ଦିଲ୍ଲୀ ଅବକାରୀ ନୀତି ମାମଲାରେ ଏବେ ‘ଆମଆଦମୀ ପାର୍ଟି’ ମଧ୍ୟ ଅଭିଯୁକ୍ତ, କେଜରିୱାଲ ଓ ଆପ ବିରୋଧରେ ଦାଖଲ ହେଲା ଚାର୍ଜସିଟ୍

Published By : Prameya-News7 Bureau | May 17, 2024 IST

ନୂଆଦିଲ୍ଲୀ ୧୭।୫: କଥିତ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ତାଙ୍କ ଆମ ଆଦମୀ ପାର୍ଟି (ଆପ) ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି। ଇଡି ରାଉଜ ଏଭେନ୍ୟୁ କୋର୍ଟରେ ଦାଖଲ କରିଥିବା ସପ୍ଲିମେଣ୍ଟ୍ରି ଚାର୍ଜସିଟ୍‌ରେ ମୁଖ୍ୟମନ୍ତ୍ରୀ କେଜରିୱାଲ ଓ ତାଙ୍କ ପାର୍ଟିକୁ ମଧ୍ୟ ଅଭିଯୁକ୍ତ କରିଛି। ଏବେ ଆପ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇଥିବାରୁ ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ଲାଗି ମଧ୍ୟ ସମସ୍ୟା ହୋଇପାରେ। 

ଏଥିରେ ପାର୍ଟି ସଂଯୋଜକ ହିସାବରେ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ସମସ୍ୟା ଆହୁରି ବଢିପାରେ ବୋଲି ଆକଳନ କରାଯାଉଛି। ଇଡି ସୁପ୍ରିମକୋର୍ଟକୁ କହିଛନ୍ତି ଯେ ଆମେ ଅବକାରୀ ନୀତି ମାମଲାରେ ଅପରାଧର କଥିତ ଆୟ ସମ୍ପର୍କରେ କେଜରିୱାଲ ଓ ହାୱଲା ଅପରେଟରଙ୍କ ମଧ୍ୟରେ ହୋଇଥିବା ଚାର୍ଟ ସମ୍ପର୍କରେ ଜାଣିବାକୁ ପାଇଛୁ। ଯାଞ୍ଚ ଏଜେନ୍ସୀ ଦାବି କରିଛନ୍ତି ଯେ ଯେବେ କେଜରିୱାଲ ତାଙ୍କ ଫୋନ ଓ ଅନ୍ୟ ଉପକରଣର ପାସୱାର୍ଡ ଦେବାକୁ ମନା କଲେ ସେତେବେଳେ ହାୱଲା ଅପରେଟରଙ୍କ ଫୋନରୁ ଚାଟ୍ ଜବତ କରାଯାଇଛି। 

ସୁପ୍ରିମକୋର୍ଟ ଦିଲ୍ଲୀ ଅବକାରୀ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ୧ ଜୁନ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି। ତେବେ ସେ ଜାମିନରେ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଥବା ଦିଲ୍ଲୀ ସଚିବାଳୟକୁ ଯାଇ ପାରିବେ ନାହିଁ। କୋର୍ଟ କେଜରିୱାଲଙ୍କୁ ଜୁନ ୨ ତାରିଖ ଦିନ ପୁଣି ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.