ସାରା ବିଶ୍ବରେ ୩୦ ଲକ୍ଷ ଅତିକ୍ରମ କଲା କରୋନା ରୋଗୀଙ୍କ ସଂଖ୍ୟା, ପ୍ରାଣ ହରାଇଲେଣି ୨ ଲକ୍ଷରୁ ଅଧିକ

Published By : Prameya-News7 Bureau | April 28, 2020 IST

ଲଣ୍ଡନ ୨୮।୪: ସାରା ବିଶ୍ବର ଏବେ କରୋନା ଭାଇରସ୍‌ର ଆତଙ୍କ ଜାରି ରହିଛି । ବିଶ୍ବବ୍ୟାପୀ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୩୦ଲକ୍ଷ ଅତିକ୍ରମ କରିସାରିଲାଣି । ଏହାସହ ୨ ଲକ୍ଷ ୧୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ବିଶ୍ବର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାରେ କରୋନା ଭାଇରସ୍ ସବୁଠାରୁ ଅଧିକ ବିନାଶ ଘଟାଇଚାଲିଛି । ଆମେରିକାରେ ପ୍ରାୟ ୯ ଲକ୍ଷ ୮୫ ହଜାର ଲୋକ କରୋନା ଭାଇରସ୍ ଦ୍ବାରା ସଂକ୍ରମିତ ହୋଇଛନ୍ତି । ଏହାସହ ୫୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇସାରିଲେଣି ।

ଜନ୍ ହପକିନ୍ସ ବିଶ୍ବବିଦ୍ୟାଳୟ ଅନୁଯାୟୀ, ସାରା ବିଶ୍ବରେ କରୋନା ଯୋଗୁଁ ୨ ଲକ୍ଷ ୧୦ ହଜାର ୫୫୧ ଜଣଙ୍କର ମୃତ୍ୟୁ ଘଟିଛି । ଏଥିମଧ୍ୟରୁ ଆମେରିକାରେ ଅଧିକାଂଶ ଲୋକଙ୍କ ମୃତ୍ୟୁ ହୋଇଛି । ଆମେରିକାରେ ୫୫ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଆମେରିକା ପରେ ଇଟାଲୀରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ରହିଛି । ଇଟାଲୀରେ ୨୬ ହଜାର ୯୭୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସ୍ପେନରେ ୨୩ ହଜାର ୫୨୧ଜଣଙ୍କର ମୃତ୍ୟୁ ହୋଇଛି । ସେହିଭଳି ଫ୍ରାନ୍ସରେ ୨୩ ହଜାର ୨୯୩ ଏବଂ ବ୍ରିଟେନରେ ୨୧ ହଜାର ୯୨ ଜଣଙ୍କର ମୃତ୍ୟୁ ହୋଇଛି ।

ଜନ୍ ହପକିନ୍ସ ବିଶ୍ବବିଦ୍ୟାଳୟ ଅନୁଯାୟୀ, ଏହି ସଂକ୍ରାମକ ରୋଗରେ ଆମେରିକା ସର୍ବାଧିକ ପ୍ରଭାବିତ ହୋଇଛି । ଦେଶରେ ୯ ଲକ୍ଷ ୮୫ ହଜାର ଲୋକ ସଂକ୍ରମିତ ହୋଇଥିବା ଜଣାପଡିଛି । ଆମେରିକାର ନ୍ୟୁୟର୍କରେ କରୋନା ସର୍ବାଧିକ ବିନାଶ ଘଟାଇଛି । ଏପର୍ଯ୍ୟନ୍ତ ନ୍ୟୁୟର୍କରେ ୧୭ ହଜାର ୫୧୫ ଜଣଙ୍କର ମୃତ୍ୟୁ ହୋଇଛି ।

ଅନ୍ୟପଟେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ଭାରତରେ କୋଭିଡ-୧୯ ଯୋଗୁଁ ମୃତ୍ୟୁ ସଂଖ୍ୟା ୮୮୬କୁ ବୃଦ୍ଧି ପାଇଛି ଏବଂ ପ୍ରାୟ ୨୮ହଜାର ଲୋକ ଏହି ଭାଇରସ୍‌ରେ ସଂକ୍ରମିତ ହୋଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.