ଭବିଷ୍ୟତ ପିଢ଼ିଙ୍କ ପାଇଁ ବ୍ୟାନ୍‌ ହେବ ସିଗାରେଟ୍‌, ଏହି ଦେଶରେ ଆଇନ୍‌ ଆଣିବେ ସରକାର

Published By : Prameya-News7 Bureau | December 09, 2021 IST

ନୂଆଦିଲ୍ଲୀ, ୦୯।୧୨: ୨୦୦୮ ମସିହା ପରେ ଜନ୍ମଗ୍ରହଣ କରିଥିବା ପିଲା ଆଉ କିଣି ପାରିବେ ନାହିଁ ସିଗାରେଟ୍‌ । ଏଥିସହିତ କୌଣସି ତବାକୋ ପଦାର୍ଥ ମଧ୍ୟ କିଣିପାରିବେ ନାହିଁ । ଏଥିପାଇଁ ନ୍ୟୁଜିଲାଣ୍ଡ ସରକାର ଆଗାମୀ ବର୍ଷ ଆଣିପାରନ୍ତି ସ୍ୱତନ୍ତ୍ର ନିୟମ । ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ଆୟେସ ଭେରାଲ୍‌ ଏ ନେଇ କହିଛନ୍ତି ଯେ ଆମେ ଚାହୁଁ ନାହୁଁ କି ଦେଶର ଭବିଷ୍ୟତ ତଥା ଯୁବପିଢ଼ିମାନେ ତବାକୁ ସେବନ କରିବା ଆରମ୍ଭ କରନ୍ତୁ । ସେମାନେ ତାଙ୍କ ଜୀବନରେ କେବେ ତବାକୁ ଯେପରି କିଣିବେ ନାହିଁ ସେଥିପାଇଁ ଆଗାମୀ ବର୍ଷ ଠାରୁ ସିଗାରେଟ୍‌ ବ୍ୟାନ୍‌ କରିବା ପାଇଁ ସରକାର ଆଇନ୍‌ ଆଣିବା ନେଇ ଯୋଜନା କରୁଥିବା ସେ କହିଛନ୍ତି ।

ନ୍ୟୁଜିଲାଣ୍ଡରେ ତବାକୁ ସେବନକୁ କମାଇବା ପାଇଁ ପ୍ରୟାସ କରାଯାଉଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏନେଇ ବିଭିନ୍ନ ଉପାୟ ଅବଲମ୍ୱନ କରିବା ସହିତ ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ କିଛି ପ୍ରତିବନ୍ଧକ ମଧ୍ୟ ଲାଗାଇଥିବା ଜଣାପଡ଼ିଛି । ଏନେଇ ଓଟାଗୋ ୟୁନିଭରସିଟିର ପ୍ରଫେସର ଜନେଟ୍‌ ହୁକ୍‌ କହିଛନ୍ତି ଯେ ସିଗାରେଟ୍‌ ବା ଅନ୍ୟ ତବାକୋରେ ଆଲ୍‌କହଲ୍‌ର ମାତ୍ର କମ୍‌ କରାଯିବ ଫଳରେ ଲୋକେ ଏହାକୁ କମ୍ ବ୍ୟବହାର କରିବେ ଏବଂ କିଛି ଲୋକ ମଧ୍ୟ ଏହାକୁ ଛାଡ଼ି ଦେଇ ପାରନ୍ତି ।

ତେବେ ଏପରି ପଦକ୍ଷେପକୁ ନ୍ୟୁଜିଲାଣ୍ଡର ବଡ଼ ବଡ଼ ଡାକ୍ତର ଏବଂ ବିଶେଷଜ୍ଞ ମାନେ ସ୍ୱାଗତ କରିବା ସହିତ ଏହା ଯୁବପିଢ଼ିଙ୍କୁ ନିଶା ସେବନ ଠାରୁ ଦୂରେଇ ରଖିବା ପାଇଁ ଉତ୍ତମ ପ୍ରୟାସ ବୋଲି କହିଛନ୍ତି ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.