ପାୱାର କରିଡର୍‌ରେ ଓଡ଼ିଆ ଅଫିସର

Published By : Prameya-News7 Bureau | August 07, 2020 IST

ଭୁବନେଶ୍ୱର୭/୮: ଆର୍‌ବିଆଇ ହେଉ କି ସିଏଜି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅବା ଏନ୍‌ଡିଆର୍‌ଏଫ୍‌, ସବୁଠି ଏବେ ଓଡ଼ିଆଙ୍କ ଦବ୍‌ଦବା । ନିଜ ଦକ୍ଷତା ବଳରେ ଓଡ଼ିଆ ପୁଅ ପହଞ୍ଚିଛନ୍ତି ଦେଶର କ୍ଷମତାଶାଳୀ ପଦବିରେ । ତାଙ୍କର ସଫଳତା ପାଇଁ ସାରା ଓଡ଼ିଶା ଆଜି ଗର୍ବିତ ।

ଗିରୀଶ ଚନ୍ଦ୍ର ମୁର୍ମୁ । ଆଜି ଦେଶର ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି) ନିଯୁକ୍ତ ହୋଇଛନ୍ତି । ମୟୂରଭଞ୍ଜ ବେତନଟିର ଏକ ସାନ୍ତାଳି ପରିବାରରେ ଜନ୍ମିତ ଶ୍ରୀ ମୁର୍ମୁ ପ୍ରଥମ ଓଡ଼ିଆ ଭାବେ ଏହି ଗୁରୁତ୍ୱପୂର୍ଣ୍ଣ ପଦରେ ଆସୀନ । କେବଳ ମୁର୍ମୁ ନୁହନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର କ୍ଷମତାକୁ ଆସିବା ପରେ ଦେଶର ପାୱାର କରିଡର୍‌ରେ ଓଡ଼ିଆଙ୍କ ରାଜୁତି ମୁଣ୍ଡ ଟେକିଛି ।

କେନ୍ଦ୍ର ପାୱାର କରିଡର୍‌ର ସର୍ବୋଚ୍ଚ ଆସନରେ ଅଛନ୍ତି ଓଡ଼ିଶା ମାଟିର ପୁଅ ପି କେ ମିଶ୍ର । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ର ପ୍ରମୁଖ ସଚିବ ଭାବେ ଭାରତ ସରକାରଙ୍କ ସବୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ହସ୍ତକ୍ଷେପର ଅଧିକାର ମିଳିଛି ଶ୍ରୀ ମିଶ୍ରଙ୍କୁ । ସମ୍ବଲପୁରରେ ଜନ୍ମିତ ୧୯୭୨ ବ୍ୟାଚ୍‌ ଗୁଜରାଟ କ୍ୟାଡର୍‌ର ଏହି ପ୍ରଶାସନିକ ସେବା ଅଧିକାରୀ ୨୦୧୯ ସେପ୍ଟେମ୍ବରରୁ ଏହି ପଦରେ ଅଛନ୍ତି । ମୋଦି ୧.୦ ସରକାରରେ ସେ ପିଏମ୍‌ଓର ଅତିରିକ୍ତ ପ୍ରମୁଖ ସଚିବ ଥିଲେ । ମୋଦି ୨.୦ ସରକାର ଆସିବା ପରେ ପ୍ରଧାନମନ୍ତ୍ରୀ ତାଙ୍କୁ ନିଜ କାର୍ଯ୍ୟାଳୟର ପ୍ରମୁଖ ସଚିବ ଦାୟିତ୍ୱ ଦେଇଛନ୍ତି । ସାମ୍ପ୍ରତିକ ସମୟରେ କୋଭିଡ୍‌ ପରିଚାଳନାରେ ଶ୍ରୀ ମିଶ୍ରଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ପୂର୍ବରୁ ମୋଦିଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ଗୁଜରାଟ ସରକାରର ବହୁ ଗୁରୁତ୍ୱପୂର୍ଣ୍ଣ ପଦବିରେ ସେ ରହିଥିଲେ ।

ଆର୍‌ବିଆଇ ଭଳି ସ୍ୱାୟତ୍ତ ନିୟାମକର ମଙ୍ଗୁଆଳ ସାଜିଛନ୍ତି ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ । ୨୦୧୮ ଡିସେମ୍ବରରେ ସେ ଆର୍‌ବିଆଇର ୨୫ତମ ଗଭର୍ଣ୍ଣର ହୋଇଥିଲେ । ଭୁବନେଶ୍ୱରରେ ଜନ୍ମଗ୍ରହଣ କରିଥିବା ୧୯୮୦ ବ୍ୟାଚ୍‌ ତାମିଲନାଡ଼ୁ କ୍ୟାଡର୍‌ ଆଇଏଏସ୍‌ ଅଫିସର ଶ୍ରୀ ଦାସ କରୋନାଜନିତ ଧ୍ୱସ୍ତବିଧ୍ୱସ୍ତ ଅର୍ଥନୀତିକୁ ଟ୍ରାକ୍‌କୁ ଫେରାଇ ଆଣିବାରେ ପ୍ରମୁଖ ଅସ୍ତ୍ର ପାଲଟିଛନ୍ତି । ମୁଖ୍ୟତଃ ଦେଶର ଶିଳ୍ପଜଗତ ଓ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରକୁ କରୋନା ଦାଉରୁ ରକ୍ଷା କରିବା ପାଇଁ ଅନେକ କଠୋର କିନ୍ତୁ ଅନୁକୂଳ ପଦକ୍ଷେପ ଗ୍ରହଣ କରିଛନ୍ତି । କେନ୍ଦ୍ରରେ ମୋଦି ସରକାର କ୍ଷମତାକୁ ଆସିବା ପରେ ୨୦୧୪ରୁ ସେ ରାଜସ୍ୱ, ଅର୍ଥନୈତିକ ବ୍ୟାପାର, ସାର ମନ୍ତ୍ରାଳୟର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରିଛନ୍ତି । ଶ୍ରୀ ଦାସ ଥିଲେ ଟ୍‌ବନ୍ଦୀର ମୁଖ୍ୟ ପୁରୋଧା । ଚାକିରିରୁ ଅବସର ନେବାପରେ ସେ ପଞ୍ଚଦଶ ଅର୍ଥ କମିସନର ଅଧ୍ୟକ୍ଷ ହୋଇଥିଲେ ।

ଭାରତୀୟ ପାଣିପାଗ ବିଶେଷଜ୍ଞଙ୍କ ମହଲରେ ‘ସାଇକ୍ଲୋନ୍‌ ମ୍ୟାନ୍‌’ ଭାବେ ପରିଚିତ ମୃତ୍ୟୁଞ୍ଜୟ ମହାପାତ୍ର । ଭଦ୍ରକର ଏକ ଚାଷୀ ପରିବାରରେ ଜନ୍ମନେଇ ମୃତ୍ୟୁଞ୍ଜୟ ପାଣିପାଗ ବିଜ୍ଞାନ କ୍ଷେତ୍ରରେ ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଏବେ ସେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଭାବେ ଅବସ୍ଥାପିତ । ତାଙ୍କର ଠିକ୍‌ ପୂର୍ବାନୁମାନ ଫାଇଲିନ୍‌, ଫୋନି ଓ ଅମ୍‌ପନ୍‌ ବାତ୍ୟାର ସଫଳ ମୁକାବିଲା କରାଯାଇଥିଲା । ଶ୍ରୀ ମହାପାତ୍ର ଦେଶର ପାଣିପାଗ ବିଭାଗକୁ ଏକ ନୂଆ ରୂପରେ ତଥା ନୂଆ ଶିଖରରେ ପହଞ୍ଚାଇଛନ୍ତି । ତାଙ୍କ ନେତୃତ୍ୱରେ ପାଣିପାଗ ବିଭାଗ ଏବେ ଦେଶର ବ୍ଲକ୍‌ସ୍ତରରେ ବିଜୁଳିର ଠିକ୍‌ ପୂର୍ବାନୁମାନ କରିପାରୁଛି ।

ବରିଷ୍ଠ ଆଇପିଏସ୍‌ ଅଫିସର ସତ୍ୟ ନାରାୟଣ ପ୍ରଧାନ ବର୍ତ୍ତମାନ ବିପର୍ଯ୍ୟୟ ମୁକାବିଲାରେ ଦେଶର ନେତୃତ୍ୱ ନେଉଛନ୍ତି । ସେ ଏନ୍‌ଡିଆର୍‌ଏଫ୍‌ (ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ)ର ମହାନିର୍ଦ୍ଦେଶକ । ୧୯୮୮ ବ୍ୟାଚ୍‌ ଝାଡ଼ଖଣ୍ଡ କ୍ୟାଡର୍‌ର ଓଡ଼ିଶାରେ ଜନ୍ମିତ ଏହି ଅଫିସର ବାତ୍ୟା ଓ ବନ୍ୟା ଭଳି ବିପର୍ଯ୍ୟୟ ପରବର୍ତ୍ତୀ ପୁନରୁଦ୍ଧାରର ମହାନାୟକ । ନିକଟରେ ଓଡ଼ିଶା ଓ ପଶ୍ଚିମବଙ୍ଗ ସାମ୍ନା କରିଥିବା ଅମ୍‌ପନ୍‌ ବାତ୍ୟା ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟରେ ତାଙ୍କର ଭୂମିକା ବେଶ୍‌ ପ୍ରଶଂସନୀୟ ରହିଛି । ଆତ୍ମପ୍ରଚାରଠାରୁ ଦୂରରେ ରହୁଥିବା ଶ୍ରୀ ପ୍ରଧାନ ନିଜ କାର୍ଯ୍ୟକୁ ବାସ୍ତବ ରୂପ ଦେବା ପାଇଁ ରଣନୀତି ଆପଣେଇବାରେ ବେଶ୍‌ ଧୂରନ୍ଧର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.