ପୁଅର କୋକେଇ ଦେଖି ଟଳପଡିଲା ମା', ଝୁରିହେଉଛି ସାରା ଗାଁ

Published By : Prameya-News7 Bureau | April 28, 2020 IST

ନୀଳଗିରି୨୮।୦୪: ପୁଅର ମୃତଦେହ ଦେଖି ଆଖି ବୁଜିଲେ ମା’ । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବରହମପୁର ଥାନା ଅଧୀନ ଗରଡିହି ପଞ୍ଚାୟତ ବାଲିଚୁଆ ଗ୍ରାମରେ । ଗ୍ରାମର ଶ୍ୟାମସୁନ୍ଦର ସିଂଙ୍କ ପୁଅ ରବୀନ୍ଦ୍ର (୩୫)ଙ୍କର ଶରୀର ଅସୁସ୍ଥ ହେବାରୁ ତାଙ୍କୁ ଗତ ୯ ତାରିଖରେ ବରହମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ନୀଳଗିରି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ହେବାରୁ ସେ ପୁଣି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିଲେ ।

ଡାକ୍ତର ରବୀନ୍ଦ୍ରଙ୍କର କିଡ୍‌ନୀ ଖରାପ କହିଥିଲେ । କଟକ ବଡ଼ ଡାକ୍ତରଖାନାକୁ ନେବାର ଆଶା ବାନ୍ଧି ବିଧବା ମାଆ ବେଳମଣି ପୁଅ ରବୀନ୍ଦ୍ରଙ୍କୁ ଘରକୁ ୨୧ ତାରିଖରେ ନେଇ ଆସିଥିଲେ। ହେଲେ ରବିବାର ରାତି ୮ଟାରେ ରବୀନ୍ଦ୍ରଙ୍କ ଦେହାନ୍ତ ହୋଇଥିଲା । ପୁଅର ମୃତଦେହ ଦେଖି ମା’ ମଧ୍ୟ ଆରପାରିକୁ ଚାଲିଗଲେ । ଏଭଳି ଘଟଣା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ରବୀନ୍ଦ୍ରଙ୍କର ଗୋଟିଏ ପୁଅ, ୩ଟି ଝିଅ ଅଛନ୍ତି। ଏବେ ଲକ୍‌ ଡାଉନ୍‌ ସମୟରେ ଶୁଦ୍ଧି କ୍ରିୟା ହେବା ନେଇ ଅସହାୟ ହୋଇ ପଡ଼ିଛନ୍ତି ପରିବାର ସଦସ୍ୟ । ପ୍ରଶାସନ ତରଫରୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.