ଦେଶରେ ଲକ୍‌ଡାଉନ୍‌ ଲଗାଇ ନିଜେ ଜନ୍ମଦିନ ପାଳନ କରୁଥିଲେ ପ୍ରଧାନମନ୍ତ୍ରୀ ବୋରିସ ଜନସନ, ବଢିଲା ମୁସ୍କିଲ

Published By : Prameya-News7 Bureau | January 25, 2022 IST

ଲଣ୍ଡନ ୨୫।୦୧: ଜନ୍ମଦିନ ପାଳନ କରି ମୁସ୍କିଲରେ ଫସିଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ। ଜନ୍ମଦିନ ପାଳନର ଫଟୋ ଭାଇରାଲ୍ ହେବା ପରେ ତାଙ୍କ ଅଡୁଆ ଆହୁରି ବଢି ଯାଇଛି। ଏହି ମାମଲା ୨୦୨୦ର। ଯେତେବେଳେ କରୋନା ମହାମାରୀ କାରଣରୁ ସମଗ୍ର ଦେଶରେ ଲକ୍‌ଡାଉନ୍ ଲାଗୁ ହୋଇଥିଲା ଏବଂ ସମସ୍ତ ନାଗରିକ ଘରେ ବନ୍ଦୀ ଥିଲେ, ସେହି ସମୟରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କିଛି ଅତିଥିଙ୍କ ସହ ଡାଉନିଂ ଷ୍ଟ୍ରିଟ୍‌ରେ ଜନ୍ମଦିନ ପାଳନ କରୁଥିଲେ। ଏହାର ଫଟୋ ସାମ୍ନାକୁ ଆସିବା ପରେ ଲୋକେ ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କୁ ଆକ୍ଷେପ କରିବା ସହ କଠୋର ଭାଷାରେ ସମାଲୋଚନା କରିଛନ୍ତି।

ବ୍ରିଟିଶ ଗଣମାଧ୍ୟମ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଜନସନ ଗତ ବର୍ଷ ଜୁନ ୧୯ରେ ଏକ ଜନ୍ମଦିନ ପାର୍ଟିରେ ଯୋଗ ଦେଇଥିଲେ। ଏହି ପାର୍ଟି ତାଙ୍କ ପତ୍ନୀ କ୍ୟାରୀଙ୍କ ପକ୍ଷରୁ ଆୟୋଜନ କରାଯାଇଥିଲା। ଏହାର ଆୟୋଜନ ଡାଉନିଂ ଷ୍ଟ୍ରିଟରେ କ୍ୟାବିନେଟ୍ ରୁମ୍ ନମ୍ବର ୧୦ରେ ହୋଇଥିଲା। ସେହି ସମୟରେ ସମଗ୍ର ଦୁନିଆ କରୋନା ମହାମାରୀରେ ସଂଘର୍ଷ କରୁଥିଲା। ଏପରିକି ବ୍ରିଟେନରେ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ମଧ୍ୟ ଲଗାଯାଇଥିଲା। ଲୋକଙ୍କୁ ସାମାଜିକ ଉତ୍ସବରେ ସାମିଲ୍ ହେବାକୁ ଅନୁମତି ନଥିଲା।

କିନ୍ତୁ ଜନସନ ନିଜ ପତ୍ନୀଙ୍କ ସହ ମିଶି ଜନ୍ମଦିନ ପାଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ୩୦ ଅତିଥି ଯୋଗ ଦେଇଥିଲେ। ଏହି ଘଟଣାର ତଦନ୍ତ ଜାରି ରହିଛି। କ୍ୟାବିନେଟ୍ କାର୍ଯ୍ୟାଳୟର ଅଧିକାରୀ ସୁ ଗ୍ରେ ଦ୍ଵାରା ଲକ୍‌ଡାଉନ୍ ପାର୍ଟିକୁ ନେଇ ହୋଇଥିବା ତଦନ୍ତ ରିପୋର୍ଟ ଚଳିତ ସପ୍ତାହର ଶେଷ ଆଡକୁ ଆସିପାରେ।

ତେବେ ବୋରିସଙ୍କ କାର୍ଯ୍ୟାଳୟ ପକ୍ଷରୁ ଏପରି ଆୟୋଜନକୁ ଖଣ୍ଡନ କରାଯାଇଛି। ଏହି ଘଟଣାକୁ ମିଥ୍ୟା ବୋଲି କୁହାଯାଇଛି। ଏହା ମଧ୍ୟ କୁହାଯାଇଛି ଯେ, ସେହି ଦିନ ସନ୍ଧ୍ୟାରେ ନିୟମ ଅନୁସାରେ ପ୍ରଧାନମନ୍ତ୍ରୀ ପରିବାରର କିଛି ସଦସ୍ୟଙ୍କ ସହିତ ଏକ ପାର୍ଟି ଆୟୋଜନ କରିଥିଲେ। ବିରୋଧୀ ଲେବର ପାର୍ଟି ପ୍ରଧାନମନ୍ତ୍ରୀଙ୍କୁ କଠୋର ଭାଷାରେ ସମାଲୋଚନା କରିବା ସହିତ ଏହାକୁ ବରଦାସ୍ତ କରଯାଇ ପାରିବ ନାହିଁ ବୋଲି କହିଛନ୍ତି। ଜନସନଙ୍କୁ ନୈତିକତା ଆଧାରରେ ଇସ୍ତଫା ଦେଇଦେବା ଉଚିତ୍। ଆମର ଦୁର୍ଭାଗ୍ୟ ଏହା ଯେ, ଆମକୁ ଏମିତି ଜଣେ ପ୍ରଧାନମନ୍ତ୍ରୀ ମିଳିଛି, ଯିଏ ଲୋକଙ୍କ ପାଇଁ କଡା ନିୟମ ଲାଗୁ କରୁଛି, ମାତ୍ର ନିଜ ଉପରେ ଲାଗୁ କରି ପାରୁନାହିଁ ବୋଲି ବିରୋଧୀ ଦଳ ଲେବର ପାର୍ଟି ପକ୍ଷରୁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.