ସଡକ ଦୁର୍ଘଟଣାରେ ଲୋକପ୍ରୀୟ ମରାଠୀ ଗାୟିକା ଗୀତା ମାଲିଙ୍କ ମୃତ୍ୟୁ, ସ୍ୱାମୀ ଗୁରୁତର

ମୁମ୍ବାଇ: ମରାଠୀ ଫିଲ୍ମ ଉଦ୍ୟୋଗର ଜଣାଶୁଣା ଗାୟିକା ଗୀତା ମାଲିଙ୍କର ଏକ ସଡକ ଦୁର୍ଘଟଣାରେ ପରଲୋକ ହୋଇଛି। ମୁମ୍ବାଇ-ଆଗରା ଜାତୀୟ ରାଜମାର୍ଗରେ ତାଙ୍କ କାର ଏକ ଟ୍ୟାଙ୍କର ସହ ଧକ୍କା ଲାଗିବା ଯୋଗୁ ଘଟଣାସ୍ଥଳରେ ଗୀତା ପ୍ରାଣ ହରାଇଛନ୍ତି। କାରରେ ତାଙ୍କ ସହ ସ୍ୱାମୀ ବିଜୟ ମାଲି ମଧ୍ୟ ଥିଲେ। ଦୁର୍ଘଟଣାରେ ବିଜୟ ଗୁରୁତର ଆହତ ହୋଇଛନ୍ତି।

ଗତ ୨ ମାସ ହେଲା ଗୀତା ଆମେରିକାରେ ଅବସ୍ଥାନ କରୁଥିଲେ। ସେଠାରେ ତାଙ୍କର ଷ୍ଟେଜ୍ କାର୍ଯ୍ୟକ୍ରମ ଶେଷ ହେବା ପରେ ସେ ଗୁରୁବାର ଆସି ମୁମ୍ବାଇରେ ପହଞ୍ଚିଥିଲେ। ମୁମ୍ବାଇ ବିମାନ ବନ୍ଦରରୁ ସେ କାର ଯୋଗେ ତାଙ୍କ ଘର ନାସିକ ଯାଉଥିଲେ। ମୁମ୍ବାଇ-ଆଗରା ଜାତୀୟ ରାଜମାର୍ଗରେ ତାଙ୍କ କାର ସନ୍ତୁଳନ ହରାଇ ରାସ୍ତାକଡରେ ଛିଡାହୋଇଥିବା ଏକ ଟ୍ୟାଙ୍କର ପଛରେ ପିଟି ହୋଇଥିଲା।

ସ୍ୱାମୀଙ୍କ ସହ ଗୀତାଙ୍କୁ ଲୋକେ ଉଦ୍ଧାର କରି ଶାହାପୁର ଗ୍ରାମୀଣ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଗୀତାଙ୍କୁ ମୃତ ଘୋଷଣା କରିଥିବା ବେଳେ ତାଙ୍କ ସ୍ୱାମୀ ଏବେ ଚିକିତ୍ସାଧୀନ ଅଛନ୍ତି। ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କରିବା ପରେ ଗୀତା ସେଠାରେ ନିଜର ସେଲଫି ଉଠାଇଥିଲେ। ଫଟୋକୁ ଫେସବୁକ୍ ରେ ସେୟାର କରି ସେ ଖୁବ୍ ଶୀଘ୍ର ଘରକୁ ପହଞ୍ଚୁଥିବା ଜଣାଇଥିଲେ। ହେଲେ ଗୃହନଗର ନାସିକକୁ ତାଙ୍କ ଯାତ୍ରା ଅଧାରେ ରହିଯାଇଛି।
222 Views