'ସୁପାରୀ ମିଡିଆ' ହେଉଛି ନ୍ୟୁୟର୍କ ଟାଇମ୍ସ... ପେଗାସସ୍ ଖୁଲାସା ଉପରେ କେନ୍ଦ୍ର ମନ୍ତ୍ରୀ ଭିକେ ସିଂହଙ୍କ ହମଲା

Published By : Prameya-News7 Bureau | January 29, 2022 IST

ନୂଆଦିଲ୍ଲୀ ୨୯।୦୧: କେନ୍ଦ୍ର ମନ୍ତ୍ରୀ ଭିକେ ସିଂହ ଶନିବାର ପେଗାସସ ସ୍ପାଇଓ୍ଵେରକୁ ନେଇ ହୋଇଥିବା ଖୁଲାସା ଉପରେ ପ୍ରତିକ୍ରିୟା ଦେଇଛନ୍ତି। ସେ 'ନ୍ୟୁୟର୍କ ଟାଇମ୍ସ'କୁ 'ସୁପାରୀ ମିଡିଆ'ର ଆଖ୍ୟା ଦେଇଛନ୍ତି ଏବଂ ଏହାର ବିଶ୍ଵସନୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଆମେରିକା ସମାଚାର ପତ୍ର 'ନ୍ୟୁୟର୍କ ଟାଇମ୍ସ' ନିଜର ଏକ ଖବରରେ ଦାବି କରିଛି, ୨୦୧୭ରେ ଭାରତ ଏବଂ ଇସ୍ରାଏଲ ମଧ୍ୟରେ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଏବଂ ଗୁଇନ୍ଦା ଉପକରଣ ନେଇ ହୋଇଥିବା ଦୁଇ ଅରବ ଡଲାରର ରାଜିନାମାରେ ପେଗାସସ ସ୍ପାଇଓ୍ଵେର ତଥା ଏକ ମିସାଲଇ ପ୍ରଣାଳୀ କ୍ରୟ ସାମିଲ୍ ଥିଲା।

ଏହି ଖବର ସାମ୍ନାକୁ ଆସିବା ପରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସହିତ ଅନେକ ବିରୋଧୀ ନେତା ସରକାରଙ୍କୁ କାଠଗଡାରେ ଛିଡା କରାଇବାକୁ  ଉଦ୍ୟମ ଆରମ୍ଭ କରି ଦେଇଛନ୍ତି। ରାହୁଲ ମୋଦୀ ସରକାରଙ୍କ ଉପରେ ଦେଶଦ୍ରୋହର ଅଭିଯୋଗ ମଧ୍ୟ ଆଣିଛନ୍ତି।

'ନ୍ୟୁୟର୍କ ଟାଇମ୍ସ'ର ଖବର ଉପରେ ପ୍ରତିକ୍ରିୟା ଦେଇ ସଡକ ପରିବହନ ଏବଂ ରାଜମାର୍ଗ ରାଜ୍ୟ ମନ୍ତ୍ରୀ ଭିକେ ସିଂହ ଟ୍ଵିଟ୍ କରିଛନ୍ତି ଯେ, କଣ ଆପଣ ଏନଓ୍ଵାଇଟି ଉପରେ ଭରସା କରି ପାରିବେ ? ଏହାକୁ 'ସୁପାରୀ ମିଡିଆ' ବୋଲି କୁହାଯାଏ। ବିଶେଷ କରି ସଂସଦର କୌଣସି ଅଧିବେଶନ ପୂର୍ବରୁ ପେଗାସସ୍ ମାମଲା ସାମ୍ନାକୁ ଆସୁଛି। ଆଉ ଏହାକୁ ନେଇ ଦେଶ ରାଜନୀତିରେ ଝଡ ସୃଷ୍ଟି ହେଉଛି।

ଏହି ମାମଲାରେ ଗତ ବର୍ଷ ମଧ୍ୟ ଖୁବ୍ ବିବାଦ ହୋଇଥିଲା ଏବଂ ବିରୋଧୀ ଦଳ ସଂସଦରେ ସରକାରଙ୍କ ଉପରେ ଗୁଇନ୍ଦାଗିରିର ଅଭିଯୋଗ ଲଗାଇ ଖୁବ୍ ହଙ୍ଗାମା କରିଥିଲେ। ତେବେ ସରକାର ଏହି ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଉଚ୍ଚତମ ନ୍ୟାୟାଳୟ ଇସ୍ରାଏଲ ସ୍ପାଇଓ୍ଵେର ପେଗାସସ୍‌ ଜରିଆରେ ଭାରତୀୟ ନାଗରିକଙ୍କ ଗୁଇନ୍ଦାଗିରି ମାମଲାର ତଦନ୍ତ ପାଇଁ ଗତ ବର୍ଷ ଅକ୍ଟୋବରରେ ବିଶେଷଜ୍ଞଙ୍କ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ।

କିଛି ଅନ୍ତର୍ଜାତୀୟ ମିଡିଆ ସମୂହର ଏକ ସଂଗଠନ ଦାବି କରିଥିଲେ ଯେ, ଅନେକ ଭାରତୀୟ ନେତା, ମନ୍ତ୍ରୀ, ସାମାଜିକ କାର୍ଯ୍ୟକର୍ତ୍ତା, ବ୍ୟବସାୟୀ ଏବଂ ସାମ୍ବାଦିକଙ୍କ ବିରୋଧରେ ପେଗାସସ ଜରିଆରେ ଗୁଇନ୍ଦାଗିରି କରାଯାଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.