ଷ୍ଟଲ୍‌ରେ ଅବଢା ଖାଇବା ମନା, ନୂଆ ଗାଇଡଲାଇନ୍ ଜାରି କଲା ଶ୍ରୀମନ୍ଦିର ପ୍ରଶାସନ

Published By : Prameya-News7 Bureau | November 14, 2020 IST

ପୁରୀ,୧୪|୧୧: କାର୍ତ୍ତିକ ଦର୍ଶନାର୍ଥୀଙ୍କ ମହାପ୍ରସାଦ ବ୍ୟବସ୍ଥା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଖୋଲିଛି ଅସ୍ଥାୟୀ ଷ୍ଟଲ୍ । ଶ୍ରୀମନ୍ଦିର ଦକ୍ଷିଣ ଏବଂ ଉତ୍ତର ଦ୍ୱାରଠାରେ ପ୍ରଶାସନ ଅସ୍ଥାୟୀ ଷ୍ଟଲ ଖୋଲାଯାଇଛି । ଏହି ଷ୍ଟଲ୍‌ରେ ମହାପ୍ରସାଦ ଖାଇବାକୁ ନେଇ ବିବାଦ ଉଠିଥିଲା । ଏହାର ପ୍ରତିକାର ପାଇଁ ପ୍ରଶାସନ ପକ୍ଷରୁ ଗାଇଡ୍‌ଲାଇନ ମଧ୍ୟ ଜାରି କରାଯାଇଛି । ଏହି ଗାଇଡଲାଇନକୁ ସାଇନେଜ୍‌ ଜରିଆରେ ଭକ୍ତଙ୍କୁ ଅବଗତ କରାଯାଇଛି । ଏଥରେ ୭ଟି ଗାଇଡଲାଇନ୍‌ ସ୍ଥାନ ପାଇଛି । ଏହି ଷ୍ଟଲରେ ମହାପ୍ରସାଦ ସେବନ ନକରିବାକୁ ଶ୍ରଦ୍ଧାଳୁମାନଙ୍କୁ ପରାମର୍ଶ ଦେଇଛି ପ୍ରଶାସନ।

ସୂଚନାନୁସାରେ, ଗତ ଏକ ସପ୍ତାହ ଧରି ଭକ୍ତଙ୍କୁ ଅବଢ଼ା ସେବା ପାଇଁ ଶ୍ରୀମନ୍ଦିର ଉତ୍ତର ଏବଂ ଦକ୍ଷିଣ ଦ୍ୱାର ଆଗରେ ଅସ୍ଥାୟୀ ଷ୍ଟଲ ଖୋଲା ଯାଇଛି। ଏହି ଷ୍ଟଲରୁ ଟୋକନ୍‌ କାଟି ଶ୍ରଦ୍ଧାଳୁମାନେ ମହାପ୍ରସାଦ ପାଇପାରିବେ । ତେବେ ଷ୍ଟଲ ଆରମ୍ଭ ହେବାର ଦୁଇ ଦିନ ଧରି ଷ୍ଟଲ ପରିସରରେ ଭକ୍ତମାନେ ଚୌକିରେ ବସି ଅବଢ଼ା ସେବନ କରିବା ଘଟଣାକୁ ନେଇ ବିବାଦ ହୋଇଥିଲା । ଏହି ଘଟଣା ନେଇ ସିଂହଦ୍ୱାର ଥାନାରେ ଏତାଲା ଦିଆଯାଇଛି । ଏହି କାରଣରୁ ପ୍ରଶାସନର ଗାଇଡଲାଇନକୁ ଗୁରୁତ୍ୱ ଦିଆଯାଉଛି ।

ଏହି ଗାଇଡଲାଇନ୍‌ରେ କୋଭିଡ୍‌ କଟକଣାର ସାମାଜିକ ଦୂରତା ରକ୍ଷା, ମାସ୍କ ପରିଧାନ, ଶ୍ରଦ୍ଧାଳୁମାନେ ଷ୍ଟଲରୁ ମହାପ୍ରସାଦ ନେଇ ନିଜ ନିଜ ଘର, ଲଜିଂ, ହୋଟେଲ, ଧର୍ମଶାଳା, ମଠକୁ ନେଇ ସେବନ କରିବାକୁ ପରାମର୍ଶ ଦିଆଯାଇଛି। ସେହିଭଳି ଷ୍ଟଲ ପରିସରରେ ଭକ୍ତମାନେ ମହାପ୍ରସାଦ ସେବନ କରି ପାରିବେ ନାହିଁ ବୋଲି କୁହାଯାଇଛି । ଭୋଗମଣ୍ଡପ ସରିବାର କିଛି ସମୟ ପୂର୍ବରୁ ଏବଂ ପରେ ଆବଶ୍ୟକ ମୁତାବକ ମହାପ୍ରସାଦ ପାଇଁ ଟୋକନ କାଟିବା, ଆନନ୍ଦବଜାରରେ ଅନ୍ନ ପ୍ରସାଦ ଥିବା ପର୍ଯ୍ୟନ୍ତ ଶିବିରରେ ଟୋକନ କଟାଯିବା ଏବଂ ସକାଳ ଠାରୁ ରାତି ନଅଟା ପର୍ଯ୍ୟନ୍ତ ଭକ୍ତମାନେ ଶୁଖିଲା ମହାପ୍ରସାଦ ପାଇବେ ବୋଲି ଗାଉଡଲାଇନରେ ସୂଚନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.