ଅଧିକ ସମୟ କାର୍‌ରେ ଯାତ୍ରା କରୁଛନ୍ତି କି ? ହୋଇପାରେ କ୍ୟାନସର…

Published By : Prameya-News7 Bureau | May 09, 2024 IST

ନୂଆଦିଲ୍ଲୀ ୦୯।୦୫: ବିଷାକ୍ତ ହେଉଛି ବାୟୁମଣ୍ଡଳ । ଏହାକୁ ସାଥ୍‌ ଦେଉଛି କାର୍‌ । ଏଣିକି କାର୍‌ ଭିତରର ମହୋଲ୍‌ ମଧ୍ୟ ମଣିଷଙ୍କ ପାଇଁ ହାନିକାରକ । ପ୍ରଶ୍ବାସରେ ଯାଉଛି ବିଷାକ୍ତ ରାସାୟନିକ ଗ୍ୟାସ । କାର୍‌ ଭିତରର ବାୟୁ କର୍କଟ ରୋଗର କାରଣ ହୋଇପାରେ । ଖାସ୍‌ କରି ଖରାଦିନେ ଏହି ରାସାୟନିକ ଗ୍ୟାସର ମାତ୍ରା ଅଧିକ । ଏନେଇ ନିଜ ଅଧ୍ୟୟନରେ ପ୍ରକାଶ କରିଛି ଏନ୍‌ଭିରନ୍‌ମେଣ୍ଟାଲ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି । 

ରିପୋର୍ଟ ଅନୁଯାୟୀ କାର୍‌ ଭିତରେ ଥିବାବେଳେ ଆମେ କର୍କଟ-କାରକ ରସାୟନକୁ ପ୍ରଶ୍ୱାସରେ ନେଉଛୁ । ଦୀର୍ଘ ସମୟ ଧରି କାର୍‌ ଚଳାଉଥିବା ବ୍ୟକ୍ତି ଏହାର ଶିକାର ହୋଇପରାନ୍ତି । ଖାସ୍‌ କରି କାର୍‌ରେ ଯାତ୍ରା କରୁଥିବା ଛୋଟ ପିଲାଙ୍କ ପାଇଁ ଏହି ଅଧ୍ୟୟନ ଚିନ୍ତାର କାରଣ ପାଲଟିଛି । କାରଣ ବୟସ୍କଙ୍କ ଅପେକ୍ଷା ପିଲାଙ୍କ ଶ୍ୱାସକ୍ରିୟା ହାର ଅଧିକ । 

ଅଧ୍ୟୟନ ଅନୁସାରେ କାର୍‌ ଭିତରେ ଥିବା ବିଷାକ୍ତ ରାସାୟନିକ ବାୟୁର ମାତ୍ରା ଖରାଦିନେ ସର୍ବାଧିକ । କାରଣ କାର୍‌ ଉପକରଣ ଗୁଡ଼ିକରୁ ଉତ୍ତାପ ଯୋଗୁ ଅନେକ ରସାୟନ ଉତ୍ପନ୍ନ ହୋଇଥାଏ । କାର୍‌ ଭିତରେ କର୍କଟ-କାରକ ତତ୍ତ୍ୱଗୁଡ଼ିକର ଉତ୍ସ ହେଉଛି ସିଟ୍‌ ଫୋମ୍‌ । କାର୍‌ ନିର୍ମାଣକାରୀ କମ୍ପାନି ସିଟ୍‌ ଫୋମ୍‌ ଓ ଅନ୍ୟ ଉପକରଣରେ ବିଭିନ୍ନ ଘାତକ ରସାୟନ ପକାଇଥାନ୍ତି ବୋଲି ବୈଜ୍ଞାନିକମାନେ କହିଛନ୍ତି । 

ବୈଜ୍ଞାନିକମାନେ କାର୍‌ ଭିତର ବାୟୁକୁ ୨୦୧୫ରୁ ୨୦୨୨ ମସିହା ମଧ୍ୟରେ ପରୀକ୍ଷା କରିଥିଲେ । ପରୀକ୍ଷାରୁ ଜଣାପଡ଼ିଲା ୯୯ ପ୍ରତିଶତ କାର୍‌ରେ TCIPP ନାମକ ଫ୍ଲେମ୍‌ ରିଟାର୍ଡାଣ୍ଟ୍‌ ଥିଲା । ଏହା ଏକ ସମ୍ଭାବ୍ୟ କର୍କଟ କାରକ ତତ୍ତ୍ୱ । ତେବେ ଅଧିକାଂଶ କାର୍‌ରେ ଆଉ ଦୁଇଟି ଫ୍ଲେମ୍‌ ରିଟାର୍ଡାଣ୍ଟ TCIPP ଓ TCEP ଥିଲା । ଯାହାକୁ କର୍କଟ-କାରକ ତତ୍ତ୍ୱ ରୂପେ ବିବେଚନା କରାଯାଏ । ଏହି ରାସାୟନିକ ତତ୍ତ୍ୱ ସ୍ନାୟବିକ ଓ ପ୍ରଜନନ ଜନିତ କ୍ଷତି କରିପାରେ । 

ତେବେ ବୈଜ୍ଞାନିକଙ୍କ ଅନୁଯାୟୀ କାର୍‌ ଡୋର୍‌ ଖୋଲା ରଖି ଏବଂ କାର୍‌କୁ ଛାଇ ତଳେ କିମ୍ବା ଗ୍ୟାରେଜ୍‌ରେ ପାର୍କ କରି ବିଷାକ୍ତ ରାସାୟନିକ ଗ୍ୟାସ୍‌ ଉତ୍ପନ୍ନକୁ ହ୍ରାସ କରାଯାଇ ପାରିବ । କିନ୍ତୁ ସବୁଠୁ ଜରୁରି ହେଉଛି କାର୍‌ରେ ବ୍ୟବହୃତ ଫ୍ଲେମ୍‌ ରିଟାର୍ଡାଣ୍ଟ୍‌ର ପରିମାଣକୁ ହ୍ରାସ କରିବା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.