ଟିମ୍ ଇଣ୍ଡିଆରେ ସ୍ଥାନ ପାଇଁ ଦାବିଦାର ମଜବୁତ କଲେ ରାହୁଲ ତ୍ରିପାଠୀ, ମିଳିପାରେ ସୁଯୋଗ

Published By : Prameya-News7 Bureau | May 17, 2022 IST

ମୁମ୍ବାଇ: ସନରାଇଜର୍ସ ହାଇଦ୍ରାବାଦର ଶୀର୍ଷ କ୍ରମ ବ୍ୟାଟସମ୍ୟାନ ରାହୁଲ ତ୍ରିପାଠୀ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଦମଦାର ୭୬ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସ ଦମରେ ସେ ଭାରତୀୟ ଦଳରେ ସ୍ଥାନ ପାଇଁ ନିଜ ଦାବିକୁ ଆହୁରି ମଜବୁତ କରି ପାରିଛନ୍ତି। ଜୁନରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶଷ୍ଟ ଟି-୨୦ ସିରିଜରେ ରାହୁଲ ତ୍ରିପାଠୀଙ୍କୁ ସୁଯୋଗ ମିଳିପାରେ। କାରଣ ସେ ଚଳିତ ସିଜିନରେ ଅନେକ ଦମଦାର ଇନିଂସ ଖେଳିଛନ୍ତି। ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ଦଳ ଚୟନ ପୂର୍ବରୁ ତାଙ୍କ ବ୍ୟାଟରୁ ଏହି ଇନିଂସ ଦେଖିବାକୁ ମିଳିଛି।

ଡାହାଣ ହାତୀ ବ୍ୟାଟସମ୍ୟାନ ରାହୁଲ ତ୍ରିପାଠୀ ମୁମ୍ବାଇ ବିପକ୍ଷ ମ୍ୟାଚରେ ୪୪ ବଲରୁ ୯ ଚୌକା ଏବଂ ୩ ଛକା ସହ ୭୬ ରନ କରିଛନ୍ତି। ଏହି ଇନିଂସରେ ତାଙ୍କର ଷ୍ଟ୍ରାଇକ ରେଟ୍ ୧୭୨.୭୩ ରହିଛି। ୩୨ଟି ବଲ୍‌ରୁ ସେ ଅର୍ଦ୍ଧଶତକ ହାସଲ କରିଥିଲେ। ଏଥିସହ ଆଇପିଏଲ ୨୦୨୨ରେ ସେ ତୃତୀୟ ଅର୍ଦ୍ଧଶତକ ପୂରଣ କରିଛନ୍ତି।

ଆଇପିଏଲ ୨୦୨୨ରେ ଏ ପର୍ଯ୍ୟନ୍ତ କୌଣସି ବ୍ୟାଟସମ୍ୟାନ ନମ୍ବର ୩ରେ ଖେଳି ଦୁଇରୁ ଅଧିକ ଅର୍ଦ୍ଧଶତକ ହାସଲ କରି ନଥିଲେ। ଏ ପର୍ଯ୍ୟନ୍ତ ରାହୁଲଙ୍କ ସହିତ ଶ୍ରେୟସ ଆୟର, ସଞ୍ଜୁ ସାମସନ ଏବଂ ମିଚେଲ୍ ମାର୍ଶ ନମ୍ବର ୩ରେ ବ୍ୟାଟିଂ କରି ଦୁଇ ଦୁଇଟି ଅର୍ଦ୍ଧଶତକ ହାସଲ କରିଥିଲେ। ଏବେ ରାହୁଲ ତ୍ରିପାଠୀ ଏହି ତିନି ବ୍ୟାଟସମ୍ୟାନଙ୍କୁ ଅତିକ୍ରମ କରିଛନ୍ତି। ରାହୁଲ ତ୍ରିପାଠୀ ଗୁରୁତ୍ଵପୂର୍ଣ୍ଣ ସମୟରେ ଦଳ ପାଇଁ ଦମଦାର ଇନିଂସ ଖେଳିଛନ୍ତି।

କଣ ପାଇଁ ରାହୁଲଙ୍କ ଚୟନ ହୋଇପାରେ ?

ରିପୋର୍ଟ ଅନୁଯାୟୀ, ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ଦକ୍ଷିଣ ଆଫ୍ରିକା ବିପକ୍ଷ ପାଞ୍ଚ ମ୍ୟାଚର ଟି-୨୦ ସିରିଜରେ ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦେବ। ସୂର୍ଯ୍ୟକୁମାର ଯାଦବ ଫିଟ୍ ନାହାନ୍ତି। ରୋହିତ ଶର୍ମା, ବିରାଟ କୋହଲି, କେଏଲ ରାହୁଲ ଏବଂ ଋଷଭ ପନ୍ତଙ୍କ ପରି ଖେଳାଳିଙ୍କୁ ବିଶ୍ରାମ ମିଳିପାରେ। ଏମିତିରେ ନମ୍ବର ୩ ସ୍ଲଟ୍ ଖାଲି ରହିଛି, ଯେଉଁ ସ୍ଥାନରେ ରାହୁଲ ତ୍ରିପାଠୀ ବ୍ୟାଟିଂ କରି ପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.