ଦୁର୍ଘଟଣା ଘଟାଇଲେ ପୁ୍ଅ, ଗିରଫ ହେଲେ ବାପା, ନାବାଳକକୁ ଗାଡି ଦେବା କେତେ ବିପଜ୍ଜନକ? ଜାଣନ୍ତୁ ନିୟମ...

Published By : Prameya-News7 Bureau | May 22, 2024 IST

ମହାରାଷ୍ଟ୍ର ୨୨/୦୫: ପୁଅ ପାଇଁ ଭୋଗିଲେ ବାପା । ଏମିତିକି ଜେଲ୍ ଯିବାକୁ ବି ପଡିଲା । ପୁଣେରେ ପୋର୍ସେ କାର ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ପରେ ନାବାଳକ ଅଭିଯୁକ୍ତଙ୍କ ବାପାଙ୍କୁ ଗିରଫ କରିଛି ପୋଲିସ । ମେ ୧୮ରେ ଘଟିଥିଲା ଏହି ଘଟଣା । | ପୋଲିସର ସୂଚନାନୁସାରେ, ନାବାଳିକା ଜଣକ ଘଟଣା ସମୟରେ ମଦ୍ୟପାନ କରିଥିବାର ଅଭିଯୋଗ ହୋଇଥିଲା। 

ମଦ୍ୟପାନ କରି ସେ ବାଇକ୍ ଆରୋହୀଙ୍କୁ ତାଙ୍କ ପୋର୍ସେ କାରରେ ଧକ୍କା ଦେବାରୁ ଉଭୟଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ମୃତ ଦୁଇ ଇଞ୍ଜିନିୟର ଥିଲେ ମଧ୍ୟପ୍ରଦେଶର ବାସିନ୍ଦା । ଦୁହେଁ ପୁଣେର ଏକ ଆଇଟି କମ୍ପାନୀରେ କାମ କରୁଥିଲେ । ପୁଣେର କଲ୍ୟାଣୀ ନଗରରେ ଏହି ଘଟଣା ଘଟିଛି। 

ଘଟଣା ପରେ ପୋଲିସ ୧୭ ବର୍ଷ ବୟସ୍କ ନାବାଳକକୁ ଗିରଫ କରିଥିଲା। କିନ୍ତୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ ତାଙ୍କୁ କିଛି ସର୍ତ୍ତରେ ଜାମିନ ପ୍ରଦାନ କରିଥିଲା । ଜାମିନ ସର୍ତ୍ତରେ ୩୦୦ ଶବ୍ଦର ପ୍ରବନ୍ଧ ଲେଖିବାର ସର୍ତ୍ତ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା । ଏହା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତଙ୍କ ପିତା ବିଶାଲ ଅଗ୍ରୱାଲଙ୍କୁ ଗିରଫ କରିଛି । 

ଅଭିଯୁକ୍ତ ନାବାଳକଙ୍କ ବାପା ବିଶାଲ ଅଗ୍ରୱାଲ ଜଣେ ରିଏଲ୍ ଇଷ୍ଟେଟ୍ ବ୍ୟବସାୟୀ । ପୁଣେ ପୋଲିସ କମିଶନର ଅମିତେଶ କୁମାର କହିଛନ୍ତି ଯେ ନାବାଳକଙ୍କ ପିତା ମଙ୍ଗଳବାର ଦିନ ଛତ୍ରପତି ସମ୍ୱଜିନଗରରୁ ଗିରଫ ହୋଇଥିଲେ । ତାଙ୍କୁ ବୁଧବାର କୋର୍ଟରେ ହାଜର କରାଯାଇଛି । ଧାରା ୭୫ ଧାରା ୭୭ ଆଧାରରେ ତାଙ୍କୁ ଗିରଫ କରାଯାଇଛି । 

କହିବାକୁ ଗଲେ ତାଙ୍କ ପାଖରେ ବୈଧ ଡ୍ରାଇଭିଂ ଲାଇସେନ୍ସ ନଥିଲା । ଏସବୁ ଜାଣିବା ପରେ ବି ବାପା ପୁଅକୁ କାର ଦେଇଥିବାର ଅଭିଯୋଗ ହୋଇଛି । କେବଳ ଏତିକି ନୁହେଁ, ସେ ମଧ୍ୟ ଜାଣିଥିଲେ ଯେ ତାଙ୍କ ପୁଅ ମଦ୍ୟପାନ କରି ଗାଡି ଚଳାଉଚନ୍ତି । ତଥାପି ସେ ତାଙ୍କୁ ପାର୍ଟୀକୁ ଯିବାକୁ ଅନୁମତି ଦେଇଥିଲେ । 

ଏହି ମାମଲାରେ ପୋଲିସ ଆଇପିସିର ଧାରା ୩୦୪ ଏବଂ ମୋଟର ଯାନ ଅଧିନିୟମ ଅନୁଯାୟୀ ଅଭିଯୁକ୍ତ ବାଳକ ବିରୋଧରେ ମାମଲା ରୁଜୁ ହୋଇଛି । ୨୦୧୯ରେ ମୋଟର ଯାନ ଅଧିନିୟମ ସଂଶୋଧନ କରାଯାଇଥିଲା । ସଂଶୋଧନ ଜରିଆରେ ନାବାଳିକା ଅପରାଧୀଙ୍କ ପାଇଁ ଏକ ଅଲଗା ବିଭାଗ ଆଡ୍ କରାଯାଇଥିଲା । 

ଏଥିରେ ନାବାଳିକାଙ୍କ ଅପରାଧ ପାଇଁ ପିତାମାତା, ଅଭିଭାବକ କିମ୍ବା ଗାଡି ମାଲିକଙ୍କ ଦାୟି ବୋଲି କୁହାଯାଇଥିଲା । ମୋଟର ଯାନ ଅଧିନିୟମର ଧାରା ୧୯୯ A କହିଛି ଯେ ଯଦି ଜଣେ ନାବାଳକ କୌଣସି ଅପରାଧ କଲେ, ତେବେ ଏପରି ପରିସ୍ଥିତିରେ ତାଙ୍କ ପିତାମାତା କିମ୍ବା ଅଭିଭାବକ କିମ୍ବା ଗାଡିର ମାଲିକ ଦୋଷୀ ବିବେଚିତ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.