କଂଗ୍ରେସ ଜାରି କଲା ଆଉ ଏକ ପ୍ରାର୍ଥୀ ତାଲିକା, କାଙ୍ଗଡାରୁ ଆନନ୍ଦ ଶର୍ମା ଓ ଗୁରୁଗ୍ରାମରୁ ରାଜ ବବରଙ୍କୁ ଟିକେଟ୍

Published By : Prameya-News7 Bureau | April 30, 2024 IST

ନୂଆଦିଲ୍ଲୀ ୩୦।୪: ଲୋକସଭା ନିର୍ବାଚନ ମଧ୍ୟରେ କଂଗ୍ରେସ ମଙ୍ଗଳବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି। ପାର୍ଟି ହରିୟାଣାର ଗୁରୁଗ୍ରାମ ସିଟ୍‌ରୁ ରାଜ ବବର ଓ ହିମାଚଳ ପ୍ରଦେଶ କାଙ୍ଗଡାରୁ ଆନନ୍ଦ ଶର୍ମାଙ୍କୁ ପ୍ରାର୍ଥୀ କରିଛି। ଏହା ଛଡା ହିମାଚଳର ହମିରପୁରରୁ ସତପାଲ ରାୟଜାଦା ଓ ମୁମ୍ବାଇ ନର୍ଥ ସିଟ୍‌ରୁ ଭୂଷଣ ପାଟିଲଙ୍କୁ ପାର୍ଟି ଟିକେଟ୍ ଦେଇଛି।  ଉଲ୍ଲେଖଯୋଗ୍ୟ ଯେ ହରିୟାଣାର ଗୁରୁଗ୍ରାମ ଆସନରେ ଷଷ୍ଠ ପର୍ଯ୍ୟାୟ ଅର୍ଥାତ ମେ ୨୫ରେ ନିର୍ବାଚନ ହେବ। 

ଏହାଛଡା ହିମାଚଳର କାଙ୍ଗଡା ଓ ହମିରପୁର ସିଟ୍‌ରେ ସପ୍ତମ ପର୍ଯ୍ୟାୟରେ ଅର୍ଥାତ ଜୁନ ୧ ତାରିଖ ଦିନ ଭୋଟଗ୍ରହଣ ହେବ। ତେବେ ମହାରାଷ୍ଚ୍ର ମୁମ୍ବାଇ ନର୍ଥ ଆସନରେ ପଞ୍ଚମ ପର୍ଯ୍ୟାୟ ମେ ୨୦ ତାରିଖରେ ଭୋଟ ଗ୍ରହଣ ହେବ। ଏହି ଆସନ ସହିତ ଏହା ଆଶା କରାଯାଉଛି ଯେ ପାର୍ଟି ଉତ୍ତରପ୍ରଦେଶର ଆମେଥି ଓ ରାୟବରେଲୀ ଆସନ ନିମନ୍ତେ ଖୁବ୍ ଶୀଘ୍ର ପ୍ରାର୍ଥୀଙ୍କ ନାମ ଘୋଷଣା କରିବ। ଆମେଥି ଓ ରାୟବରେଲକୁ ନେଇ ଏପର୍ଯ୍ୟନ୍ତ ସସ୍ପେନ୍ସ ଲାଗି ରହିଛି। ଏହି ସିଟ୍‌ କୁ ନେଇ ସ୍ଥାନୀୟ ନେତା ବିରୋଧ ପ୍ରଦର୍ଶନ କରୁଛନ୍ତି। ଏହି ଆସନ ଦୁଇଟିରେ ରାହୁଲ ଓ ପ୍ରିୟଙ୍କାଙ୍କୁ ପ୍ରାର୍ଥୀ କରାଯାଇ ପାରେ ବୋଲି ଚର୍ଚ୍ଚା ହେଉଛି। 

ଉଲ୍ଲେଖଯୋଗ୍ୟ ଯେ ଗାନ୍ଧି-ନେହେରୁ ପରିବାରର ପାରମ୍ପରିକ ମନେ କରାଯାଉଥିବା ଏହି ଦୁଇ ସିଟ୍‌ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ ନିମନ୍ତେ ହାତରେ ମାତ୍ର ଆଉ ୩ ଦିନ ଅଛି। ଏହା ସତ୍ତ୍ୱେ ମଧ୍ୟ ଚର୍ଚ୍ଚା ହେଉଛି ରାହୁଲ ଓ ପ୍ରିୟଙ୍କାଙ୍କୁ ପାର୍ଟି ଏହି ଦୁଇ ଆସନରୁ ପ୍ରାର୍ଥୀ କରିପାରେ। ପାର୍ଟି କାର୍ଯ୍ୟକର୍ତ୍ତାମାନେ ମଙ୍ଗଳବାର ଆମେଥିରେ ଧାରଣା ଦେଇଛନ୍ତି ଓ ଗାନ୍ଧି ପରିବାରରୁ କାହାକୁ ବି ହେଲେ ଏଠାରୁ ପ୍ରାର୍ଥୀ କରିବାକୁ ଦାବି କରିଛନ୍ତି। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ପ୍ରିୟଙ୍କା ଭଦ୍ରା ରାୟବରେଲି ଆସନରୁ ନିର୍ବାଚନ ଲଢିବାକୁ ଆଗ୍ରହୀ ଅଛନ୍ତି। ଏଣୁ ପାର୍ଟି ନେତୃତ୍ୱ ଖୁବ ଶୀଘ୍ର ଏହି ଆସନକୁ ନେଇ ପ୍ରାର୍ଥୀ ଘୋଷଣା କରିପାରନ୍ତି। 

ତେବେ ରାହୁଲ ଗାନ୍ଧି ତାଙ୍କ ପାରମ୍ପରିକ ଆସନ ଆମେଥିରେ ତାଙ୍କ ପ୍ରାର୍ଥୀତ୍ୱ ନେଇ ଏପର୍ଯ୍ୟନ୍ତ ନିଷ୍ପତ୍ତିନେଇ ନାହାନ୍ତି। ଏଣୁ ସେ ନିଷ୍ପତ୍ତି ନେବା ମାତ୍ରେ ତାଙ୍କ ପ୍ରାର୍ଥୀତ୍ୱ ଘୋଷଣା ହୋଇପାରେ ବୋଲି ଅନୁମାନ କରାଯାଉଛି। ଉତ୍ତରପ୍ରଦେଶ ରାଜ୍ୟ ନେତୃତ୍ୱ ପୂର୍ବରୁ କେନ୍ଦ୍ରୀୟ ନିର୍ବାଚନ କମିଟି ଓ ପାର୍ଟି ନେତୃତ୍ୱଙ୍କୁ ରାହୁଲ ଗାନ୍ଧିଙ୍କୁ ଆମେଥି ଓ ପ୍ରିୟଙ୍କାଙ୍କୁ ରାୟବରେଲୀରୁ ନିର୍ବାଚନ ମୈଦାନକୁ ଓହ୍ଲାଇବା ପାଇଁ କହିଛି। ଗତ ଶନିବାର ଅନୁଷ୍ଠିତ ସିଇସି ବୈଠକରେ ସିଇସି ସଦସ୍ୟମାନେ ଉତ୍ତରପ୍ରଦେଶର କଂଗ୍ରେସର ବିଚାରକୁ ସମର୍ଥନ କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.