ୟୁନିଅନ୍ ବ୍ୟାଙ୍କରେ ରହିବ ଶ୍ରୀମନ୍ଦିର ପାଣ୍ଠି, ମିଳିବ ୫.୭୫ ପ୍ରତିଶତ ସୁଧ

Published By : Prameya-News7 Bureau | March 21, 2020 IST

ପୁରୀ ୨୧।୩: ଶ୍ରୀମନ୍ଦିର ଜମା ଟଙ୍କା ରହିବ ୟୁନିଅନ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ପୁରୀ ମୁଖ୍ୟ ଶାଖାରେ। ସବୁଠାରୁ ଅଧିକ ୫.୭୫ ପ୍ରତିଶତ ସୁଧ ଦେଉଥିବାରୁ ଏହି ବ୍ୟାଙ୍କରେ ପ୍ରାଥମିକ ପର୍ଯ୍ୟାୟରେ ୩୫୨ କୋଟି ସ୍ଥାୟୀ ଜମା ରଖାଯିବ। ୩ ବର୍ଷ ପାଇଁ ଏହି ଅର୍ଥ ରାଶି ସ୍ଥାୟୀ ଜମାରେ ରଖାଯିବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି।

ଶୁକ୍ରବାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ହୋଇଥିବା ଜାତୀୟକରଣ ବ୍ୟାଙ୍କରେ ଟେଣ୍ଡର ପ୍ରକ୍ରିୟା ୧୬ଟି ବ୍ୟାଙ୍କକୁ ଟେଣ୍ଡର ପକାଇବା ପାଇଁ ଡ଼କାଯାଇଥିଲା। ସେଥିମଧ୍ୟରୁ ୮ ଟି ବ୍ୟାଙ୍କ ନିର୍ଦ୍ଦିଷ୍ଟ ସମୟରେ ଆସି ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇଥିଲେ। ସେଥିମଧ୍ୟରୁ ଇଣ୍ଡିଆନ୍ ବ୍ୟାଙ୍କ ଦ୍ବିତୀୟ ସର୍ବାଧିକ ସୁଧହାର ୫.୪୦ ଓ କାନାରା ବ୍ୟାଙ୍କ ତୃତୀୟ ସର୍ବାଧିକ ସୁଧହାର ୫.୦୦ ପ୍ରତିଶତ ଟେଣ୍ଡର ପକାଇଥିଲେ।

ଦ୍ବିତୀୟ ଓ ତୃତୀୟ ସ୍ଥାନରେ ଥିବା ବ୍ୟାଙ୍କକୁ ସର୍ବାଧିକ ସୁଧହାର ୫.୭୫ରେ ଦେବାକୁ କୁହାଯାଇଥିଲେ ମଧ୍ୟ ସେମାନେ ରାଜି ହୋଇନଥିଲେ। ଫଳରେ ପ୍ରଥମ ପର୍ଯ୍ୟାୟରେ ୩୯୭ କୋଟି ଟଙ୍କାରୁ ୩୫୨ କୋଟି ଟଙ୍କା ୟୁନିଅନ୍ ବ୍ୟାଙ୍କରେ ରଖିବାକୁ ନିଷ୍ପତ୍ତି ହୋଇଛି। ଏବେ ଏହି ଟଙ୍କା ଷ୍ଟେଟ୍ ବ୍ୟାଙ୍କରେ ରଖାଯାଇଥିବା ବେଳେ ଖୁବ୍ ଶୀଘ୍ର ଏହାକୁ ୟୁନିଅନ୍ ବ୍ୟାଙ୍କରେ ରଖାଯିବ।

ପୂର୍ବ ନିଷ୍ପତ୍ତି ଅନୁଯାୟୀ ଫାଉଣ୍ଡେସନ ଫଣ୍ଡର ୧୦୦ କୋଟି ଟଙ୍କା ଷ୍ଟେଟ୍ ବ୍ୟାଙ୍କ୍ ଅଫ ଇଣ୍ଡିଆରେ ଜମା କରାଯାଇଥିବା ବେଳେ କର୍ପସ ଫଣ୍ଡ ଓ ଟେମ୍ପୁଲ ଫଣ୍ଡ ଟଙ୍କା ୟୁନିଅନ୍ ବ୍ୟାଙ୍କରେ ଜମା ହେବ। ୩୦ ତାରିଖରେ ୟେସ୍ ବ୍ୟାଙ୍କରେ ପରିପକ୍ବ ହେଉଥିବା ୧୫୬ କୋଟି ଟଙ୍କା କେଉଁଠି ରହିବ ତାହା ପରେ ନିଷ୍ପତ୍ତି ନିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.