କନିଷି ସଭାରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ- ଏଥର ଓଡିଶାରେ ଡବଲ ଇଞ୍ଜିନ ସରକାର

Published By : Prameya-News7 Bureau | May 06, 2024 IST

ବ୍ରହ୍ମପୁର ୦୫।୦୫: ବିଜେପିର ମିଶନ ଓଡିଶା । ଏହିକ୍ରମରେ ବ୍ରହ୍ମପୁର କନିଷିରେ ଆୟୋଜିତ ହୋଇଛି ବିଜେପିର ବିଜୟ ସଂକଳ୍ପ ସମାବେଶ । ଏହି ସଭାରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜୟ ଜଗନ୍ନାଥ କହି ସମ୍ବୋଧନ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । 

କନିଷି ସଭାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କାଲି ରାମଙ୍କ ନଗରୀରେ ଥିଲି, ଆଜି ଜଗନ୍ନାଥ ଧାମରେ । ‘ରାମ ମନ୍ଦିର ମୋଦି ନୁହେଁ ଆପଣଙ୍କ ଭୋଟ ତିଆରି କରିଛି । ଆପଣମାନଙ୍କ ଭୋଟ ବଳରେ ହିଁ ରାମ ମନ୍ଦିର ନିର୍ମାଣ ହୋଇଛି। ଆଗାମୀ ଦିନରେ ଓଡିଶା ପରିବର୍ତ୍ତନ ହେବ । ପୂର୍ବ ସରକାର ହଟିବ । ନୂତନ ସରକାର ଆସିବ । ଓଡିଶାରେ ନୂଆ ସୂର୍ଯ୍ୟୋଦୟ ହେବ । ଓଡିଶାରେ ଏଥର ହେବ ଡବଲ ଇଞ୍ଜିନ ସରକାର । ଜୁନ୍‌ ୪ରେ ପରେ ଓଡିଶାରେ ଆସିବ ବିଜେପି ସରକାର । ୬ ଜୁନ୍‌ରେ ଆପଣମାନେ ଜାଣିବେ ବିଜେପିର ନୂତନ ମୁଖ୍ୟମନ୍ତ୍ରୀ ଚେହେରା । ଏହାପରେ ଜୁନ୍‌ ୭ରେ ହେବ ବିଜେପି ସରକାରର ଶପଥ ଗ୍ରହଣ ଉତ୍ସବ । ସମସ୍ତଙ୍କୁ ନିମନ୍ତ୍ରଣ ରହିଲା । ସମସ୍ତେ ଆସିବେ । ମୁଁ ଆସିଛି ଆପଣମାନଙ୍କୁ ନିମନ୍ତ୍ରଣ ଦେବାକୁ ।

ସାରା ଦେଶରେ ଓଡିଶା ଧନୀ ରାଜ୍ୟ । କିନ୍ତୁ ଲୋକ ଏଠାରେ ଗରିବ । ଓଡିଶାରେ ପାଖରେ ଜମି ଅଛି, ପାଣି ଅଛି, ବଡ଼ ସମୁଦ୍ର ତଟ ବି ଅଛି । ତଥାପିରେ ଆମେ ପଛରେ । ତେବେ ଲୋକଙ୍କ ଗରିବ ହେବା ପାଇଁ  ଦାୟୀ କିଏ ? କେନ୍ଦ୍ର ଟଙ୍କା ଦେଉଛି । ହେଲେ ରାଜ୍ୟ ସରକାର ଠିକ୍‌ ଭାବେ ଉପଯୋଗ କରିପାରୁନାହାନ୍ତି । ଯାହାଫଳରେ ଟଙ୍କା ଫେରସ୍ତ ଯାଉଛି । ଏପିରିକି କିଛି ଯୋଜନାରେ କେନ୍ଦ୍ର ଟଙ୍କା ଦେଉଛି, ହେଲେ ରାଜ୍ୟର ଷ୍ଟିକର ମରାଯାଉଛି । 

ସୋନିଆ ଗାନ୍ଧୀଙ୍କ ରିମୋଟ କଣ୍ଟ୍ରୋଲ ସରକାର ୧୦ ବର୍ଷରେ ଓଡିଶାକୁ ଦେଇଥିଲେ ୧ ଲକ୍ଷ କୋଟି । ଆଉ ବିଜେପି ନେତୃତ୍ୱାଧୀନ ସରକାର ୧୦ ବର୍ଷରେ ୩.୫ ଲକ୍ଷ କୋଟିରୁ ଅଧିକ ଟଙ୍କା ଦେଇସାରିଛି । ତେଣୁ ବିକାଶିତ କାମ ପାଇଁ ଆମ ସରକାର କେବେ ବି ପଛରେ ନାହିଁ । ବିକଶିତ କାମ ପାଇଁ ଟଙ୍କାର ଅଭାବ ନାହିଁ । 

ବିଜେପିର ନୀତି ସୁଶାସନ । ଯେଉଁ ରାଜ୍ୟରେ ଲୋକ ଆମକୁ ଆର୍ଶୀବାଦ ଦେଉଛନ୍ତି । ସେଠାରେ ଆମେ ବିକାଶ କାମରେ ଲାଗିପଡୁଛି । ଆଉ  ଗରିବ ଶ୍ରେଣୀରୁ ଉପରକୁ ଉଠାଇ ବିକଶିତ ରାଜ୍ୟ ଆଡକୁ ଅଗ୍ରସୀତ କରୁଛୁ । ଯାହାର ଜ୍ୱଲନ୍ତ ଉଦାହରଣ ତ୍ରିପୁରା । ଅନେକ ବର୍ଷ ଧରି ଅନ୍ୟ ଦଳ ତ୍ରିପୁରାରେ ଶାସନ ଗାଦିରେ ବସିଥିଲେ । ଶେଷରେ ୨୦୧୮ରେ ତ୍ରିପୁରାବାସୀ ବିଜେପିକୁ ଭରସା କରିଲେ । ଆଉ ବିପୁଳ ପରିମାଣରେ ବିଜୟୀ କରାଇଥିଲେ । ତାପରେ ଆମେ ରାଜ୍ୟର ବିକାଶ କାମରେ ବଢିଚାଲିଛୁ । ପଛକୁ ଫେରି ଚାହିଁନାହୁଁ । 

  • Lok Sabha Election 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.