେ ଅବିଭକ୍ତ କଳାହାଣ୍ଡି, କୋରାପୁଟ, ଗଞ୍ଜାମରେ ମଧ୍ୟମ ଧରଣର ଏବଂ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୨୦ ତାରିଖରେ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନ ଏବଂ ୨୧ରେ ସମଗ୍ର ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ।

ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ମଧ୍ୟ ଅନୁରୂପ ଆକଳନ କରିଛନ୍ତି । ପାଗ ମେଘୁଆ ରହିବ । ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ଉତ୍ତର ଓ ଉପକୂଳ ବର୍ଷାରେ ହେବ । ୨୨ ପର୍ଯ୍ୟନ୍ତ କାଁ ଭାଁ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛନ୍ତି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି ଯେ, ଆସନ୍ତାକାଲି ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଦେଓଗଡ, ସୁନ୍ଦରଗଡ଼ ଓ ଅନୁଗୁଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ । ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ସ୍ୱଳ୍ପ ଓ ରାଜ୍ୟର ଅବଶିଷ୍ଟ ଅଞ୍ଚଳର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.