ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଅଧିକ ଯୌତୁକ ପାଇଁ ଶ୍ବଶୁରଘର ଲୋକ ମାରିଦେଇଥିବା କହିଲେ ବାପା

Published By : Prameya-News7 Bureau | November 07, 2020 IST

ସାନଖେମୁଣ୍ଡି ୭।୧୧: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ସୋମପୁର ଗ୍ରାମରେ ଯୌତୁକ ପାଇଁ ନବବଧୂ ହତ୍ୟା ଅଭିଯୋଗ ହୋଇଛି । ମୃତ ମହିଳା ଜଣଙ୍କ ସ୍ଥାନୀୟ ପୌରାଞ୍ଚଳ ୭ ନମ୍ବର ଓ୍ବାର୍ଡ ସୋମପୁର ଗ୍ରାମର ଭିକାରୀ ସାହୁଙ୍କ ସ୍ତ୍ରୀ ରାଜେଶ୍ବରୀ ସାହୁ । ତାଙ୍କ ବୟସ ୨୨ ବର୍ଷ । ଅଧିକ ଯୌତୁକ ଦାବି କରି ଶ୍ବଶୁର ଘର ଲୋକେ ହତ୍ୟା କରିଥିବା ନେଇ ହିଞ୍ଜିଳି ଥାନାରେ ମୃତ ମହିଳାଙ୍କ ବାପା ବିଜୟ ସାହୁ ଅଭିଯୋଗ କରିଛନ୍ତି । ଏ ନେଇ ହିଞ୍ଜିଳି ଥାନାରେ ୪୦୧/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା ବାଲିଗୁଡା ବାସିନ୍ଦା ବିଜୟ ସାହୁଙ୍କ ଝିଅ ରାଜେଶ୍ବରୀ ସହ ହିଞ୍ଜିଳିକାଟୁ ପୌରାଞ୍ଚଳ ରଜାସାହି ବାସିନ୍ଦା ରାମହରି ସାହୁଙ୍କ ପୁଅ ଭିକାରୀଙ୍କ ସହ ଗତ ୨୦୧୯ ଅପ୍ରେଲ ମାସରେ ବିବାହ ହୋଇଥିଲା । ବାହାଘର ସମୟରେ ବରଘର ଦାବି ମୁତାବକ ୫ ଭରି ଓଜନର ସୁନା ଗହଣା, ୧ ଲକ୍ଷ ଟଙ୍କା ଓ ଅନ୍ୟାନ୍ୟ ଆସବାବପତ୍ର ପ୍ରଦାନ କରାଯାଇଥିଲା । ମାତ୍ର ଅଧିକ ଯୌତୁକ ଦାବି କରି ଶ୍ବଶୁର ଘର ଲୋକେ ରାଜେଶ୍ବରୀଙ୍କୁ ବାରମ୍ବାର ନିର୍ଯାତନା ଦେଉଥିଲେ ବୋଲି ମୃତ ନବବଧୂଙ୍କ ବାପା ଅଭିଯୋଗ କରିଛନ୍ତି ।

ଶୁକ୍ରବାର ଅପରାହ୍ନରେ ନବବଧୂ ଜଣଙ୍କ ଉପର ଘରକୁ ଯାଇ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ନେଇ ଶ୍ବଶୁର ଘର ଲୋକେ ନବବଧୂଙ୍କ ପରିବାର ବର୍ଗଙ୍କୁ ଖବର ଦେଇଥିଲେ । ନବବଧୂ ଜଣଙ୍କ ବଞ୍ଚିଥିବା ଆଶଙ୍କା କରି ପରିବାର ଲୋକେ ଚିକିତ୍ସା ନିମନ୍ତେ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡ଼ାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ଡ଼ାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରିଛି । ବ୍ୟବଚ୍ଛେଦ ନିମନ୍ତେ ମୃତଦେହ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଯାଇଛି ।

ଅନ୍ୟପକ୍ଷରେ ନବବଧୂଙ୍କ ସ୍କୁଟି ନେଇ ଶ୍ବଶୁର କୌଣସି କାମରେ ବାହାରକୁ ଚାଲିଯିବାରୁ ଉତ୍ୟକ୍ତ ହୋଇ ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା ନେଇ ଶ୍ବଶୁର ରାମହରି କହିଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ୍ କାରଣ ଜଣାପଡିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.