ପ୍ରଧାନମନ୍ତ୍ରୀଙ୍କ ଦକ୍ଷିଣ ଓଡ଼ିଶା ଗସ୍ତ ପୂର୍ବରୁ ଚଳଚଞ୍ଚଳ ବିଜେପି କ୍ୟାମ୍ପ୍, ପ୍ରସ୍ତୁତି ଜୋରଦାର

Published By : Prameya-News7 Bureau | May 02, 2024 IST

ବ୍ରହ୍ମପୁର: ଆସନ୍ତା ୬ ତାରିଖରେ ଅର୍ଥାତ୍ ଆସନ୍ତା ସୋମବାର ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଓଡ଼ିଶା ଆସିବା ସହ ମାନ୍ୟବର ପ୍ରଧାନମନ୍ତ୍ରୀ ବ୍ରହ୍ମପୁର ଗସ୍ତ କରି ସେଠାରେ ଦଳୀୟ କର୍ମୀଙ୍କୁ ଆଗାମୀ ନିର୍ବାଚନ ପାଇଁ ଉଦବୋଧନ ଦେବେ। 

ଏନେଇ ଗୁରୁବାର ଏକ "ସାମ୍ବାଦିକ ସମ୍ମିଳନୀ" ଗାନ୍ଧୀ ନଗର ସ୍ଥିତ ମିଡିଆ ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଇଯାଇଛି l ବ୍ରହ୍ମପୁର, ଆସ୍କା ଏବଂ କନ୍ଧମାଳ ତିନୋଟି ଲୋକସଭା କ୍ଷେତ୍ରକୁ ନେଇ ଗଠିତ ବ୍ରହ୍ମପୁର ଜୋନ୍ ମିଡ଼ିଆ ସେଣ୍ଟର୍ ଠାରେ ଜୋନ୍ ମିଡ଼ିଆ ସଂଯୋଜକ ସୁନିଲ କୁମାର ସାହୁଙ୍କ ସଂଯୋଜନାରେ ଏହି "ସାମ୍ବାଦିକ ସମ୍ମିଳନୀ" ଅନୁଷ୍ଠିତ ହୋଇଥିଲା । 

ସୂଚନା ଅନୁଯାୟୀ, ଆଗାମୀ ୬ ତାରିଖରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ କନିଷି ହାଟ ନିକଟସ୍ଥ ପଡ଼ିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ଏକ ବିଶାଳ ଜନସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି   l ଏହି ଜନସଭାରେ ବ୍ରହ୍ମପୁର ଏବଂ ଆସ୍କା ଦୁଇ ଲୋକସଭା କ୍ଷେତ୍ରର ଲୋକସଭା ପ୍ରାର୍ଥୀ, ଏହି ଦୁଇ ଲୋକସଭା କ୍ଷେତ୍ର ଅନ୍ତର୍ଗତ ସମସ୍ତ ବିଧାନସଭା ପ୍ରାର୍ଥୀଙ୍କ ସମେତ ଲକ୍ଷାଧିକ ଲୋକ ସାମିଲ୍ ହେବେ । 

ଏହା ସହ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ବହୁ ରାଜ୍ୟ ଏବଂ କେନ୍ଦ୍ରୀୟ ସ୍ତରୀୟ ନେତୃବୃନ୍ଦ ଏହି ଜନସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଡ଼ଃ ପ୍ରଦୀପ ପାଣିଗ୍ରାହୀ ସୂଚନା ଦେଇଛନ୍ତି । 

ଉଲ୍ଲେଖଯୋଗ୍ୟ, ଗୁରୁବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲା ସଭାପତି ଡ଼ା.ସୁବାସ ସାହୁ,ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଡ଼ଃ ପ୍ରଦୀପ ପାଣିଗ୍ରାହୀ, ବ୍ରହ୍ମପୁର ବିଧାନସଭା ପ୍ରାର୍ଥୀ କେ.ଅନିଲ କୁମାର,ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର,ବିଜେପି ନେତା ପୀତବାସ ପଣ୍ଡା,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡଙ୍ଗୀ ପ୍ରମୁଖ ମଞ୍ଚାସୀନ ଥିଲେ l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.