Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅଶାନ୍ତ ଦିଲ୍ଲୀରେ ଲିଭୁନି CAA ନିଆଁ, ମୃତ୍ୟୁ ସଂଖ୍ୟା ୩୯ : ଆସିଲେ ନୂଆ ପୋଲିସ କମିଶନର ଶ୍ରୀବାସ୍ତବ

ନୂଆଦିଲ୍ଲୀ ୨୮।୦୨:  ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନକୁ ନେଇ ହିଂସା ହୋଇଛି। ହିଂସାରେ ୩୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।  ତେବେ ସମସ୍ତ ଘଟଣା ଭିତରେ ଏବେ ଦିଲ୍ଲୀ ପୋଲିସକୁ ମିଳିଛ ନୂତନ ମୁଖିଆ । ଖୁବଶୀଘ୍ର ଅବସର ନେବାକୁ ଯାଉଥିବା ଅମୁଲ୍ୟ ପଟ୍ଟନାୟକଙ୍କ ସ୍ଥାନରେ ଏସ୍‌.ଏନ୍‌. ଶ୍ରୀବାସ୍ତବଙ୍କୁ ଦିଲ୍ଲୀ ପୋଲିସ କମିଶନର ଭାବେ ଦାୟିତ୍ବ ଦିଆଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ ଏହା ଜଣାପଡିଛି । ଉପ-ରାଜ୍ୟପାଳ ଏନେଇ ଆଦେଶ ଜାରି ମଧ୍ୟ କରିସାରିଛନ୍ତି । ମାର୍ଚ୍ଚ ୧ତାରିଖ ଦିନ ଶ୍ରୀବାସ୍ତବ ନିଜର କାର୍ଯ୍ୟଭାର ସମ୍ଭାଳିବେ ।

ଦିଲ୍ଲୀର ବର୍ତ୍ତମାନ ଥିବା ପୋଲିସ କମିଶନର ଅମୁଲ୍ୟ ପଟ୍ଟନାୟକ ଆସନ୍ତା ୨୯ତାରିଖରେ ଅବସର ନେବାକୁ ଯାଉଛନ୍ତି । ନୂତନ ପୋଲିସ କମିଶନର ଭାବେ ଦାୟ୍ବିତ ନେବାକୁ ଯାଉଥିବା ୧୯୮୫ବ୍ୟାଚ୍‌ର IPS ଅଫିସର ଶ୍ରାବାସ୍ତବ ଏବେ CRPF (ଟ୍ରେନିଙ୍ଗ)ଜାମ୍ମୁ-କାଶ୍ମୀରରେ କାର୍ଯ୍ୟଭାର ସମ୍ଭାଳୁଛନ୍ତି । ଦିଲ୍ଲୀ ହିଂସା ସମୟରେ ଶ୍ରୀବାସ୍ତବଙ୍କୁ ଡକାଯାଇ ଦିଲ୍ଲୀର ସ୍ପେଶାଲ କମିଶନର (ଲ ଆଣ୍ଡ ଅର୍ଡର ) ଦାୟିତ୍ବ ଦିଆଯାଇଥିଲା ।

IPS ଅଫିସର ଶ୍ରୀବାସ୍ତବ ଏହା ପୂର୍ବରୁ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍‌ରେ କାର୍ଯ୍ୟ ଭାର ସମ୍ଭାଳି ସାରିଛନ୍ତି । ସ୍ପେଶାଲ ସେଲ୍‌ରେ କାର୍ଯ୍ୟ କରୁଥିବା ସମୟରେ IPL ମ୍ୟାଚ୍‌ରେ ହୋଇଥିବା ଫିକ୍ସିଂ ଘଟଣାର ଖୁଲାସା କରିଥିଲେ । ସେତେବେଳେ ସେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ରେ ବିଶେଷ ପୋଲିସ କମିଶନର ଭାବେ କାର୍ଯ୍ୟଭାର ସମ୍ଭାଳୁଥିଲେ ।

ଦୁଇ ବର୍ଷ ତଳେ ଜାମ୍ମୁ-କାଶ୍ମୀରରେ ସ୍ପେଶାଲ ଡିଜି ଭାବେ ନିଜର କାର୍ଯ୍ୟ କରୁଥିଲେ ଶ୍ରୀବାସ୍ତବ । ଏବଂ ଏହି ସମୟରେ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଅପରେସନ ଅଲଆଉଟ୍‌ ଆରମ୍ଭ କରାଯାଇଥିଲେ । ଏହି ଅପରେସନ ଦ୍ବାରା ଆତଙ୍କବାଦୀମାନଙ୍କୁ ନିପାତ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା । ୨୦୧୭ରେ ଶ୍ରୀବାସ୍ତବ କେତେକ ଆଣ୍ଟି ଟେରର ଅପରେସନରେ ଭାଗ ନେଇଥିଲେ । ଏହାମଧ୍ୟରୁ ଅପରେନସନ ଅଲଆଉଟ୍ ଥିଲା ଅନ୍ୟତମ । ଏହି ଅପରେସନ ଦ୍ବାରା ହିଜବୁଲ୍‌ର କେତେକ କମାଣ୍ଡର ନିହତ ହୋଇଥିଲେ ।

ଦିଲ୍ଲୀରେ ବର୍ତ୍ତମାନର ପୋଲିସ କମିଶନର ଅମୁଲ୍ୟ ପଟ୍ଟନାୟକ ଅବସର ନେବାକୁ ଯାଉଛନ୍ତି । ଅମୁଲ୍ୟ ଜାନୁଆରୀ ମାସରେ ଅବସର ନେବାର ଥିଲା, କିନ୍ତୁ ବିଧାନସଭା ନିର୍ବାଚନ ଥିବାରୁ ତାଙ୍କ କାର୍ଯ୍ୟକାଳ ବଢାଇଥିଲେ କେନ୍ଦ୍ର ସରକାର । ତେବେ ଅମୁଲ୍ୟଙ୍କ ଅବସର ନେବାର କିଛି ଦିନ ପୂର୍ବରୁ ଦିଲ୍ଲୀରେ ଏପରି ହିଂସା ଦେଖାଦେଇଛି । ନାଗରିକତା ସଂଶୋଧନକୁ ନେଇ ଚାଲିଥିବା ଏହି ହିଂସାରେ ୩୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

   Related Posts