ରବିବାର ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ସୋମବାର ବ୍ରହ୍ମପୁର ଓ ନବରଙ୍ଗପୁରରେ କରିବେ ପ୍ରଚାର

Published By : Prameya-News7 Bureau | May 05, 2024 IST

ଭୁବନେଶ୍ୱର, ୫/୫: ରବିବାର ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଆଜି ରାତିରେ ଭୁବନେଶ୍ବରରେ ପହଞ୍ଚିବେ । ରାଜଭବନରେ ରାତ୍ରି ଯାପନ କରିବେ । ଆସନ୍ତାକାଲି ଅର୍ଥାତ୍ ସୋମବାର ଦକ୍ଷିଣ ଓଡ଼ିଶା ଗସ୍ତ କରି ବ୍ରହ୍ମପୁର, ନବରଙ୍ଗପୁରରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ । 

ଖାଲି ସେତିକି ନୁହେଁ, ସପ୍ତାହକ ଭିତରେ ମୋଦି ପୁଣି ଆସିବେ ଓଡ଼ିଶାକୁ । ସୂଚନା ଅନୁଯାୟୀ, ଆସନ୍ତା ୧୦ ତାରିଖରେ ମୋଦି ଭୁବନେଶ୍ୱରରେ ରୋଡ୍‌ ସୋ’ କରିବେ । ରାଜଧାନୀରେ ରୋଡ୍‌ ସୋ’ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିବେ । 

ସେହିପରି ୧୧ ତାରିଖରେ ବଲାଙ୍ଗୀର ଗସ୍ତ କରି ଜନସଭାକୁ ସମ୍ବୋଧିତ କରିପାରନ୍ତି । ମାତ୍ର ଏ ନେଇ ବିଧିବଦ୍ଧ ସୂଚନା ଜାରି କରାଯାଇନାହିଁ । ସାଂସଦ ଅପରାଜିତା ଷଡ଼ଙ୍ଗୀ ସ୍ପଷ୍ଟ କରିଛନ୍ତି, ମୋଦି ୧୦ରେ ଭୁବନେଶ୍ୱରରେ ରୋଡ୍‌ ସୋ’ କରିବା କାର୍ଯ୍ୟକ୍ରମ ରହିଛି । ମୋଦିଙ୍କ ଦୁଇ ଦୁଇ ଥର ଓଡ଼ିଶା ଗସ୍ତକୁ ନେଇ ବିଜେପି ଶିବିର ପୂରା ଉତ୍ସାହିତ ଅଛି । 

ଏପଟେ ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା । ରାଜ୍ୟ ପାଇଁ ଇସ୍ତାହାର ଜାରି କରିବେ । ଦଳୀୟ କର୍ମୀଙ୍କୁ ବିଜୟ ମନ୍ତ୍ର ଦେବେ । କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌.ଜୟଶଙ୍କର ଦୁଇଦିନିଆ ଗସ୍ତରେ ଆସି ଭୁବନେଶ୍ୱରରେ ଡେରା ପକାଇଛନ୍ତି । ସେ ବୁଦ୍ଧିଜୀବୀଙ୍କୁ ଭେଟିଛନ୍ତି । ରାଜ୍ୟର ପ୍ରତିଷ୍ଠିତ ଗଣମାଧ୍ୟମ ସମ୍ପାଦକମାନଙ୍କ ସହ ଆଲୋଚନା କରିଛନ୍ତି ଜୟଶଙ୍କର । ଏହାସହିତ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କ ୧୦ ବର୍ଷର କାମ ହିସାବ ଦେବା ସହ ରାଜ୍ୟ ସରକାରଙ୍କ ବିଫଳତା ନେଇ ବର୍ଷିଛନ୍ତି । ରବିବାର ସେ କଟକରେ କର୍ମୀମାନଙ୍କୁ ଉତ୍ସାହିତ କରିବେ ।

 

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.