ନୂଆବର୍ଷରେ ଏଥର ଓଡିଶାକୁ ଭିଜାଇବ ବର୍ଷା, ଜାଡରେ ଥରୁଛି ପୂରା ଓଡ଼ିଶା – ଆହୁରି ୨ ଦିନ ପ୍ରବଳ ଶୀତ

Published By : Prameya-News7 Bureau | December 30, 2019 IST

ଭୁବନେଶ୍ୱର ୩୦।୧୨ - ଜାଡରେ ଥରୁଛି ପୂରା ଓଡ଼ିଶା । ଭୁବନେଶ୍ବରରୁ କେନ୍ଦୁଝର, ମୟୁରଭଞ୍ଜରୁ କୋରାପୁଟ ସବୁଠି ହାଡଥରା ଶୀତ । ସ୍ବାଭାବିକ ଠାରୁ ୬ ଡିଗ୍ରୀ ଖସିଆସିଛି ପାରଦ । ରାଜ୍ୟରେ ଆହୁରି ୪୮ ଘଣ୍ଟା ପର୍ଯ୍ୟନ୍ତ ଥଣ୍ଡାର ପ୍ରକୋପ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହିଭଲି ନୂଆ ବର୍ଷରେ ରାଜ୍ୟକୁ ବର୍ଷା ଭିଜାଇବ । ୨ ତାରିଖ ଆଡକୁ ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି । ବର୍ଷା ପରେ ପୁଣି ଶୀତ ବଢିବ ବୋଲି ଅନୁମାନ କରାଯାଉଛି । ସେପଟେ ସାରା ଦେଶରେ ଭୟଙ୍କର ଥଣ୍ଡାସାଙ୍ଗକୁ ଦିଲ୍ଲୀରେ ଘନ କୁହୁଡି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି ।

{"id":204666,"sizeSlug":"large"}

ନୂଆବର୍ଷରେ ଏଥର ଓଡିଶାକୁ ଭିଜାଇବ ବର୍ଷା । ୨ ତାରିଖରେ ଘଡଘଡି ବର୍ଷା ସାଙ୍ଗକୁ ପଶ୍ଚିମ ଓଡିଶାରେ ଠାଏ ଠାଏ କୁଆପଥର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏଥିପାଇଁ ସୁନ୍ଦରଗଡ, ଦେବଗଡ, ଅନୁଗୁଳ, ଖୋର୍ଦ୍ଧା, ସୋନପୁର ଏବଂ ବୌଦ୍ଧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଆସନ୍ତା ୧ ଓ ୨ ରେ ବରଗଡ, ବଲାଙ୍ଗୀର, ନୂଆପଡା, କେନ୍ଦୁଝର, ଝାରସୁଗୁଡାରେ ବର୍ଷା ସମ୍ଭାବନା ରହିଛି । ବର୍ଷା କମିବା ପରେ ଥଣ୍ଡା ବଢିବା ନେଇ ଆଂଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ସେପଟେ, ଜାଡରେ ଥରୁଛି ସାରା ଓଡିଶା । ଶୀତରୁ ରକ୍ଷା ପାଇଁ କିଏ ନିଆଁ ପୋଉଁଛି ତ କିଏ ସକାଳୁ ସକାଳୁ ଗର ଚା ର ମଜା ନେଉଛି । ଭୁବନେଶ୍ବରରୁ କେନ୍ଦୁଝର, ମୟୁରଭଞ୍ଜରୁ କୋରାପୁଟ ସବୁଠି ହାଡଥରା ଶୀତ । କିଛି ସ୍ଥାନରେ ତୁଷାର ପାତ ବି ହୋଇଛି । ସ୍ବାଭାବିକ ଠାରୁ ୬ଡିଗ୍ରୀ ଖସିଆସିଛି ପାରଦ । ୧୬ଟି ସହରରେ ତାପାମାତ୍ରା ୧୦ଡିଗ୍ରୀ ତଳେ ରହିଛି । ରାଜ୍ୟରେ ଆହୁରି ୪୮ଘଣ୍ଟା ଯାଏଁ ଥଣ୍ଡାର ପ୍ରକୋପ ଜାରି ରହିବ ।୧୩ଟି ଜିଲ୍ଲାରେ ଜିଲ୍ଲା ପ୍ରଶାସନକୁ ଏଥିପାଇଁ ସତର୍କ କରାଇଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ।

କେବଳ ଓଡ଼ିଶା ନୁହେଁ ସାରା ଦେଶରେ ଭୀଷଣ ଶୀତ ଲହରି । ବିଶେଷକରି ଉତ୍ତର ଭାରତର ସ୍ଥିତି ପୂରା ବେହାଲ । ଏ ହେଉଛି ଶ୍ରୀନଗର ଡାଲ୍‌ ଲେକ୍‌ର ଦୃଶ୍ୟ । ଏଠି ମାଇନସ୍‌ ୬.୨ ତାପମାତ୍ରା ରହିଛି । ଆଉ ପୂରା ଡାଲ୍ ଲେକ୍‌ ବରଫ ପାଲଟି ଯାଇଛି । ରାଜଧାନୀ ଦିଲ୍ଲୀର ନିମ୍ନତମ ତାପମାତ୍ରା ୨.୫ଡିଗ୍ରୀ କୁ ଖସି ଆସିଛି । ଡିସେମ୍ବର ୧୪ ରୁ ଏଭଳି ସ୍ଥିତି ଲାଗି ରହିଛି । ୧୧୮ ବର୍ଷ ଭିତରେ ଦ୍ବିତୀୟ ଥର ଲାଗି ଡିସେମ୍ବରରେ ଦିଲ୍ଲୀରେ ଏତେ ଲମ୍ବା ସମୟ ଧରି ତାପମାତ୍ରା ଏତେ ତଳକୁ ଖସି ଯାଇଛି । ପାଣିପାଗ ବିଭାଗ ଅନୁଯାୟୀ, ହିମାଚଳ ପ୍ରଦେଶରେ ଆସନ୍ତାକାଲି ବରଫପାତ ହେବ । ମନାଲି, ସୋଲନ, ସୁନ୍ଦରନଗର ଏବଂ କାଲପା ଇଲାକାରେ ତାପମାତ୍ରା ଶୂନ ତଳକୁ ଖସି ଯାଇଛି । ସେପଟେ ରାଜସ୍ଥାନ ମାଉଣ୍ଟ ଆବୁରେ ତାପମାତ୍ରା ୩ ଡିଗ୍ରୀ ରେକର୍ଡ କରାଯାଇଛି ।

ଭୟଙ୍କର ଥଣ୍ଡା ସାଙ୍ଗକୁ ଘନ କୁହୁଡି ଦିଲ୍ଲୀ ଏନସିଆର୍ ସହ ସାରା ଉତ୍ତର ଭାରତକୁ ଅସ୍ତବ୍ୟସ୍ତ କରିଛି । ଘନ କୁହୁଡି କାରଣରୁ ବିମାନ ଏବଂ ଟ୍ରେନ୍ ଯାତାୟତ ଉପରେ ପ୍ରଭାବ ପଡିଛି । ଅନେକ ଟ୍ରେନ୍ ବିଳମ୍ବରେ ଚାଲୁଛି । ଅନେକ ସ୍ଥାନରେ ସ୍କୁଲ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆଜିଠାରୁ ପଶ୍ଚିମ ହିମାଳୟ ପଟୁ ବୋହୁଥିବା ପବନର ଗତି ପରିବର୍ତ୍ତନ ହେବ । ତେଣୁ ଶୀତ ଲହରୀରୁ ସାମାନ୍ୟ ତ୍ରାହି ମିଳିପାରେ । ଏହାସହ ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ହିମାଚଳ ସମେତ ସାରା ଉତ୍ତର ଭାରତରେ ନୂଆବର୍ଷ ଦିନ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.