ପାକିସ୍ତାନ ମୁହଁରେ ଶକ୍ତ ଚାପୁଡା: ସୁରକ୍ଷା କାରଣରୁ ଖେଳିବାକୁ ମନା କଲା ନ୍ୟୁଜିଲାଣ୍ଡ ଟିମ୍, ମ୍ୟାଚ୍ ଠିକ୍ ପୂର୍ବରୁ ଗସ୍ତ ବାତିଲ୍

Published By : Prameya-News7 Bureau | September 17, 2021 IST

ରାଓ୍ଵଲପିଣ୍ଡି ୧୭।୦୯: ଆଫଗାନିସ୍ତାନରେ ତାଲିବାନ ସରକାରକୁ ବିଶ୍ଵ ସମୁଦାୟରେ ମାନ୍ୟତା ଦେବା ପାଇଁ ବ୍ୟାକୁଳ ପାକିସ୍ତାନକୁ ଶୁକ୍ରବାର ବହୁତ ବଡ ଝଟକା ଲାଗିଛି। ବିଶ୍ଵ ଦରବାରରେ ପୁଣି ଥରେ ନିନ୍ଦିତ ହୋଇଛି ପାକିସ୍ତାନ। ନ୍ୟୁଜିଲାଣ୍ଡ ଦଳ ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଟସ୍ ପଡିବା ପୂର୍ବରୁ ପଡିଆକୁ ଓହ୍ଲାଇବାକୁ ମନା କରି ଦେଇଛି। ପୁଣି କିଛି ସମୟ ପରେ ନ୍ୟୁଜିଲାଣ୍ଡ ପାକିସ୍ତାନ ଗସ୍ତ ବାତିଲ୍ କରିଛି। ଗସ୍ତ ବାତିଲ୍ ହେବା ପାକିସ୍ତାନ ଗାଲରେ ଶକ୍ତ ଚାପୁଡା ବାଜିବା ପରି ହୋଇଛି।

ସୂତ୍ର ମୁତାବକ ସୁରକ୍ଷା କାରଣରୁ ନ୍ୟୁଜିଲାଣ୍ଡ ଦଳ ନିଜର ଗସ୍ତ ବାତିଲ୍ କରିଛି। ଦଳ ଏହି ବାବଦରେ ପାକିସ୍ତାନ କ୍ରିକେଟ୍  ବୋର୍ଡକୁ ଅବଗତ କରାଇ ଦେଇଛି। ଦଳ ବୋର୍ଡକୁ ଅବଗତ କରାଇଛି ଯେ, ପାକିସ୍ତାନରେ ସେମାନଙ୍କ ପ୍ରତି ବିପଦ ରହିଛି। ଏହି ଘଟଣା ପରେ ଇମ୍ରାନ ଖାନ ଓ ପିସିବିର ଅଧିକାରୀ ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡ ଏବଂ ଖେଳାଳିଙ୍କ ସହ ଆଲୋଚନା ଆରମ୍ଭ କରି ଦେଇଛି।

ସମସ୍ତ ପ୍ରକାରର ଆଶ୍ଵାସନା ପରେ ମଧ୍ୟ ନ୍ୟୁଜିଲାଣ୍ଡ ଦଳ ପଡିଆକୁ ଓହ୍ଲାଇବାକୁ ମନା କରି ଦେଇଛି। ଏହି ଘଟଣା ପାକିସ୍ତାନ ପାଇଁ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛି। ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନକୁ ଥୁ ଥୁ କରିବା ଆରମ୍ଭ ହୋଇ ଯାଇଛି। ସାମାଜିକ ଗଣମାଧ୍ୟମରେ ପାକିସ୍ତାନବାସୀ ମଧ୍ୟ ଏହାକୁ ଲଜ୍ଜାଜନକ ଘଟଣା ଦର୍ଶାଇଛନ୍ତି।

wp:html /wp:html

ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତିନୋଟି ଦିନିକିଆ ଓ ପାଞ୍ଚ ମ୍ୟାଚ୍‌ର ଟି-୨୦ ସିରିଜ୍ ଖେଳାଯିବାର ଥିଲା। ନ୍ୟୁଜିଲାଣ୍ଡର ଏହି ଗସ୍ତରେ ରାଓ୍ଵଲପିଣ୍ଡିରେ ଦିନିକିଆ ସିରିଜ୍ ଏବଂ ଲାହୋରର ଗଦାଫି ଷ୍ଟାଡିୟମରେ ଟି-୨୦ ସିରିଜ୍ ଖେଳାଯିବାର ଥିଲା। ଦୁଇ ଦଳ ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ମୁକାବିଲାର ୨୦ ମିନିଟ୍ ପୂର୍ବରୁ ସେଠାରେ ଉପଦ୍ରବର ଖବର ସାମ୍ନାକୁ ଆସିଥିଲା। ଏହା ପରେ ଖେଳାଳିଙ୍କୁ ଷ୍ଟାଡିୟମ ପହଞ୍ଚିବା ପରିବର୍ତ୍ତେ ହୋଟେଲ୍‌ରେ ରହିବାକୁ ପରାମର୍ଶ ଦିଆଯାଇଥିଲା। ଏହା ବ୍ୟତୀତ କ୍ରିକେଟ୍ ପ୍ରଶଂସକଙ୍କୁ ମଧ୍ୟ ଷ୍ଟାଡିୟମରେ ପ୍ରବେଶ ଅନୁମତି ମିଳିନଥିଲା।

ଏହି ଗସ୍ତ ବାତିଲ୍ ହେବା ପରେ ଶୀଘ୍ର କିଓ୍ଵି  ଖେଳାଳିଙ୍କୁ ପାକିସ୍ତାନରୁ ଫେରାଇ ନେବାକୁ ବନ୍ଦୋବସ୍ତ କରାଯାଉଛି। ନ୍ୟୁଜିଲାଣ୍ଡ କ୍ରିକେଟ୍‌ର ମୁଖ୍ୟ କାର୍ଯ୍ୟକାରୀ ଡେଭିଡ୍ ହ୍ଵାଇଟ୍ କହିଛନ୍ତି, ଆମକୁ ନିଜ ସରକାରଙ୍କଠୁ ଯେଉଁ ପରାମର୍ଶ ମିଳିଛି, ସେହି ଅନୁସାରେ ଗସ୍ତ ଜାରି ରଖିବା ସମ୍ଭବ ନଥିଲା। ସେ କହିଛନ୍ତି ଆମର ଏହି ନିଷ୍ପତ୍ତିରେ ପାକିସ୍ତାନକୁ ବହୁବ ବଡ ଝଟକା ଲାଗିଥିବ। ମାତ୍ର ଖେଳାଳିଙ୍କ ସୁରକ୍ଷା ଆମ ପାଇଁ ସର୍ବୋପରି।

ପିସିବି ନିଜ ବିବୃତିରେ କହିଛି ଯେ, ପାକିସ୍ତାନ କ୍ରିକେଟ୍ ବୋର୍ଡ ଏବଂ ପାକିସ୍ତାନ ସରକାର ସମସ୍ତ ଭ୍ରମଣକାରୀ ଦଳ ପାଇଁ ସୁରକ୍ଷାର ବ୍ୟାପକ  ବ୍ୟବସ୍ଥା କରିଥାଏ। ଆମେ ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳକୁ ମଧ୍ୟ ସୁରକ୍ଷାର ଆଶ୍ଵାସନା ଦେଇଥିଲୁ। ପାକିସ୍ତାନ ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତସ୍ତରରେ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଥିଲେ। ଇମ୍ରାନ ଏହା ମଧ୍ୟ ଆଶ୍ଵସନା ଦେଇଥିଲେ ଯେ, ଆମ ପାଖରେ ସର୍ବଶ୍ରେଷ୍ଠ ଗୁଇନ୍ଦା ବିଭାଗ ରହିଛି ଏବଂ ଭ୍ରମଣକାରୀ ଦଳ ପାଇଁ କୌଣସି  ପ୍ରକାରର ସୁରକ୍ଷାରେ ବିପଦ ନାହିଁ। ପିସିବି କହିଛି, ନ୍ୟୁଜିଲାଣ୍ଡ ଦଳ ସହ ଆସିଥିବା ସୁରକ୍ଷା ଅଧିକାରୀ ମଧ୍ୟ ଏଠାକାର ସୁରକ୍ଷା ବ୍ୟବସ୍ଥାରେ ସନ୍ତୋଷ ବ୍ୟକ୍ତ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.