୪ ଜିଲ୍ଲାକୁ ବର୍ଷା ସତର୍କତା : ଘଡଘଡି ବର୍ଷା ସହ ୪୦ରୁ ୫୦ କି.ମି. ବେଗରେ ବହିପାରେ ପବନ

Published By : Prameya-News7 Bureau | March 08, 2020 IST

ଭୁବନେଶ୍ବର ୮।୩: ରଙ୍ଗର ପର୍ବ ହୋଲିକୁ ଭିଜାଇବ ବର୍ଷା । ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ଆଶଙ୍କା ରହିଛି । ବିଶେଷକରି ଉତ୍ତର ଓଡ଼ିଶା ଓ ଏହାର ପାଖ ଜିଲ୍ଲାଗୁଡ଼ିକରେ ଘଡ଼ଘଡ଼ି ସହ ବର୍ଷା, ପବନ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେହିଭଳି ରବିବାର ୪ ଜିଲ୍ଲାକୁ ବର୍ଷା ସତର୍କତା ଜାରି କରିଛି ପାଣିପାଗ ବିଭାଗ । ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ୪ ଜିଲ୍ଲା ହେଲା ଯାଜପୁର, କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ବର । ଏହିସବୁ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ଏହାସହ ୪୦ରୁ ୫୦ କି.ମି. ବେଗରେ ପବନ ବହିବା ସମ୍ଭାବନା ରହିଛି ।

୯ ତାରିଖରେ କାଁ ଭାଁ ବର୍ଷା ହୋଇପାରେ । ହୋଲି ଦିନ କାଳବୈଶାଖୀ ବଢ଼ିବ । ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା ଅଧିକ । ମୟୂରଭଞ୍ଜ, କେନ୍ଦୁଝର, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ଗଞ୍ଜାମ, କନ୍ଧମାଳ, ସୋନପୁର, ବରଗଡ଼ ଓ ସୁନ୍ଦରଗଡ଼ରେ ଘଡ଼ଘଡ଼ି ସହ ବର୍ଷା ଓ ଘଣ୍ଟା ପ୍ରତି ୩୦ରୁ ୪୦ କି.ମି. ବେଗରେ ପବନ ବହିପାରେ ।

ଏହାବାଦ୍‌ ବାଲେଶ୍ୱର, ଭଦ୍ରକ, ଗଜପତି, ଅନୁଗୋଳରେ ମଧ୍ୟ ବର୍ଷା ସମ୍ଭାବନା ଅଛି । ୧୧ ତାରିଖରେ କାଳବୈଶାଖୀ ପ୍ରକୋପ କମ୍‌ ରହିବ । ତଥାପି ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ବଲାଙ୍ଗିର, କନ୍ଧମାଳ, ଅନୁଗୋଳ, ଢେଙ୍କାନାଳ, ରାୟଗଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁରରେ ଠାଏ ଠାଏ ବର୍ଷା ହୋଇପାରେ। ଆସନ୍ତା ୨-୩ ଦିନ ପରେ ତାପମାତ୍ରା ଧୀରେ ଧୀରେ ବଢ଼ିପାରେ । ଶନିବାର ସବୁଠି ଦିନ ତାପମାତ୍ରା କମିଛି । ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୩୦ରୁ ୩୨ ଡିଗ୍ରୀ ପାଖାପାଖି ରହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.